ଖରାପ ହାଇୱରେ, ପୂରା ଟୋଲ୍ କାହିଁକି ? ୮୦ ପ୍ରତିଶତ ଦେୟ କମାଇଲେ ହାଇକୋର୍ଟ

Published By : Prameya-News7 Bureau | February 27, 2025 IST

ନୂଆଦିଲ୍ଲୀ: ଯଦି ରାସ୍ତା ଖରାପ ତେବେ ତାହା ଉପରେ ଟୋଲ୍ ଟ୍ୟାକ୍ସ କଲେକ୍ସନ କରିବା ଯାତ୍ରୀଙ୍କ ସହ ଅନ୍ୟାୟ ଅଟେ । ଜାମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହି କଥା କହିଛନ୍ତି, ଯାହାର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିପାରେ । କୋର୍ଟ ଏକ ଯାଚିକାର ଶୁଣାଣି କରି ଜର୍ଜରିତ ରାସ୍ତା ଥିବା କାରଣରୁ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣକୁ ୮୦ ପ୍ରତିଶତ ଟ୍ୟାକ୍ସ ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାସନାଲ ହାଇୱେ ୪୪କୁ ନେଇ ହାଇକୋର୍ଟ ଏହି ଆଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଯଦି ରାସ୍ତା ନିର୍ମାଣ ଚାଲିଛି ଏବଂ ସ୍ଥିତି ଖରାପ ଭଲ ନାହିଁ, ତେବେ ଏଥିରୁ ଟ୍ୟାକ୍ସ ସଂଗ୍ରହ ନକରାଯିବା ଦରକାର । ହାଇକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ଟୋଲ୍ ଭଲ ରାସ୍ତା ପାଇଁ ନିଆଯାଇଥାଏ ।

ମୁଖ୍ୟ ବିଚାରପତି ଜଷ୍ଟିସ୍ ତାଶୀ ରବସ୍ତାନ ଏବଂ ଜଷ୍ଟିସ୍ ଏମଏ ଚୌଧୁରୀଙ୍କ ଖଣ୍ଡପୀଠ କହିଛନ୍ତି, ପଠାନକୋଟ-ଉଧମପୁର ଷ୍ଟ୍ରେଚରେ ଟୋଲ୍ ଟ୍ୟାକ୍ସ ୨୦ ପ୍ରତିଶତ ହିଁ ନେବା ଦରକାର । ଏବଂ ରାସ୍ତା ମରାମତି ନହେବା ଯାଏ ପୁଣି ଥରେ ଫି’ ନବଢାଯିବା ଦରକାର । ଏହାସହ ଏହି ଆଦେଶକୁ ତତ୍କାଳ ଲାଗୁ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଆହୁରି କହିଛନ୍ତି ଯେ ଏହି ହାଇୱେରେ ୬୦ କିଲୋମିଟର ଦୂରତାରେ କୌଣସି ଦ୍ୱିତୀୟ ଟୋଲ୍ ପ୍ଲାଜା ନିର୍ମାଣ କରାଯିବ ନାହିଁ । ଯଦି ଏପରି କୌଣସି ନିର୍ମାଣ କରାଯାଉଛି, ତେବେ ମାସେ ଭିତରେ ଏହାକୁ ବନ୍ଦ କରାଯିବା ଦରକାର ।

ସୁଗନ୍ଧା ସାହନୀଙ୍କ ନାମକ ମହିଳାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ଏହି ଆବେଦନରେ ଲଖନପୁର, ଥଣ୍ଡିଖୁଇ ଓ ବାନ ପ୍ଲାଜରୁ ଟୋଲ୍ ସଂଗ୍ରହକୁ ନେଇ ଆପତ୍ତି ଉଠାଯାଇଥିଲା । ଆବେଦନକାରୀ କହିଥିଲେ ଯେ ଏହି ଅଞ୍ଚଳରେ ରାସ୍ତାର ଅବସ୍ଥା ଭଲ ନାହିଁ । ତଥାପି ଯାତ୍ରୀଙ୍କୁ ଏହି ଅଞ୍ଚଳ ଦେଇ ଯିବା ବେଳେ ମୋଟା ଅଙ୍କର ଟୋଲ୍ କାହିଁକି ଦେବାକୁ ପଡ଼ିବୁ । ସେ କହିଥିଲେ ଯେ ୨୦୨୧ ଡିସେମ୍ୱରରୁ ହାଇୱେର ୬୦ ପ୍ରତିଶତ ଅଂଶ ନିର୍ମାଣଧୀନ ରହିଛି । ଏଠି ପୂରା ଟୋଲ୍ ନିଆଯିବାର କୌଣସି ଯୁକ୍ତି ନାହିଁ । ସେ ଦାବି କରିଥିଲେ ଯେ ନିର୍ମାଣ ପୂରା ହେବାର ୪୫ ଦିନ ପରେ ଟୋଲ୍ ସଂଗ୍ରହ କରାଯିବା ଦରକାର । ଏହି ଆବେଦନ ଉପରେ ଶୁଣାଣି କରି କୋର୍ଟ ଟୋଲରେ ୮୦ ପ୍ରତିଶତ ହ୍ରାସ କରିବା ପାଇଁ ଆଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.