ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବଲିଉଡ ତଡକା! କମଲା ହ୍ୟାରିସଙ୍କ ଲାଗି ଗୀତ ରେକର୍ଡ କଲେ ଏ.ଆର. ରହମାନ

Published By : Prameya-News7 Bureau | October 12, 2024 IST

ୱାସିଂଟନ ୧୧।୧୦: ଭାରତର ପ୍ରଶିଦ୍ଧ ସଙ୍ଗୀତକାର ଏ.ଆର. ରହମାନ ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହ୍ୟାରିସ୍ ଙ୍କ ସମର୍ଥନରେ ତାଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ୩୦ ମିନିଟର ଏକ ଭିଡିଓ ରେକର୍ଡ କରିଛନ୍ତି। ଯାହା ଦ୍ୱାରା ୫ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଲା ହ୍ୟାରିସଙ୍କ ପ୍ରଚାର ଅଭିଯାନକୁ ବେଶ ସହାୟତା ମିଳିବ ବୋଲି ଅନୁମାନ କରାଯାଉଛି। ରହମାନ (୫୭) ଦକ୍ଷିଣ ଏସିୟାର ପ୍ରଥମ ଏପରି କଳାକାର ଯିଏ ଭାରତୀୟ-ଆଫ୍ରିକୀୟ ମୂଳ ନେତ୍ରୀଙ୍କୁ ନିର୍ବାଚନରେ ସମର୍ଥନ କରିଛନ୍ତି। 

‘ଏସିୟାନ ଆମେରିକାନ ପେସିଫିକ୍ ଆଇଲ୍ୟାଣ୍ଡର୍ସ (ଏଏପିଆଇ) ଭିକ୍ଟ୍ରି ଫଣ୍ଡ’ ଅଧ୍ୟକ୍ଷ ଶେଖର ନରସିମହନ କହିଛନ୍ତି ଯେ ଏହି ପ୍ରସ୍ତୁତି ସହିତ ଏ.ଆର.ରହମାନ  ସେହି ନେତା ଓ କଳାକାରଙ୍କ ସମୂହରେ ସାମିଲ ହୋଇଯାଇଛନ୍ତି ଯେଉଁମାନେ ଆମେରିକାର ପ୍ରଗତି ଓ ପ୍ରତନିଧିତ୍ୱକୁ ସମର୍ଥନ କରୁଛନ୍ତି। ସେ କହିଛନ୍ତି ଏହା କେବଳ ଏକ ସଙ୍ଗୀତ କାର୍ଯ୍ୟକ୍ରମ ନୁହେଁ ଏହା ଆହୁରି ଅଧିକ। ଏହା ଆମ ସମୂଦାୟ ପାଇଁ କାର୍ଯ୍ୟାନୁଷ୍ଠାନର ଏକ ଆହ୍ୱାନ। 


ଏହା ପୂର୍ବରୁ ଏଏପିଆଇ ଭିକ୍ଟ୍ରି ଫଣ୍ଡ ଘୋଷଣା କରିଥିଲା ଯେ ବିଶ୍ୱବିକ୍ଷାତ ଭାରତୀୟ ସଙ୍ଗୀତକାର ତଥା ଗାୟକ ରହମାନ ହ୍ୟାରିସଙ୍କ ୨୦୨୪ରାଷ୍ଟ୍ରପତି ଅଭିଯାନ ସମର୍ଥନରେ ୩୦ ମିନିଟ୍‌ର ବିଶେଷ ଭିଡିଓ ରେକର୍ଡ କରିଛନ୍ତି। ଏହି ଭିଡିଓକୁ ଏଏପିଆଇ ଭିକ୍ଟ୍ରି ଫଣ୍ଡ ପକ୍ଷରୁ ୟୁ ଟ୍ୟୁବରେ ଅକ୍ଟୋବର ୧୩ରେ ପ୍ରସାରଣ କରାଯିବ। 


ଏକ ଗଣମାଧ୍ୟମ ବିଜ୍ଞପ୍ତିରେ କୁହାଯାଇଛି ଯେ ୩୦ ମିନିଟର ଏହି ଭିଡିଓରେ ରହମାନଙ୍କ କେତେକ ପସନ୍ଦର ଗୀତ ସାମିଲ ହୋଇଛି। ଏହି ଗୀତଗୁଡିକରେ କମଲା ହ୍ୟାରିସଙ୍କ ଐତିହାସିକ ପ୍ରାର୍ଥୀତ୍ୱ ଓ ଏଏପିଆଇ ସମୂଦାୟ ପ୍ରତି ସଂକଳ୍ପର ଆଲୋକପାତ କରୁଥିବା ବାର୍ତ୍ତା ବି ସାମିଲ ହେବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.