ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ଏହି ଦିନ ଘୋଷଣା ହେବ ଚମ୍ପିଆନ୍ସ ଟ୍ରଫି ଲାଗି ଇଣ୍ଡିଆନ୍‌ ଟିମ୍‌...

Published By : Prameya-News7 Bureau | January 13, 2025 IST

ମୁମ୍ବାଇ ୧୩।୦୧ : ଆସନ୍ତା ମାସରୁ ପାକିସ୍ତାନରେ ହେବାକୁ ଯାଉଛି ଚମ୍ପିଆନ୍‌ ଟ୍ରଫି ୨୦୨୫ । ଏଥିପାଇଁ ଅଧିକାଂଶ ବୋର୍ଡ ନିଜ ନିଜର ଟିମ୍‌ ଘୋଷଣା କରିସାରିଲେଣି । ହେଲେ ବର୍ତ୍ତମାନ ଯାଏଁ ବିସିସିଆଇ ପକ୍ଷରୁ କୌଣସି ଟିମ୍‌ ଘୋଷଣା ହୋଇନାହିଁ । ଟିମ୍‌ ଘୋଷଣା ପାଇଁ ଶେଷ ତାରିଖ ଥିଲା ୧୨, ହେଲେ ବିସିସିଆଇ ଟିମ୍‌ ଘୋଷଣା ପାଇଁ ଆଇସିସି ନିକଟରେ ଅଧିକ ସମୟ ଦାବି କରିଛି ।ତାପରେ ବି ବୋର୍ଡ ପକ୍ଷରୁ କୌଣସି ଟିମ୍‌ ଘୋଷଣା ହୋଇନାହିଁ । ତେବେ ଏବେ ଚମ୍ପିଆନ୍ସ ଟିମ୍‌ ଘୋଷଣା ନେଇ ତାଜା ଅପ୍‌ଡେଟ୍‌ ସାମ୍ନାକୁ ଆସିଛି । 

ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲାଙ୍କ ଏକ ବୟାନ ଅନୁସାରେ, ଚମ୍ପିଆନ୍ସ ଟ୍ରଫି ପାଇଁ ଟିମ୍‌ ଇଣ୍ଡିଆର ଘୋଷଣା ଖୁବଶୀଘ୍ର ହେବ । ଆସନ୍ତା ୧୮ କିମ୍ବା ୧୯ ତାରିଖରେ ୧୫ ଜଣିଆ ଟିମ୍‌ ଘୋଷଣା ହୋଇପାରେ । 

ତେବେ ଦିନିକିଆ ଟିମ୍‌ର ଅଧିନାୟକ କିଏ ରହିବ । ସେନେଇ ମଧ୍ୟ ସସ୍‌ପେନ୍ସ ରହିଛି । ଯଦି ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଏ, ତେବେ ତାଙ୍କ ବଦଳରେ କିଏ ଅଧିନାୟକ ହେବ । ସେନେଇ କୌଣସି ସୂଚନା ମିଳିନାହିଁ । ସେପଟେ ବିସିସିଆଇ ସହିତ ବସିଥିବା ରିଭ୍ୟୁ ମିଟିଂରେ ରୋହିତ ଶର୍ମା ଆଗାମୀ ଚମ୍ପିଆନ୍ସ ଟ୍ରଫି ଯାଏଁ ଅଧିନାୟକ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହାସହିତ ଏହି ସମୟରେ ବୋର୍ଡ ନୂତନ ଅଧିନାୟକର ସନ୍ଧାନ ଜାରି ରଖୁ । ଯଦି ବୋର୍ଡକୁ ଆଗାମୀ ଦିନରେ ଅଧିନାୟକ ପଦ ପାଇଁ ସଠିକ୍‌ ଖେଳାଳି ମିଳିଯିବ । ତେବେ ସେ ଅଧିନାୟକ ପଦ ଛାଡିଦେବେ ବୋଲି କହିଥିବା ସୂଚନା ମିଳିଛି । 

ତେବେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଏବଂ ଚମ୍ପିଆନ୍ସ ଟ୍ରଫି ଲାଗି ଏକାସାଙ୍ଗେ ଟିମ୍‌ର ଘୋଷଣା ହୋଇପାରେ । ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଦିନିକିଆ ଟିମ୍‌ରେ ସାମିଲ କରାଯାଇପାରେ । ଏହାସହିତ ଉଭୟଙ୍କ ଆଗାମୀ ଭବିଷ୍ୟତ ଉପରେ ମଧ୍ୟ ବିସିସିଆଇ କଡ଼ା ନଜର ରଖିଛି । ଯଦି ଉଭୟ ଚମ୍ପିଆନ୍ସ ଟ୍ରଫି ଏବଂ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଭଲ ପ୍ରଦର୍ଶନ କରନ୍ତି । ତେବେ କୌଣସି ବିବାଦ ହେବ ନାହିଁ, ହେଲେ ଯଦି ଉଭୟ ନିଜର ଖରାପ ପ୍ରଦର୍ଶନ ଜାରି ରଖିବେ । ଆଗାମୀ ଦିନରେ ଦଳରେ ସାମିଲ କରିବା ସିଲେକ୍ଟରଙ୍କ ପକ୍ଷେ ଅସମ୍ଭବ ରହିପାରେ । 

ଫେବୃଆରୀ ୧୯ ତାରିଖରୁ ପାକିସ୍ତାନ ଏବଂ ଦୁବାଇରେ ଆରମ୍ଭ ହେବାକୁ ଯାଉଛି ଚମ୍ପିଆନ୍ସ ଟ୍ରଫି ୨୦୨୫। ଭାରତର ଅଭିଯାନ ଫେବୃଆରୀ ୨୦ରୁ ଆରମ୍ଭ ହେବ। ଦୁବାଇରେ ବାଂଲାଦେଶ ସହିତ ଭାରତର ମୁକାବିଲା ରହିଛି। ଏହାପରେ୨୩ରେ ଭାରତ-ପାକିସ୍ତାନ ଟକ୍କର । ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ମୁକାବିଲା ରହିଛି। 

Vijay Hazare Trophy: କରୁଣ ନାୟାରଙ୍କ ଧମାକା, ୬ଟି ଇଂନିସ ଖେଳି ୫ ଶତକ

  • BCCI
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.