ନୂଆଦିଲ୍ଲୀ ୧୮।୪: ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ଗଗନଯାନ ମାଇଲଷ୍ଟୋନ ସାବ୍ୟସ୍ତ ହେବ। ଏହି ଯାତ୍ରାର ସମୟସୀମା ଘୋଷଣା କରି କେନ୍ଦ୍ର ସରକାର କହିଛନ୍ତି ଯେ ଗଗନ ଯାତ୍ରୀ ଅର୍ଥାତ ମହାକାଶ ଯାତ୍ରୀ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଆସନ୍ତା ମାସ (ମେ ମାସ)ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍) ଉଦ୍ଦେଶ୍ୟରେ ଯାତ୍ରା କରିବେ। କେନ୍ଦ୍ରୀୟ ମହାକାଶ ଓ ପ୍ରଯୁକ୍ତି ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ‘ଆଗାମୀ ମାସରେ ଜଣେ ଭାରତୀୟ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ମିସନ ନିର୍ଦ୍ଧାରିତ ହୋଇଛି,ଏଣୁ ଭାରତ ନିଜର ମହାକାଶ ଯାତ୍ରାରେ ଏକ ନିର୍ଣ୍ଣାୟକ ଅଧ୍ୟାୟ ଲେଖିବାକୁ ପ୍ରସ୍ତୁତ। ଇସ୍ରୋ ନୂଆ ସୀମା ନିର୍ଦ୍ଧାରଣ କରିବା ସହିତ ଜଣେ ଭାରତୀୟ ମହାକାଶ ଯାତ୍ରୀଙ୍କୁ ମହାକାଶ ମିସନରେ ପଠାଇବାକୁ ପ୍ରସ୍ତୁତ। ’ ଏଥିପାଇଁ ଗତ ୮ ମାସ ହେଲା ନାସା ଓ ଘରୋଇ ଅନ୍ତରୀକ୍ଷ କମ୍ପାନୀ ଏକ୍ସିଓମ ସ୍ପେସ୍ ସହିତ ପ୍ରଶିକ୍ଷଣ ନେଉଥିବା ଗ୍ରୁପ କ୍ୟାପ୍ଟେନ ଶୁକ୍ଳା ଏକ ଘରୋଇ ବାଣିଜ୍ୟିକ ମିସନରେ ଆଇଏସଏସ ନିମନ୍ତେ ଉଡାଣ କରିବାକୁ ଯାଉଛନ୍ତି।
ଏଥି ଲାଗି ଭାରତ ୬୦ ନିୟୁତ ଡଲାରରୁ ଅଧିକ ପୈଠ କରିଛି। ଏହି ମିସନକୁ ସ୍ପେସ୍-ଏକ୍ସ ଫାଲକନ ୯ ରକେଟ ଦ୍ୱାରା ଲଞ୍ଚ କରାଯିବ ଓ ୪ ଜଣିଆ ଏକ ଦଳ ସ୍ପେସ୍-ଏକ୍ସ କ୍ରୁ ଡ୍ରାଗନ କ୍ୟାପସୁଲରେ ବସିବ। ଏହା ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍ ଷ୍ଟେସନରୁ ଉଡାଣ କରିବ।
ଲକ୍ଷ୍ନୌର ବାସିନ୍ଦା ଶୁଭାଂଶୁ ଶୁକ୍ଲାଙ୍କ ବୟସ ୪୦ ବର୍ଷ ଓ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ତାଙ୍କୁ ଏହି ମିସନ ଲାଗି ସବୁଠୁ ଯୁବ ମହାକାଶ ଯାତ୍ରୀ ରୂପେ ଚୟନ କରିଛି। ଏକ୍ସିଓମ-୪ମିସନ କମାଣ୍ଡର ନାସାର ପୂର୍ବତନ ମହାକାଶ ଯାତ୍ରୀ ପେଗୀ ହ୍ୱିଟସନ ରହିବେ। ଅନ୍ୟ ଦୁଇ ଜଣ କ୍ରୁ ମେମ୍ବରଙ୍କ ମଧ୍ୟରେ ପୋଲାଣ୍ଡର ସ୍ଲାଭୋଜ ଉଜନାସ୍କି ଓ ହଙ୍ଗେରୀର ଟିବୋର କାପୁ ଅଛନ୍ତି। ଗ୍ରୁପ କ୍ୟାପ୍ଟେନ ଶୁକ୍ଳା ମିସନରେ ପାଇଲଟ ଭୂମିକା ନିର୍ବାହ କରିବେ।