ହମାସର ହମଲା, ଇସ୍ରାଏଲର ଆକ୍ସନ: ଯୁଦ୍ଧକୁ ବର୍ଷେ, ଇଏତ ଆରମ୍ଭ ମାତ୍ର...

Published By : Prameya-News7 Bureau | October 06, 2024 IST

ନୂଆଦିଲ୍ଲୀ: ୨୦୨୩ ମସିହା ଅକ୍ଟୋବର ୭ ତାରିଖ। ବିଶ୍ୱ ଦେଖିଥିଲା ଇତିହାସର ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ। ଇସ୍ରାଏଲର ସୁରକ୍ଷା ଗଡ଼ ଭାଙ୍ଗି ଧସେଇ ପଶିଥିଲେ ହମାସ ଆତଙ୍କୀ। ମିଶାଇଲ ମାଡ଼ରେ ଥରିଉଠିଥିଲା ଇସ୍ରାଏଲ ମାଟି।  ଏହି ଆକ୍ରମଣରେ ୧୨ ଶହରୁ ଅଧିକ ଇସ୍ରାଏଲୀୟଙ୍କ ହୋଇଥିଲା ମୃତ୍ୟୁ। ୨୦୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଥିଲା ହମାସ। ଅକ୍ଟୋବର ୭ର ଏହି ଘଟଣା ଏତିକିରେ ଅନ୍ତ ହୋଇନଥିଲା ବରଂ ଏଇଠୁ ଆରମ୍ଭ ହୋଇଥିଲା ମହାଯୁଦ୍ଧ। 

ଧିରେ ଧିରେ ଅଶାନ୍ତ ହେବାକୁ ଲାଗିଲା ମଧ୍ୟପ୍ରାଚ୍ୟ। ହମାସ ଠାରୁ ପ୍ରତିଶୋଧ ନେବାକୁ ଯାଇ ଯୁଦ୍ଧ ଘୋଷଣା କଲେ ଇସ୍ରାଏଲ ପିଏମ୍‌ ବେଞ୍ଜାମିନ ନେତାନ୍ୟାହୁ। ୨୭ ଅକ୍ଟୋବର ୨୦୨୩।  ସ୍ଥଳ ଭାଗରେ ଆକ୍ରମଣ ଆରମ୍ଭ କଲା ଇସ୍ରାଏଲ। ନଭେମ୍ବର ୧୫ ଗାଜାର ସର୍ବବୃହତ ହସ୍ପିଟାଲ ଅଲ ଶିଫା ହସ୍ପିଟାଲ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ ସେନା। ଚାହୁଁ ଚାହୁଁ ଧ୍ୱଂସ ଲୀଳା ରଚିଲା ଆଇଡିଏଫ। ମାଟିରେ ମିଶିଲା ଆତଙ୍କୀଙ୍କ ଆଡ୍ଡା।  ଛାରଖାର ହୋଇଗଲା ଧର୍ମାନୁଷ୍ଠାନ, ସ୍କୁଲ ଓ ହସ୍ପିଟାଲ। 

୨୪ ନଭେମ୍ବର ୨୦୨୩। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ଓ ବନ୍ଧକଙ୍କ ମୁକ୍ତି ନେଇ ଚୁକ୍ତି ହୋଇଥିଲା। ଇସ୍ରାଏଲ୍ କାରାଗାରରେ ଥିବା 240 ପାଲେଷ୍ଟାଇନୀୟଙ୍କ ବଦଳରେ ହମାସ୍ ୮୦ ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କରିଥିଲା। ହେଲେ ଯୁଦ୍ଧ ଶେଷ ହେବ କଣ ବରଂ  ଗାଜାର ଦକ୍ଷିଣରେ ବ୍ୟାପିବା ଆରମ୍ଭ କଲା। ଗାଜା ପଟ୍ଟି ଛାଡ଼ି ଚାଲିଯିବାକୁ ଆଡିଏଫ୍‌ର ଚେତାବନୀ ପରେ ବିସ୍ଥାପିତ ହେଲେ ୨୪ ଲକ୍ଷ ଲୋକ । ଆକାଶ, ମାଟି ପାତାଳ... ହମାସ ଆତଙ୍କୀକୁ ମୂଳପୋଛ କରିବା ପାଇଁ ସଂକଳ୍ପ ନେଇଥିଲେ ନେତାନ୍ୟାହୁ। ଟାର୍ଗେଟ୍‌ରେ ଥିଲେ ଟପ୍‌ ଲିଡର। ମାଟି ଭିତରେ ଥିବା ସିକ୍ରେଟ ସୁଡଙ୍ଗ ଭିତରେ ପ୍ରବେଶ କରି ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଲା ଇସ୍ରାଏଲ ସେନା।  

ଗାଜାରୁ ଆରମ୍ଭ ହୋଇଥିବା ଯୁଦ୍ଧର ଭୟାବହତା ମଧ୍ୟପ୍ରାଚ୍ୟକୁ ବ୍ୟାପିବାରେ ଲାଗିଲା। ଇସ୍ରାଏଲର ଏଭଳି ପଦକ୍ଷେପକୁ ନେଇ ଲେବାନନ, ଇରାନ୍‌ ଆକ୍ରମଣ ଆରମ୍ଭ କଲେ। ଦାମାସକସ ଥିବା କନସୁଲେଟ୍‌ ଉପରେ ଇସ୍ରାଏଲ ଆକ୍ରମଣ କଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଇରାନ ଏପ୍ରିଲ ୧୩ରେ, ଇରାନ ଶହ ଶହ ମିଶାଇଲ ଏବଂ ଡ୍ରୋନ୍ ସାହାଯ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ମେ ୭ରେ ଇସ୍ରାଏଲ୍ ସେନା ଗାଜାର ସହର ରାଫା ଉପରେ ହମଲା କରିଥିଲା। ଗୋଟିଏ ପରେ ଗୋଟିଏ ଶତ୍ରୁକୁ ନିପାତ କରିଚାଲୁଛି ଇସ୍ରାଏଲ। କିନ୍ତୁ ସେପଟେ ସୃଷ୍ଟି ହେଉଛନ୍ତି ଗୋଟିଏ ପରେ ଗୋଟିଏ ଆତଙ୍କୀ।

ଜୁଲାଇ ୧୩ରେ ଦକ୍ଷିଣ ଗାଜାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ହମାସର ସାମରିକ ୱିଙ୍ଗର ମୁଖ୍ୟ ମହମ୍ମଦ ଦେଫଙ୍କର ମୃତ୍ୟୁ ଘଟିଥିଲା। ହମାସ ଟପ୍‌ ଲିଡର ଇସ୍ମାଇଲ ହାନିୟେଙ୍କ ହତ୍ୟା ଯୋଜନା ଓ  ଇସ୍ରାଏଲର ଏୟାରଷ୍ଟ୍ରାଇକରେ ହେଜବୋଲ୍ଲା ମୁଖ୍ୟ ହାସନ ନସରାଲ୍ଲାହର ମୃତ୍ୟୁ ଯୁଦ୍ଧର ଭୟାବହତାକୁ ଆହୁରି ବଢ଼ାଇ ଦେଇଛି। ହେଜବୋଲ୍ଲାର ୬ ଟପ୍‌ ଲିଡରଙ୍କୁ ହତ୍ୟା କରିସାରିଛି ଇସ୍ରାଏଲ। ନସରାଲ୍ଲାହର ଉତ୍ତରାଧିକାରୀକୁ ହତ୍ୟା କରି ହେଜବୋଲ୍ଲା ସଂଗଠନକୁ ଦୁର୍ବଳ କରିଦେଇଛି ଇସ୍ରାଏଲ। କିନ୍ତୁ ଏହାପରେ ଆକ୍ରାମଣତ୍ମକ ସ୍ଥିତିକୁ ଇସ୍ରାଏଲର ପରମ ଶତ୍ରୁ ଇରାନ। ଏକାବେଳକେ ମାଡ଼ କରିଛି ୧୮୦ରୁ ଅଧିକ ବାଲିଷ୍ଟିକ ମିଶାଇଲ। ଆଗକୁ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଇରାନ ସୁପ୍ରିମ ଲିଡର।

ସେପଟେ ମଧ୍ୟ ପ୍ରାଚ୍ୟରେ ଚାଲିଥିବା ସଂଘର୍ଷର କୁପରିଣାମ ବ୍ୟବସାୟ ଉପରେ ପଡ଼ିଛି। ବିଶେଷ କରି ଇରାନ- ଇସ୍ରାଏଲ୍ ବିବାଦ ଓ ହୁତି ବିଦ୍ରୋହୀଙ୍କ ଆକ୍ରମଣ ଲୋହିତ ସାଗରକୁ ବ୍ୟବସାୟ ପାଇଁ ନିରାପଦ କରୁଛି। ସିପିଂ କଣ୍ଟେନରଗୁଡ଼ିକର ଅଭାବ ଯୋଗୁଁ ମହଙ୍ଗା ମାର୍କେଟ୍ ଆଡ଼କୁ ଇସାରା କରୁଛି। ହମାସର ହମଲା, ଇସ୍ରାଏଲର ଆକ୍ସନ। ଯୁଦ୍ଧ ବିରତି ପୁଣି ଲଢେଇ। ଏହାରି ଭିତରେ ଯୁଦ୍ଧକୁ ବିତିଛି ଗୋଟିଏ ବର୍ଷ। ଇସ୍ରାଏଲର ଘାତକ ଅସ୍ତ୍ର ସମ୍ମୁଖରେ ଛାରାଖାର ହୋଇଯାଇଛି ପାଲେଷ୍ଟାଇନ। ଯୁଦ୍ଧର ବିଭିଷୀକାରେ ଚାଲିଯାଇଛି ୪୮ ହଜାରରୁ ଅଧିକ ଜୀବନ। ବୋଧହୁଏ ଏ ଅସ୍ତ୍ରର ପ୍ରହାର କେବେ ବନ୍ଦ ହେବ ସେକଥା କହିବା ମୁସ୍କିଲ, କିନ୍ତୁ ଏହା ଯେ ତୃତୀୟ ବିଶ୍ୱଯୁଦ୍ଧକୁ ଯାଇନପାରେ, ଏହାକୁ କେହି ଏଡାଇପାରିବେନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.