ହରିୟାଣାରେ କଂଗ୍ରେସକୁ ବଡ଼ ଝଟକା, ବଂଶୀଲାଲଙ୍କ ବୋହୂ କିରଣ ଚୌଧୁରୀ ଦେଲେ ଇସ୍ତଫା; ବିଜେପିରେ ହେବେ ସାମିଲ

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ: ତୋସାମରୁ କଂଗ୍ରେସ ବିଧାୟକ ଏବଂ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ବହୁ କିରଣ ଚୌଧୁରୀ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ସେ ନିଜ ଝିଅ ଶ୍ରୁତି ଚୌଧୁରୀଙ୍କୁ ଭିବାନୀ-ମହେନ୍ଦ୍ରଗଡ଼ରୁ ଲୋକସଭା ନିର୍ବାଚନରେ ଟିକଟ୍ ନମିଳିବାକୁ ନେଇ ଅସନ୍ତୁଷ୍ଟ ଥିଲେ । ମଙ୍ଗଳବାର ସଂଧ୍ୟାରେ ସେ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ ଛାଡ଼ିବା ନେଇ ଘୋଷଣା କରିଛନ୍ତି । 

ରାଜ୍ୟସଭା ନିର୍ବାଚନରେ ଅଜୟ ମାକନଙ୍କ ପରାଜୟ ପାଇଁ କଂଗ୍ରେସର ଏକ ଗୋଷ୍ଠୀ କିରଣ ଚୌଧୁରୀଙ୍କୁ ଦାୟୀ କରିଥିଲେ । କିରଣ ଚୌଧୁରୀ ଏବଂ ତାଙ୍କ ଝିଅ ଶ୍ରୁତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନିଜ ଇସ୍ତଫା ପତ୍ର ପଠାଇ ସାରିଛନ୍ତି । ଏହାସହ ଦୁହେଁ ବୁଧବାର ଦିଲ୍ଲୀ ମୁଖ୍ୟାଳୟରେ ବିଜେପିର ସଦସ୍ୟତା ଗ୍ରହଣ କରିବେ । ଏହି ଅବସରରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ଏବଂ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ମଧ୍ୟ ଉପସ୍ଥିତ ରହିପାରନ୍ତି ।

କିରଣ ନିଜ ଝିଅ ଶ୍ରୁତିଙ୍କ ପାଇଁ ଭିବାନୀ-ମହେନ୍ଦ୍ରଗଡ଼ ଲୋକସଭା ଆସନରୁ କଂଗ୍ରେସ ଟିକଟ ଦାବି କରୁଥିଲେ । କିନ୍ତୁ ଦଳ ମହେନ୍ଦ୍ରଗଡ଼ରୁ କଂଗ୍ରେସ ବିଧାୟକ ରାଓ ଦାନ ସିଂଙ୍କୁ ଟିକଟ ଦେଇଥିଲା । ଏହାପରେ ରାଓ ଦାନ ସିଂ ନାଁ ନେଇ ଚୌଧୁରୀ ପରିବାର ଉପରେ ବିଶ୍ୱାସଘାତ ଅଭିଯୋଗ ଆଣିଥିଲେ । କିରଣ ଏହାର ବିରୋଧ କରି କହିଥିଲେ ଯେ ଯଦି ଠିକ୍ ଭାବେ ଟିକଟ ବଣ୍ଟନ ହୋଇଥାନ୍ତା ତେବେ ଏଠାରୁ କଂଗ୍ରେସ ଜିତିଥାନ୍ତା । ଦୁଇ ଦିନ ପୂର୍ବେ ବି କିରଣ ଚୌଧୁରୀ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଏବଂ ହରିୟାଣାରେ କଂଗ୍ରେସର କୌଣସି ଭବିଷ୍ୟତ ଦେଖାଯାଉ ନାହିଁ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.