ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଇଣ୍ଡି ମେଣ୍ଟ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛିି। ମେଣ୍ଟ ନିର୍ବାଚନୀ ଇସ୍ତାହାରରେ ରାଜ୍ୟର ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି। ଏହା ସହିତ ରାଜ୍ୟରେ ୪୫୦ ଟଙ୍କାରେ ସିଲିଣ୍ଡର ଓ ସରନା ଧର୍ମ କୋଡ ଲାଗୁ କରିବାକୁ କଥା ଦେଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। କଂଗ୍ରେସ, ଜେଏମଏମ, ଆରଜେଡି ଓ ସିପିଆଇ-ଏମ ପକ୍ଷରୁ ରାଞ୍ଚିରେ ଯୁଗ୍ମ ଭାବେ ଜାରି ଇସ୍ତାହାରରେ ୭ ପ୍ରମୁଖ ପ୍ରତିଶ୍ରୁତି ଦିଆଯାଇଛି। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ମେଣ୍ଟର ସବୁ ବଡ଼ ନେତା ଉପସ୍ଥିତ ଥିଲେ।
୭ ପ୍ରମୁଖ ପ୍ରତିଶ୍ରୁତି
୧ – ପ୍ରତି ମାସରେ ବ୍ୟକ୍ତି ପିଛା ୭ କିଲୋ ମାଗଣା ରାସନ, ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର।
୨ – ସରକାରୀ ଚାକିରିରେ ଏସଟି ୨୮ ପ୍ରତିଶତ, ଏସସି ୧୨ ପ୍ରତିଶତ, ଓବିସି ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା।
୩ – ମହିଳାଙ୍କୁ ମାସିକ ୨୫୦୦ ଟଙ୍କା।
୪ – ସରନା ଧର୍ମ କୋଡ୍।
୫ – ୧୦ ଲକ୍ଷ ସରକାରୀ ଚାକିରି, ୧୫ ଲକ୍ଷର ସ୍ଵାସ୍ଥ୍ୟ ବୀମା।
୬ – ଧାନ ଏମଏସପି କ୍ଵିଣ୍ଟାଲ ପିଛା ୩୨୦୦ ଟଙ୍କା।
୭ – ପ୍ରତି ଜିଲ୍ଲାରେ ଗୋଟିଏ ଇଞ୍ଜିନିୟରିଂ କଲେଜ୍, ମେଡିକାଲ୍ କଲେଜ ଓ ୟୁନିଭର୍ସିଟି।
କେତେ ସିଟରେ ନିର୍ବାଚନ ଲଢୁଛି କଂଗ୍ରେସ
ଝାଡ଼ଖଣ୍ଡରେ କଂଗ୍ରେସ, ଜେଏମଏମ ଓ ଆରଜେଡି ଏକତ୍ର ମିଶି ନିର୍ବାଚନ ଲଢୁଛନ୍ତି। ରାଜ୍ୟର ମୋଟ୍ ୮୧ ବିଧାନସଭା ଆସନରୁ କଂଗ୍ରେସ ୩୦ ଟି ଆସନରେ ନିର୍ବାଚନ ଲଢୁଥିବା ବେଳେ ଜେଏମଏମ ୪୦ ଓ ଆରଜେଡି ୭ ସିଟରେ ନିର୍ବାଚନ ଲଢୁଛି। ଏଠାରେ ଇଣ୍ଡି ମେଣ୍ଟ ଓ ଏନଡିଏ ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି। ବର୍ତ୍ତମାନ ରାଜ୍ୟରେ ଜେଏମଏମ ନେତୃତ୍ଵରେ ଇଣ୍ଡି ମେଣ୍ଟ ସରକାରରେ ରହିଛି।