ନସରଲ୍ଲା ପରେ ହିଜବୁଲ୍ଲାର ଆଉ ଜଣେ ଶୀର୍ଷ ନେତାକୁ ଏୟାର ଷ୍ଟ୍ରାଇକ୍ କରି ମାରିଲା ଇସ୍ରାଏଲ୍

Published By : Prameya-News7 Bureau | September 29, 2024 IST

business standard

ନୂଆଦିଲ୍ଲୀ: ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ମାରିବା ପରେ ସଂଗଠନର ଆଉ ଏକ ଶୀର୍ଷ ନେତା ନବୀଲ କୌକ୍‌କୁ ବି ହତ୍ୟା କଲା ଇସ୍ରାଏଲ। ଏନେଇ ଇସ୍ରାଏଲ ସେନା ଦାବି କରିଛି। ବେରୁଟରେ ଏୟାର ଷ୍ଟ୍ରାଇକ୍ କରି ନବୀଲ ଉଡ଼ାଇ ଦେଇଛି ବୋଲି ଇସ୍ରାଏଲ ସେନା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି।
ନସରଲ୍ଲା ପରେ ନବୀଲ ଥିଲା ସଂଗଠନର ଦ୍ୱିତୀୟ ସର୍ବୋଚ୍ଚ ନେତା। ସେ ହିଁ ଦଳର ମୁଖ୍ୟ ପଦ ଗ୍ରହଣ କରିଥାନ୍ତା। ହେଲେ ଇସ୍ରାଏଲ୍ ତାକୁ ବି ସଫା କରିଦେଇଛି। ନବୀଲ ହିଜବୁଲ୍ଲାର ପ୍ରତିରୋଧକ ସୁରକ୍ଷା ୟୁନିଟ୍ ର କମାଣ୍ଡର ଥିଲା। ତା ସହିତ ସେଣ୍ଟ୍ରାଲ କାଉନସିଲର ସଦସ୍ୟ ମଧ୍ୟ ଥିଲା।
କୌକ୍‌କୁ ନିପାତ କରିବାକୁ ପାଇଁ ଇସ୍ରାଏଲ ପ୍ଲାନ୍ ବିଛାଇଥିଲା। ଗୁଇନ୍ଦା ସୂଚନା ପାଇବା ପରେ ଫାଇଟର ଜେଟ୍‌ର ଏୟାର ଷ୍ଟ୍ରାଇକ୍‌ କରି ହିଜବୁଲ୍ଲାର ଦ୍ୱିତୀୟ ବଡ଼ ନେତାଙ୍କୁ ହତ୍ୟା କରିଛି। ଇସ୍ରାଏଲ ସେନା ଏନେଇ ସୂଚନା ଦେଇଛି। ତେବେ ହିଜବୁଲ୍ଲା ପକ୍ଷରୁ ନବୀନ କୌକର ମୃତ୍ୟୁକୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ।  

ହମାସ ସହ ଯୁଦ୍ଧରେ ଉତ୍‌କ୍ଷୀପ୍ତ ହୋଇ ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ହେଲେ ଏବେ ଇସ୍ରାଏଳ ସଂଗଠନର ଅଣ୍ଟା ଭାଙ୍ଗି ଦେଇଛି। ଗୋଟିଏ ପରେ ଗୋଟିଏ ଶୀର୍ଷ ନେତାଙ୍କୁ ନିପାତ କରିବା ପରେ ଏବେ ସଂଗଠନ କି ପଦକ୍ଷେପ ନେବ ତା ଉପରେ ସାରା ବିଶ୍ୱର ନଜର ରହିଛି। 

ହିଜବୁଲ୍ଲା ଗଡ଼ କୁହାଯାଉଥିବା ଦକ୍ଷିଣ ବେରୁତ ଓ ବେକ୍କା ଭ୍ୟାଲିରେ ଇସ୍ରାଏଲ୍ ଆକ୍ରମଣ ବଢାଇ ଦେଇଛି। କାରଣ ଇସ୍ରାଏଲଙ୍କୁ ଲାଗୁଛି ଯେ ଆତଙ୍କବାଦୀ ସଂଗଠନ ଏଇଠି ହଜାର ହଜାର ରକେଟ ଷ୍ଟୋର୍ କରି ରଖିଛି। ନସରଲ୍ଲାଙ୍କୁ ମିଶାଇଲେ ଇସ୍ରାଏଲ୍ ଚଳିତ ବର୍ଷ ହିଜବୁଲ୍ଲାର ୯ ବରିଷ୍ଠ ସେନା କମାଣ୍ଡରକୁ ହତ୍ୟା କରିସାରିଲାଣି। ବିଶେଷ କରି ଗତ ସପ୍ତାହରେ ସର୍ବାଧିକ ଆତଙ୍କବାଦୀଙ୍କୁ ନିପାତ କରିଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁସାରେ, ଏହି କମାଣ୍ଡୋମାନେ ରକେଟ୍ ଡିଭିଜନ୍ ଠାରୁ ଆରମ୍ଭ କରି ଏଲିଟ ରାଡୱାନ୍ ଫୋର୍ସ ପର୍ଯ୍ୟନ୍ତ ୟୁନିଟ୍ ଗୁଡ଼ିକର ନେତୃତ୍ୱ ନେଉଥିଲେ।

ଅନ୍ୟପଟେ ହିଜବୁଲ୍ଲା ନେତା ଶୟଦ ହସନ ନସରଲ୍ଲାର ମୃତ୍ୟୁରେ ଲେବାନନ ସରକାର ୫ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ବୁଧବାର ପର୍ଯ୍ୟନ୍ତ ଦେଶରେ ସମସ୍ତ ଦୋକାନ, ବ୍ୟବସାୟ ସ୍ଥଳ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ସେପଟେ ମିଳିଥିବା ଅପଡେଟ ଖବର ଅନୁସାରେ ନସରଲ୍ଲାର ମୃତ୍ୟୁ ପରେ ତା’ ସମ୍ପର୍କିୀୟ ଭାଇ ହାଶିମ ସଫ୍ୟୁଦିନ ହିଜୁବଲ୍ଲାର ସଂଗଠନର ମୁଖ୍ୟ ଦାୟିତ୍ୱ ନେବ। 

ହମାସ-ଇସ୍ରାଏଲ ଯୁଦ୍ଧରେ ଅତିଷ୍ଟ ହୋଇ ହିଜବୁଲ୍ଲା ଇସ୍ରାଏଲ ଉପରକୁ ଆକ୍ରମଣ କରିଥିଲା। ଜବାବରେ ଇସ୍ରାଏଲ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଇସ୍ରାଏଲ ଜବାବରେ ଲେବାନନରେ ୭୦୦ ଜୀବନ ଗଲାଣି। ଇସ୍ରାଏଲ ହିଜବୁଲ୍ଲାକୁ ଦୁର୍ବଳ କରିବା ସହିତ ଗତ ୧୧ ମାସ ହେଲା ସହୁଥିବା ଆତଙ୍କୀ ଆକ୍ରମଣକୁ ବନ୍ଦ କରିବ ବୋଲି ଘୋଷଣା କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.