ସଂଭଲରେ ପୁଣି ଚାଲୁହେଲା ଇଣ୍ଟରନେଟ୍, ୫ ଦିନ ପରେ ମିଳିଲା ଆଶ୍ୱସ୍ତି

Published By : Prameya-News7 Bureau | November 29, 2024 IST

ସଂଭଲ ୨୯।୧୧: ଶାହୀ ଜାମା ମସଜିଦ୍ ସର୍ଭେକ୍ଷଣକୁ ନେଇ ହୋଇଥିବା ହିଂସା ପରେ ନିଷିଦ୍ଧ ଇଣ୍ଟରନେଟ୍ ସେବା ପୁଣି ଶୁକ୍ରବାର ଚାଲୁ ହୋଇଛି। ଫଳରେ ୫ ଦିନ ପରେ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। କୁହାଯାଉଛି ସବୁଠୁ ଚ୍ୟାଲେଞ୍ଜିଂ ‘ଜୁମେ କି ନମାଜ’ ଶାନ୍ତିପୂର୍ଣ୍ଣ ଶେଷ ହେବା ପରେ ପ୍ରଶାସନ ଇଣ୍ଟରନେଟ୍ ସେବା ସ୍ୱଭାବିକ କରିବାକୁ ନିଷ୍ପତ୍ତି ନେଇଛି। ସଂଭଲ ଜିଲ୍ଲା ସୂଚନା ଅଧିକାରୀ ବୃଜେଶ କୁମାର କହିଛନ୍ତି ଯେ ଶୁକ୍ରବାର ଅପରାହ୍ନ ୪ଟାରୁ ଇଣ୍ଟରନେଟ୍ ସେବା ସ୍ୱଭାବିକ ହୋଇଯାଇଛି। 

ହିଂସାର କେନ୍ଦ୍ର ଥିବା ମହଲା ଓ ଶାହୀ ଜାମା ମସଜିଦ୍ ସମେତ ଅନ୍ୟ ସ୍ଥାନରେ ଶୁକ୍ରବାର ନମାଜ ଶାନ୍ତିପୂର୍ଣ୍ଣ ଶେଷ ହେବା ପରେ ଇଣ୍ଟରନେଟ୍ ସ୍ୱଭାବିକ କରିବାକୁ ପଦକ୍ଷେପ ନିଆଯାଇଛି। ମୋଗଲକାଳୀନ ମସଜିଦର ସର୍ଭେ ହେବା ପରେ ଏହି ଜିଲ୍ଲାରେ ହିଂସା ହୋଇଥିଲା। ଏହି ହିଂସାରେ ୪ ଜଣ ଯୁବକ ପ୍ରାଣ ହରାଇଛନ୍ତି। ଏହାକୁ ନଜରରେ ରଖି ଶୁକ୍ରବାର ନମାଜ ପୂର୍ବରୁ ଜିଲ୍ଲା ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ଜାମା ମସଜିଦରେ ଏକତ୍ରୀତ ହେବା ବଦଳେ ଆଖପାଖର ମସଜିଦମାନଙ୍କରେ ନମାଜ କରିବାକୁ କୁହାଯାଇଥିଲା। 

ଏହା ସହିତ ପରିସ୍ଥିତି ଉପରେ ନଜର ରଖିବାକୁ ଅତିରିକ୍ତ ସିସିଟିଭି କ୍ୟାମେରା ଲଗାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ କୌଣସି ପ୍ରକାରର ଅପ୍ରିୟ ଘଟଣା ଟାଳିବା ପାଇଁ ତଥା ନଜର ରଖିବା ଲାଗି ଡ୍ରୋନ ସହାୟତା ମଧ୍ୟ ନିଆଯାଇଥିଲା। ତେବେ କେବଳ ସଂଭଲ ନୁହେଁ ଶୁକ୍ରବାର ସମ୍ପୂର୍ଣ୍ଣ ମୁରାଦାବାଦ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ନମାଜ ହୋଇଛି। ନମାଜ ପୂର୍ବରୁ ଜାମା ମସଜିଦ ଆଖପାଖରେ ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଥିଲା। 

ଶାହୀ ଜାମା ମସଜିଦ ସଂଭଲର ଅଧ୍ୟକ୍ଷ ଜଫର ଅଲ୍ଲୀ କହିଛନ୍ତି ଯେ ପୋଲିସ ଓ ପ୍ରଶାସନ ଦ୍ୱାରା ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷା ଉଦ୍ଦେଶ୍ୟରେ ସୁରକ୍ଷାର ପୁରା ବ୍ୟବସ୍ଥା କରାଯାଇଥିଲା। ମସଜିଦ କମିଟି ମଧ୍ୟ ପ୍ରଶାସନ ସହ ସମ୍ପର୍କ ରଖି କାମ କରୁଛି। ଯାହା ଦ୍ୱାରା ସବୁ ଶାନ୍ତିପୂର୍ବକ ହୋଇ ପାରିବ। ସେ କହିଛନ୍ତି ଯେ କମିଟି ଦ୍ୱାରା ଲୋକଙ୍କୁ ନିଜ ପାଖାପାଖି ଅଞ୍ଚଳର ମସଜିଦମାନଙ୍କରେ ନାମଜ କରିବା ପାଇଁ ଅପିଲ କରାଯାଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.