ଲକ୍ଷ୍ନୌ : ଗତ ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହରାଇଥିଲା। ଏଣୁ ବିଜେପିକୁ କେନ୍ଦ୍ରରେ ମେଣ୍ଟର ସାହାରା ନେବାକୁ ପଡିଲା। ବିଜେପିକୁ ଉତ୍ତରପ୍ରଦେଶ (ୟୁପି)ରେ ସବୁଠୁ ବଡ଼ ଝଟକା ଲାଗିଥିଲା, ଯେଉଁଠି ଅଖିଳେଶଙ୍କ ସମାଜବାଦୀ ପାର୍ଟି ନିର୍ବାଚନରେ ୧ ନମ୍ବର ପାର୍ଟି ଭାବେ ଉଭା ହୋଇଥିଲା। ୟୁପିରେ ସମସ୍ତ ୮୦ଟି ଜାକ ଆସନ ଜିତିବ ବୋଲି ଦାବି କରୁଥିବା ବିଜେପିକୁ ମାତ୍ର ୩୩ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏ ସବୁ ମଧ୍ୟରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ୟୁପିରେ ଯୋଗୀ ଆଦିତ୍ୟ ନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବ।
ଗତ ସାଧାରଣ ନିର୍ବାଚନ କାଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏହି ଦାବି କରୁଥିଲେ। ଏବେ ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହଟାଇବା ପାଇଁ ଅଟକଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏବେ ଏକ ତାଜା ସର୍ଭେରେ ଜନତାଙ୍କଠାରୁ ଏ ସମ୍ପର୍କରେ ଜାଣିବାକୁ ଉଦ୍ୟମ କରାଯାଇଥିଲା। ସି-ଭୋଟର ସର୍ଭେରେ ଲୋକଙ୍କୁ ଅନେକ ପ୍ରଶ୍ନ କରାଯାଇଥିଲା। ଏଥିରେ ଏପରି ଏକ ପ୍ରଶ୍ନ ଥିଲା ବିଜେପି ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହଟାଇବାକୁ ଯୋଜନା କରୁଛି କି? ୪୨ ପ୍ରତିଶତ ଲୋକେ ଏହାର ଜବାବ ହଁ ରେ ଦେଇଛନ୍ତି।
ଏହା ବ୍ୟତୀତ ୨୮.୬ ପ୍ରତିଶତ ଲୋକେ ଏହା କେବଳ ଚର୍ଚ୍ଚାରେ ଥିବା କଥା କହିଥିବା ବେଳେ ୨୦ ପ୍ରତିଶତ ଲୋକେ ନାଁରେ ଜବାବ ଦେଇଛନ୍ତି। ଅର୍ଥାତ ସବୁଠୁ ଅଧିକ ଲୋକେ ହଁ ୟୁପିରେ ମୁଖ୍ୟମନ୍ତ୍ରୀଙ୍କୁ ହଟାଇବା ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି। ଏହି ସର୍ଭେରେ ଏହା ବି ପଚରା ଯାଇଥିଲା ଯେ ବିଜେପିକୁ ୟୁପିରେ ସବୁଠୁ ଅଧିକ କ୍ଷତି କେଉଁ କାରଣରୁ ହୋଇଛି?ଏହା ଉପରେ ସବୁଠୁ ଅଧିକ ଲୋକେ (୪୯.୩ ପ୍ରତିଶତ) ବେକାରୀ ଓ ମୂଲ୍ୟବୃଦ୍ଧିକୁ ଦାୟି କରିଛନ୍ତି।
ସେହିପରି ଅଯୋଧ୍ୟା ଅର୍ଥାତ ଫୈଜାବାଦ ଲୋକସଭା ଆସନରେ ବିଜେପି କାହିଁକି ହାରିଲା ପ୍ରଶ୍ନର ଉତ୍ତରରେ ୨୮ ପ୍ରତିଶତ ଲୋକେ ଓବିସି ଓ ଦଳିତଙ୍କ ଅସନ୍ତୋଷକୁ କାରଣ ବୋଲି କହିଛନ୍ତି। ସର୍ଭେରେ ଆଉ ଏକ ପ୍ରଶ୍ନ ମଧ୍ୟ କରାଯାଇଥିଲା। ୟୁପିରେ ବିଜେପିର ଏପରି କ୍ଷତି ପଛରେ କିଏ ଦାୟି? ଏହି ପ୍ରଶ୍ନର ଜବାବରେ ୨୮ ପ୍ରତିଶତ ଲୋକେ ରାଜ୍ୟର ନେତାଙ୍କୁ ଦାୟି କରିଥିବା ବେଳେ ୨୧ ପ୍ରତିଶତ ଲୋକେ କେନ୍ଦ୍ରୀୟ ନେତୃତ୍ୱକୁ ଦାୟି କରୁଛନ୍ତି। ଏଥିରେ ୧୮ ପ୍ରତିଶତ ଲୋକେ ପାର୍ଟି ସଙ୍ଗଠନକୁ ଦାୟି କରୁଛନ୍ତି।