ନୂଆଦିଲ୍ଲୀ ୦୯।୧୦: ଟେଷ୍ଟ କ୍ରିକେଟରେ ରନ୍ ବର୍ଷା କରୁଛି ଜୋ ରୁଟଙ୍କ ବ୍ୟାଟ୍ । ମୁଲତାନରେ ଖେଳାଯାଉଥିବା ପାକିସ୍ତାନ ବନାମ ଇଂଲଣ୍ଡ ମ୍ୟାଚରେ ଶତକ ହାସଲ କରି ସୃଷ୍ଟି କରିଛନ୍ତି ଐତିହାସିକ ରେକର୍ଡ । ରୁଟ ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ପାଇଁ ସର୍ବାଧିକ ରନ୍ ସ୍କୋର କରୁଥିବା ବ୍ୟାଟର ହୋଇଛନ୍ତି । ଏଲିଷ୍ଟର କୁକ୍ ତାଙ୍କ ଟେଷ୍ଟ କ୍ୟାରିୟରରେ ୧୨ ହଜାର ୪୭୨ ରନ୍ ସ୍କୋର କରିଛନ୍ତି । କିନ୍ତୁ ରୁଟ୍ ବର୍ତ୍ତମାନ ତାଙ୍କଠାରୁ ଆଗରେ ରହିଛନ୍ତି ।
ଜୋ ରୁଟଙ୍କ ପରବର୍ତ୍ତୀ ଟାର୍ଗେଟ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ରାହୁଲ ଦ୍ରାବିଡ । ଯିଏକି ୧୬୪ଟି ଟେଷ୍ଟ ମ୍ୟାଚରେ ୧୩ ହଜାର ୨୮୮ ରନ୍ ସଂଗ୍ରହ କରିଛନ୍ତି । ରୁଟ୍ ତାଙ୍କଠାରୁ ବହୁ ଦୂରରେ ଅଛନ୍ତି । କିନ୍ତୁ କ୍ରିକେଟର ଲମ୍ବା ଫର୍ମାଟରେ ସର୍ବାଧିକ ରନ୍ ସ୍କୋର କରିବାରେ ପଞ୍ଚମ ସ୍ଥାନରେ ରହିଛନ୍ତି । ଚଳିତ ବର୍ଷ ଖେଳାଯାଇଥିବା ୨୧ଟି ଟେଷ୍ଟ ଇନିଂସରେ ରୁଟ୍ ହାରାହାରି ୫୬ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଏହି ୨୧ଟି ଇନିଂସରେ ସେ ୫ଟି ଶତକ ଏବଂ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।
ତେବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି । ଯାହାକୁ 'ଗଡ୍ ଅଫ୍ କ୍ରିକେଟ୍' କୁହାଯାଏ। ସଚିନ ତାଙ୍କର ୨୦୦ଟି ଟେଷ୍ଟ ମ୍ୟାଚରେ ୧୫ ହଜାର ୯୨୧ ରନ୍ କରିଛନ୍ତି । ଅନ୍ୟପକ୍ଷରେ ଜୋ ରୁଟ୍ ଏପର୍ଯ୍ୟନ୍ତ ୧୩ ହଜାର ରନ୍ ପୂରଣ କରିନାହାଁନ୍ତି । ଯଦି ରୁଟ୍ ଟେଷ୍ଟ କ୍ରିକେଟର ସର୍ବାଧିକ ରନ୍ ସ୍କୋରର ହେବାକୁ ଚାହାଁନ୍ତି, ତେବେ ତାଙ୍କୁ ୩୩୦୦ରୁ ଅଧିକ ରନ୍ କରିବାକୁ ପଡିବ । ଯଦିଓ ରୁଟ୍ ପ୍ରତିବର୍ଷ ଏକ ହଜାରରୁ ଅଧିକ ରନ୍ ସ୍କୋର କରନ୍ତି, ତେବେ ସଚିନଙ୍କୁ ପଛରେ ପକାଇବାକୁ ଅତିକମରେ ତାଙ୍କୁ ୩ ବର୍ଷ ଟେଷ୍ଟ କ୍ରିକେଟ୍ ଖେଳିବାକୁ ପଡିବ ।
ଅନ୍ୟପକ୍ଷରେ ଯଦି ଶତକ ବିଷୟରେ କହିବା ତେବେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ଲେୟର ସଚିନଙ୍କ ନିକଟତର ନୁହଁନ୍ତି । ସଚିନ ତାଙ୍କ ଟେଷ୍ଟ କ୍ୟାରିୟରରେ ୫୧ଟି ଶତକ ହାସଲ କରିଥିଲେ । କିନ୍ତୁ ରୁଟ୍ ଏପର୍ଯ୍ୟନ୍ତ ମାତ୍ର ୩୪ଟି ଶତକ ଲଗାଇଛନ୍ତି । କିନ୍ତୁ ରୁଟ୍ଙ୍କ ଫର୍ମ ଯଦି ଜାରି ରହେ ତେବେ ସେ ନିଶ୍ଚିତ ଭାବରେ ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇପାରନ୍ତି ।