ଭୁବନେଶ୍ବର ୧୭।୩: ଜଳୁଛି ପଶ୍ଚିମ ଓଡ଼ିଶା । ମାର୍ଚ୍ଚ ମାସରୁ କଲବଲ କଲାଣି ତାତି । ଖରାରେ ସିଝୁଛି ସମଗ୍ର ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ଅନୁଭୂତ ହେଉଛି । ତେବେ ସୋମବାର ସାଢ଼େ ୧୧ଟା ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡ଼ାରେ ତାପମାତ୍ରା ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ହୀରାକୁଦରେ ୩୭ ଡିଗ୍ରୀ, ସମ୍ବଲପୁରରେ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି ।
ପ୍ରଚଣ୍ଡ ଅଗ୍ନିବର୍ଷାରେ ଛଟପଟ ହେଉଛି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା । ସୋମବାର ବି ନିସ୍ତାର ନାହିଁ । ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି ଜଳିବ ପଶ୍ଚିମ, ଆଭ୍ୟନ୍ତରୀଣ ସହ ଉତ୍ତର ଓଡ଼ିଶା । ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ ।
ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ସ୍ଥିତି ବି ବେହାଲ ହୋଇପାରେ । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କେତେକ ସ୍ଥାନରେ ନିଆଁ ଝଡ଼ ପ୍ରବାହିତ ହେବ । ଉପକୂଳ ଅଞ୍ଚଳରେ ତାତି ୪୦ଡିଗ୍ରୀ ନ ଛୁଇଁଲେ ବି ଅସ୍ୱାଭାବିକ ଗୁଳୁଗୁଳି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ହେଲେ ଆଶା ଅଛି, ଦୁଇ ଦିନ ପରେ ବଦଳିବ ପାଗ । ୭ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାପରେ ତାପମାତ୍ରା କମିବ ।
You Can Read:
ରାଜ୍ୟରେ ୨୬୦୩ ଗାଁରେ ମୋବାଇଲ ସେବା ଉପଲବ୍ଧ ନାହିଁ : ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ