ସାମାନ୍ୟ ମାଛ ପାଇଁ ଛାରଖାର ହେଉଛି ଲସଏଞ୍ଜେଲ୍ସ? ଜାଣନ୍ତୁ କ’ଣ ଅଭିଯୋଗ କରିଛନ୍ତି ଟ୍ରମ୍ପ

Published By : Prameya-News7 Bureau | January 12, 2025 IST

ୱାସିଂଟନ ୧୨।୧: ‘ଡେଲ୍ଟା ସ୍ମେଲ୍ଟ’ ନାମକ ଏକ ଦୁର୍ଲଭ ମତ୍ସ୍ୟ ପ୍ରଜାତି ଲସଏଞ୍ଜେଲସ୍ ସହର ବାହାରେ ଥିବା ଜଳାଶୟମାନଙ୍କରେ ଦେଖାଯାଆନ୍ତି। ଏଟିଏମ କାର୍ଡ ଆକାରର ଏହି ମାଛ ସ୍ୱଳ୍ପ ପାଣିର ଜଳଧାରାରେ ମିଳନ୍ତି। ଏହି ମାଛଙ୍କ ସଂରକ୍ଷଣ ନିମନ୍ତେ କାଲିଫର୍ଣ୍ଣିୟା ଗଭର୍ଣ୍ଣର ଗେଭିନ ନ୍ୟୁସମ କରିଥିବା ଏକ ସାମାନ୍ୟ ଭୁଲ ପାଇଁ ଆଜି ଲସଏଞ୍ଜେଲସ୍ ଛାରଖାର ହେଉଛି। ଏପରି ଅଭିଯୋଗ କରିଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। 

ଟ୍ରମ୍ପ କହିଛନ୍ତି ଯେ ଡେଲ୍ଟା ସ୍ମେଲ୍ଟ ମାଛ ଅଳ୍ପ ପାଣି ଥିବା ସ୍ଥାନରେ ମିଳନ୍ତି। ଲସଏଞ୍ଜେଲସ ସହର ବାହାରେ ଥିବା ଜଳାଶୟମାନଙ୍କରେ ଏପରି ମାଛ ପ୍ରଚୁର ମିଳନ୍ତି। ଏହି ମାଛଙ୍କୁ ବଞ୍ଚାଇବା ପାଇଁ ଗଭର୍ଣ୍ଣର ଗେଭିନ ନ୍ୟୁସମ ଲସଏଞ୍ଜେଲସର ଜଳାଶୟମାନଙ୍କୁ ନଦୀପାଣି ସ୍ଥାନାନ୍ତରିତ କରିବା ବୁଝାମଣାରେ ସ୍ୱାକ୍ଷର କରିନଥିଲେ। ତାଙ୍କର ଏହି ସାମାନ୍ୟ ଭୁଲ ଯୋଗୁ ଲସ୍ ଏଞ୍ଜେଲସର ଜଳାଶୟ ସବୁ ଶୁଷ୍କ ପଡିଥିବା ବେଳେ ଜଙ୍ଗଲ ନିଆଁ ସହରକୁ ଜାଳିପୋଡି ଛାରଖାର କରିଦେଇଛି। 

ଗେଭିନଙ୍କ ଏହି ନିଷ୍ପତ୍ତି ପାଇଁ ଆଜି ଲସଏଞ୍ଜେଲସ ସହରକୁ ଜଙ୍ଗଲ ନିଆଁରୁ ବଞ୍ଚାଇବା ପାଇଁ ଜଳର ଗୁରୁତର ସଂକଟ ଉପୁଜିଲା ବୋଲି ଟ୍ରମ୍ପ କହିଛନ୍ତି। ଏହି ନିଆଁକୁ ଏବେ ଅନ୍ତରୀକ୍ଷରୁ ବି ସ୍ପଷ୍ଟ ଦେଖି ହେଉଛି। ଏଥିରୁ ଏହା କେତେ ଭୟଙ୍କର ତାହା କଳ୍ପନା କରାଯାଇ ପାରେ ବୋଲି ଟ୍ରମ୍ପ କହିଛନ୍ତି। ଭୀଷଣ ବନାଗ୍ନିରେ ଲସଏଞ୍ଜେଲସ ସହର ଜଳିପୋଡି ଛାରଖାର ହେଉଛି। ପାଖାପାଖି ୧୦ ହଜାର ଘର ପୋଡି ଯାଇଥିବା ବେଳେ ୧୨.୯ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସ୍ୱାହା ହୋଇଯାଇଛି। ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ହେଲାଣି। 

ଲସଏଞ୍ଜେଲସର ପାଲିସେଡସ୍ ଓ ଏଟନ ଅଞ୍ଚଳରେ ପାଖାପାଖି ୩୫ ହଜାର ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁ ଧନୀ ଲୋକେ ଓ ହଲିଉଡ ଷ୍ଟାର୍ସ ସହର ଛାଡି ପଳାୟନ କରିଛନ୍ତି।  ସେମାନଙ୍କ ପଛେପଛେ ଚୋର ଲୁଟପାଟ ମଚେଇଛନ୍ତି। ଲସଏଞ୍ଜେଲସରୁ ଚୋରି କରୁଥିବା ପ୍ରାୟ ୨୦ ଜଣ ଚୋର ଏପର୍ଯ୍ୟନ୍ତ ଗିରଫ ହେଲେଣି। ଲସଏଞ୍ଜେଲସର ଏପରି ପରିସ୍ଥିତି ପାଇଁ ଏବେ ଡେଲ୍ଟା ସ୍ମେଲ୍ଟ ମାଛକୁ ଲୋକେ ଦାୟି କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.