କଟକ: ଓଡ଼ିଆ ସାହିତ୍ୟ ସାଧକମାନଙ୍କୁ ପ୍ରେରଣା ଦେବା ତଥା ସମ୍ମାନିତ କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଓ ତାଙ୍କ ପରିବାର। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟ ସାଧକଙ୍କୁ ସମ୍ମାନିତ କରିବା ଲାଗି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଜଷ୍ଟିସ୍ ଦୀପକ ମିଶ୍ର ସାହିତ୍ୟ ସମ୍ମାନ ପ୍ରଣୟନ କରାଯାଇଛି।
ଜଷ୍ଟିସ୍ ଦୀପକ ମିଶ୍ର ସାହିତ୍ୟ ସମ୍ମାନର ପୁରସ୍କାର ରାଶି ସ୍ଵରୁପ ୧ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ଅର୍ଥ ରାଶି ଜଷ୍ଟିସ ଦୀପକ ମିଶ୍ରଙ୍କ ପରିବାର ତରଫରୁ ପ୍ରଦାନ କରାଯିବ । ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ଏହି ପୁରସ୍କାର ରାଶି ବାବଦକୁ ୩ ଲକ୍ଷ ଟଙ୍କାର ଏକ ଚେକ୍ ଓ ତିନି ବର୍ଷ ଏହି ସାହିତ୍ୟ ସମ୍ମାନ ସଭା ଆୟୋଜନ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଏକ ଚେକ୍ ଜଷ୍ଟିସ ଦୀପକ ମିଶ୍ରଙ୍କ ପରିବାର ତରଫରୁ ଉତ୍କଳ ସାହିତ୍ୟ ସମାଜକୁ ପ୍ରଦାନ କରାଯାଇଛି।
ପ୍ରତି ବର୍ଷ ମାର୍ଚ୍ଚ ମାସରେ ଆୟୋଜିତ ସ୍ୱତନ୍ତ୍ର ସାରସ୍ବତ ଉତ୍ସବରେ ଜଷ୍ଟିସ୍ ଦୀପକ ମିଶ୍ର ସାରସ୍ବତ ସମ୍ମାନ ପ୍ରଦାନ କରାଯିବ । ଶତାୟୁ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଥମ ଥର ପାଇଁ ୧ଲକ୍ଷ ଟଙ୍କା ଅର୍ଥ ରାଶି ସହ ଏହି ସମ୍ମାନ ପ୍ରଣୟନ କରାଯାଇଥିବା କହିଛି ଉତ୍କଳ ସାହିତ୍ୟ ସମାଜ । ଜଷ୍ଟିସ୍ ଦୀପକ ମିଶ୍ର ଉପସ୍ଥିତିରେ ତାଙ୍କର କଟକ କନିକା ଛକ ସ୍ଥିତ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଷ୍ଟିସ୍ ମିଶ୍ର ଓ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଏହି ସୂଚନା ଦିଆଯାଇଛି।