ନୂଆଦିଲ୍ଲୀ,୦୧/୧୨: ଭାରତରେ ମଧ୍ୟବିତ୍ତବର୍ଗ ଦୁର୍ବଳ ହେଉଛନ୍ତି । ସେମାନଙ୍କ ଆର୍ଥିକ ସ୍ଥିତି ବର୍ତ୍ତମାନ ବିଗିଡ଼ିବାରେ ଲାଗିଛି । ଅନେକ ଅର୍ଥନୈତିକ ସମସ୍ୟା ମଧ୍ୟରେ ଛନ୍ଦି ହୋଇଯାଇଛି ମଧ୍ୟବିତ୍ତ ଶ୍ରେଣୀ । ଏହା ସେମାନଙ୍କ ଖର୍ଚ୍ଚ ପାଟର୍ଣ୍ଣକୁ ପ୍ରଭାବିତ କରିଥିବା ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି ।
ମାର୍ସେଲସ୍ ଇନ୍ଭେଷ୍ଟ୍ମେଣ୍ଟ ମ୍ୟାନେଜର୍ସ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁସାରେ, ତିନୋଟି ପ୍ରମୁଖ କାରକ ଯୋଗୁ ଦେଶର ମଧ୍ୟବିତ୍ତବର୍ଗଙ୍କ ସ୍ଥିତି ବିଗୁଡୁଛି । ତାହା ହେଲା ପ୍ରଯୁକ୍ତିଗତ ବାଧା, ଚକ୍ରବର୍ତ୍ତୀ ଅର୍ଥନୈତିକ ଅବନ୍ନତି ଏବଂ ନିମ୍ନମୁଖୀ ପାରିବାରିକ ବାଲାନ୍ସ ସିଟ୍ ।
ରୁଟିନ୍ ନିଯୁକ୍ତି, ଯାହାକି ଏକଦା ମଧ୍ୟବିତ୍ତଙ୍କ ନିଯୁକ୍ତି କ୍ଷେତ୍ରରେ ମେରୁଦଣ୍ଡ ପାଲଟିଥିଲା, ତାହାର ସ୍ଥାନ ନେଇଛି ଅଟୋମେଶନ୍ ଏବଂ ଟେକ୍ନୋଲୋଜି । ରିପୋର୍ଟ ଅନୁସାରେ, ଅଟୋମେଶନ ଏବଂ ଟେକ୍ନୋଲୋଜି ଯୋଗୁ ଅଫିସ୍ ଏବଂ କାରଖାନାଗୁଡ଼ିକରେ କ୍ଲରିକାଲ ଓ ସୁପର୍ଭାଇଜରୀ ଜବ୍ ସଂଖ୍ୟାରେ ବୃହତ୍ ହ୍ରାସ ଦେଖିବାକୁ ମିଳିଛି ।
ଜାତୀୟ ପରିସଂଖ୍ୟାନ ଆୟୋଗର ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ପି.ସି. ମୋହନ କୁହନ୍ତି, ଆଉଟ୍ସୋର୍ସିଂ ଏବଂ ଅଟୋମେଶନ ଭଳି କେତେକ ଖର୍ଚ୍ଚକାଟ ଅଭିଯାନ ଯୋଗୁ କର୍ମସ୍ଥଳରେ ଅନେକ ପରିଚାଳନାଗତ ପଦବୀ ଉଭାନ ହୋଇଗଲାଣି । ଏହାକୁ ସମର୍ଥନ କରି ୱିପ୍ରୋ ଅଧ୍ୟକ୍ଷ ରିଷଦ୍ ପ୍ରେମ୍ଜୀ କହିଛନ୍ତି ଯେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ଯୋଗୁ ଆଗକୁ କିଛି ନିଯୁକ୍ତି ଉଭାନ ହୋଇଯିବ । ହ୍ୱାଇଟ୍-କୋଲାର ଜବ୍ ପ୍ରତି ବିପଦ ସୃଷ୍ଟି ହେବ ।
ରିପୋର୍ଟ ଅନୁସାରେ, ଭାରତର କୋଭିଡ୍-ପରବର୍ତ୍ତୀ ଅଭିବୃଦ୍ଧି ମନ୍ଥର ହୋଇଛି । ଏହା ଅର୍ଥନୀତିକୁ ଚକ୍ରବର୍ତ୍ତୀ ଅର୍ଥନୈତିକ ଅବନତି ଆଡ଼କୁ ଠେଲିଦେଇଛି । ୨୦୨୪-୨୫ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୟମାସରେ କମ୍ପାନିଗୁଡ଼ିକର ଆୟ ଦୁଇ ଦଶନ୍ଧିରେ ସବୁଠାରୁ ଅଧିକ ଖସିଛି । ମୁକ୍ତ ବଜାର ଅର୍ଥନୀତିରେ ଏଭଳି ଅବନତି ସାଧାରଣ ହୋଇଥିବାବେଳେ ମଧ୍ୟବିତ୍ତ ବର୍ଗଙ୍କ ଉପରେ ଏହାର ପ୍ରଭାବ ଭୟଙ୍କର ରହିଥାଏ । ସେମାନଙ୍କ ବ୍ୟୟକୁ ସଂକୁଚିତ କରିଥାଏ ।
ବର୍ଦ୍ଧିତ ପାରିବାରିକ ଋଣ ସ୍ଥିତିକୁ ଆହୁରି ବିକୃତ କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ଅନୁସାରେ, ଜିଡିପିରେ ନେଟ୍ ପାରିବାରିକ ସଞ୍ଚୟ ୫୦ ବର୍ଷର ସର୍ବନିମ୍ନ ସ୍ତରରେ ଅଛି । ଅସୁରକ୍ଷିତ ଋଣ ନେଟ୍ ସଞ୍ଚୟକୁ ଖସାଇଛି । ଫଳରେ ପରିବାରଗୁଡ଼ିକର ସଞ୍ଚୟ ହ୍ରାସ ପାଇଛି ।