ଜିମ୍ କର୍ବେଟ୍‌ରେ ବନ୍ୟଜନ୍ତୁ ନିରୀକ୍ଷଣ କ୍ୟାମେରାରେ ମହିଳାଙ୍କ ଉପରେ ରଖାଯାଉଛି ନଜର: ରିପୋର୍ଟ

Published By : Prameya-News7 Bureau | November 30, 2024 IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଜିମ୍ କର୍ବେଟ୍‌ ବ୍ୟାଘ୍ର ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ନିରୀକ୍ଷଣ ପାଇଁ ଲଗାଯାଇଥିବା କ୍ୟାମେରା ଏବଂ ଡ୍ରୋନରେ ମହିଳାଙ୍କ ନଜର ରଖାଯାଉଥିବା ମାମଲା ସାମନାକୁ ଆସିଛି । ମହିଳାଙ୍କ ଅଜାଣତରେ ସେମାନଙ୍କ ଗୋପନୀୟତାର ଉଲ୍ଲଂଘନ କରାଯାଉଥିବା ଦାବି ହୋଇଛି । ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟାରେ ଆଧାରରେ କ୍ୟାମ୍ୱ୍ରିଜ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଦାବି କରାଯାଇଛି । ରିପୋର୍ଟରେ ସ୍ଥାନ ପାଇଥିବା ବୟାନଗୁଡ଼ିକ ଆଖପାଖ ଗାଁର ମହିଳାଙ୍କ ଦ୍ୱାରା ଦିଆଯାଇଛି । ମହିଳାମାନେ ଗୋପନୀୟତା ଉଲ୍ଲଂଘନ ଅଭିଯୋଗ କରିଛନ୍ତି । ଅଧ୍ୟୟନ ଅନୁସାରେ କର୍ବେଟ୍ ନ୍ୟାସନାଲ୍ ପାର୍କରେ ବନ୍ୟଜୀବ ସଂରକ୍ଷଣ ପାଇଁ ଲଗାଯାଇଥିବା କ୍ୟାମେରା ଏବଂ ଡ୍ରୋନରେ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଜାଣିଶୁଣି ମହିଳାଙ୍କ ବିନା ସହମତିରେ ନଜର ରଖାଯାଉଛି । ତେବେ ସରକାର ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କିନ୍ତୁ ଅଧ୍ୟୟନରେ କରାଯାଇଥିବା ଦାବିର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି ।

ମାନସିକ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ଖରାପ ପ୍ରଭାବ

ବ୍ରିଟେନର କ୍ୟାମ୍ୱ୍ରିଜ ବିଶ୍ୱବିଦ୍ୟାଳୟର ଅଧ୍ୟୟନକାରୀ ତ୍ରିଶାନ୍ତ ସିମଲାଇ ବ୍ୟାଘ୍ର ଅଭୟାରଣ୍ୟ ଆଖପାଖରେ ୧୪ ମାସ ଯାଏ ୨୭୦ ନିବାସୀଙ୍କ ସାକ୍ଷାତକାର ନେଇଛନ୍ତି । ଏଥିରେ ଅଧିକାଂଶ ମହିଳା ଥିଲେ । ଅଧ୍ୟୟନରେ ସାମନାକୁ ଆସିଛି ଯେ ବନ୍ୟଜୀବଙ୍କ ନିରୀକ୍ଷଣ ପାଇଁ ଲଗାଯାଇଥିବା କ୍ୟାମେରା ଟ୍ରାପ୍ ଏବଂ ଡ୍ରୋନ୍ ଯୋଗୁଁ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଢୁଛି ।

ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ଫଟୋ

ସ୍ଥାନୀୟ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ସହ କଥାବର୍ତ୍ତାରୁ ଜଣାପଡ଼ିଥିଲା ଯେ କିଛି ବନକର୍ମୀ ଗୁପ୍ତ ଭାବେ ନାଳ (ଶୁଖିଲା ଜଳାଶୟ)ରେ କ୍ୟାମେରା ଲଗାଉଥିଲେ । ଏହି ସ୍ଥାନ ଦେଇ ମହିଳାମାନେ ଜଙ୍ଗଲେ ପ୍ରବେଶ କରୁଥିଲେ । ୨୦୧୭ରେ ଜଣେ ମହିଳାଙ୍କ ଶୌଚ ସମୟର ଫଟୋ କ୍ୟାମେରାରେ କଏଦ ହୋଇଥିଲା । ଅସ୍ଥାୟୀ ବନ କର୍ମଚାରୀ ଭାବେ ନିଯୁକ୍ତ କିଛି ଯୁବକ ସେହି ଫଟୋକୁ ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ଏହାର ପ୍ରତିବାଦରେ ସ୍ଥାନୀୟ ଲୋକ ଅନେକ କ୍ୟାମେର ନଷ୍ଟ କରିଥିଲେ ।

ଅଧ୍ୟୟନରେ ଏହା ମଧ୍ୟ ଜଣାପଡ଼ିଛି ଯେ ରେଞ୍ଜର ଜାଣିଶୁଣି ସ୍ଥାନୀୟ ମହିଳାଙ୍କୁ ଡରାଇ ଜଙ୍ଗଲରୁ ବାହାର କରିବା ଏବଂ ପ୍ରାକୃତିକ ସଂଶାଧନ ଏକାଠି କରିବା ବନ୍ଦ କରିବା ପାଇଁ ସେମାନଙ୍କ ଉପରେ ଡ୍ରୋନ୍ ଉଡାନ୍ତି । ମହିଳାମାନେ ସିମଲାଇଙ୍କୁ କହିଛନ୍ତି ଯେ ବନ୍ୟଜୀବଙ୍କ ନିରୀକ୍ଷଣ ପାଇଁ ବ୍ୟବହାର ହେଉଥିବା ଡିଜିଟାଲ୍ ଉପକରଣକୁ ସେମାନଙ୍କୁ ଡରାଇବା ପାଇଁ ବ୍ୟବହାର କରାଯାଉଛି । 

ମାମଲାର ତଦନ୍ତ ପାଇଁ ଦିଆଯାଇଛି ନିର୍ଦ୍ଦେଶ

ଉତ୍ତରାଖଣ୍ଡର ମୁଖ୍ୟ ବନ୍ୟଜୀବ ୱାର୍ଡେନ ଆରକେ ମିଶ୍ରାଙ୍କ ମାମଲାରେ ଉପରେ କହିଛନ୍ତି ଯେ କାହାର ଗୋପନୀୟତା ଉଲ୍ଲଂଘନ କରିବା ଉଦ୍ଦେଶ୍ୟ ନୁହେଁ । ଆମେ ଏହି ମାମଲାରୁ ଗୁରୁତ୍ୱର ସହ ନେଇଛୁ । ଆମେ ଏହି ମାମଲାର ତଦନ୍ତ କରୁଛୁ । ଆମେ ଗାଁ ଲୋକଙ୍କୁ ବିଶ୍ୱାସକୁ ନେବୁ । ରିପୋର୍ଟରେ କେତେ ସତ୍ୟତା ରହିଛି, ତାହା ତଦନ୍ତ ପରେ ସାମନାକୁ ଆସିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.