ଆଇସିସି ମୁଖ୍ୟ କହିଲେ, ‘ଆମ ଅଧିନାୟକ’; ଭାଇରାଲ୍ ହେଉଛି ରୋହିତ ଶର୍ମାଙ୍କ ରିଆକ୍ସନ୍

NEWS7
indian-and-china-tax-system-and-these-unsual-taxes-will-shock

ନୂଆଦିଲ୍ଲୀ: ଏକ ବିଶାଳ ଜନ ସମାଗମ ମଧ୍ୟରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ଏମିତି କଥା ପଦେ କହିଦେଲେ, ଯାହାକୁ ନେଇ ଏବେ ଚର୍ଚ୍ଚା । ରୋହିତ ଶର୍ମାଙ୍କୁ ଜୟ ଶାହଙ୍କ ସମ୍ବୋଧନ ହିଁ ଚର୍ଚ୍ଚାର ପ୍ରସଙ୍ଗ । ଜୟ ଶାହଙ୍କ ଏହି ସମ୍ବୋଧନରେ ଯଦିଓ ସତ୍ୟତା ନାହିଁ, କିନ୍ତୁ ଖେଳପ୍ରେମୀ ଏବଂ ଖୋଦ ରୋହିତ ଶର୍ମା ସେଭଳି କିଛି ହେଉ ବୋଲି ବେଶ ଆଶାବାଦୀ । ପ୍ରକୃତରେ ମଞ୍ଚ ଉପରୁ ଜୟ ଶାହ, ରୋହିତ ଶର୍ମାଙ୍କୁ ଆମ ଅଧିନାୟକ ବୋଲି ସମ୍ବୋଧନ କରିଥିଲେ । ଏହାକୁ ଶୁଣି ମଞ୍ଚ ତଳେ ବସିଥିବା ଶତାଧିକ ଲୋକେ ଖୁସିରେ ତାଳି ମାରିଥିଲେ । ସେପଟେ ଲୋକଙ୍କ ଗହଣରେ ବସିଥିବା ରୋହିତ ଶର୍ମାଙ୍କ ରିଆକ୍ସନ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ରୋହିତ ଶର୍ମାଙ୍କ ଚେହେରାରେ ଖୁସି ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ପତ୍ନୀ ରିତୀକାଙ୍କ ସହ ରୋହିତ ଜୋରରେ ହସିଥିଲେ । ଭିଡିଓରେ ତାଙ୍କ ହସ ଦେଖି ଏମିତି ଲାଗୁଛି, ସତେ ଯେମିତି ଅଧିନାୟକ ସମ୍ବୋଧନ ତାଙ୍କୁ ଖୁବ ପ୍ରଭାବିତ କରିଛି । ଏହା ପରେ ଜୟ ଶାହ କହିଥିଲେ, ‘ମୁଁ ତ ତାଙ୍କୁ (ରୋହିତ ଶର୍ମା) କ୍ୟାପ୍ଟେନ ହିଁ କହିବି । କାରଣ ସେ ଆମ ପାଇଁ ଦୁଇଟି ଟ୍ରଫି ଜିତିଛନ୍ତି । ୨୦୨୩ରେ ଲଗାତାର ୧୦ଟି ମ୍ୟାଚ୍ ଜିତିବା ପରେ ବି ଆମେ ଦିଲ୍ ଜିତିଲୁ, କିନ୍ତୁ ଟ୍ରଫି ଜିତିପାରି ନଥିଲୁ । ଫେବ୍ରୁଆରୀ ୨୦୨୪ରେ ରାଜକୋଟରେ କହିଥିଲି, ଏଥର ଆମେ ହୃଦୟ ଜିତିବୁ, କପ୍ ବି ଜିତିବୁ ।’

 

ଜୟ ଶାହଙ୍କ ‘ଆମ କ୍ୟାପ୍ଟେନ୍’ ସମ୍ବୋଧନକୁ ନେଇ ଚର୍ଚ୍ଚା ହେବା ପଛରେ କାରଣ ହେଉଛି, ଏବେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ନାହାନ୍ତି । ଯଦିଓ ୨୦୨୭ ବିଶ୍ବକପ୍ ଖେଳିବାକୁ ୩୮ ବର୍ଷୀୟ ରୋହିତ ଶର୍ମା ଆଗ୍ରହୀ, କିନ୍ତୁ ଦିନିକିଆରେ ଅଧିନାୟକ ଟାଇଟଲ୍ ତାଙ୍କ ପାଖରେ ନାହିଁ । ଏବେ ଦିନିକିଆରେ ଅଧିନାୟକ ଯୁବ କ୍ରିକେଟର ଶୁଭମନ ଗିଲ୍ । ରୋହିତ ଶର୍ମା ଭାରତୀୟ କ୍ରିକେଟରେ ସଫଳତମ ଅଧିନାୟକଙ୍କ ମଧ୍ୟରୁ ଜଣେ । ତାଙ୍କ ନେତୃତ୍ବରେ ଭାରତ ଟି-୨୦ ବିଶ୍ବକପ୍-୨୦୨୪ ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି-୨୦୨୫ ଜିଥିଲା। କିନ୍ତୁ ୨୦୨୩ରେ ଦିନିକିଆ ବିଶ୍ବକପରେ ଲଗାତାର ବିଜୟ ପରେ ମଧ୍ୟ ଫାଇନାଲରେ ପରାସ୍ତ ହୋଇଥିଲା ଭାରତୀୟ ଦଳ । ଏହା ପରଠାରୁ ରୋହିତ ଏବଂ ବିରାଟ ୨୦୨୭ ବିଶ୍ବକପ୍ ପାଇଁ ନିଜକୁ ପ୍ରସ୍ତୁତ କରିଚାଲିଛନ୍ତି ।

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇଦେବାକୁ ନେଇ ବିସିସିଆଇ ନିଷ୍ପତ୍ତିରେ ଖେଳପ୍ରେମୀ ଖୁସି ନାହାନ୍ତି । ଖୋଦ ରୋହିତ ଶର୍ମା ମଧ୍ୟ ଅସନ୍ତୋଷ ଥିବା କୁହାଯାଏ । ଏହା ପରେ ବି ସେ ଦିନିକିଆରେ ଲଗାତାର ଭଲ ପ୍ରଦର୍ଶନ କରୁଛନ୍ତି । ଜାନୁଆରୀ ୧୧ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜରେ ମଧ୍ୟ ନଜର ଆସିବେ ରୋହିତ ଶର୍ମା । ଭବିଷ୍ୟତରେ ହୁଏତ ରୋହିତଙ୍କୁ ଅଧିନାୟକ କରାଯାଇପାରେ ବୋଲି ଆଶାବାଦୀ ଖେଳପ୍ରେମୀ । ଏହାରି ମଧ୍ୟରେ ରୋହିତଙ୍କୁ ଭରା ମଞ୍ଚରେ ‘ଅଧିନାୟକ’ ସମ୍ବୋଧନ କରି ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ ।