ନୂଆଦିଲ୍ଲୀ ୨୭।୦୨; ଉତ୍ତରାଖଣ୍ଡର ପବିତ୍ର ଚାରିଧାମ ଯାତ୍ରାକୁ ବହୁତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମ ଦର୍ଶନ କରିବାକୁ ଆସନ୍ତି। ଏବେ ଚାରିଧାମ ଯାତ୍ରା ପାଇଁ ଖୁସି ଖବର। ବାବା କେଦାରନାଥ ଧାମଙ୍କ ଦ୍ୱାର ଖୋଲିବାର ତାରିଖ ଘୋଷଣା ହୋଇଛି । ପବିତ୍ର ମହାଶିବରାତ୍ରି ଅବସରରେ ସ୍ଥିର ହୋଇଥିଲା ତାରିଖ ଓ ସମୟ। ଯେଉଁ ସମୟକୁ ଯେଉଁ ମୁହୂର୍ତ୍ତକୁ କୋଟି କୋଟି ଶିବଭକ୍ତ ଅପେକ୍ଷା କରି ରହିଥିଲେ ଶେଷରେ ସେହି ସମୟ ଆସିଯାଇଛି । ମହାଦେବ ବାବା କେଦାରନାଥଙ୍କ କପାଟ ଖୋଲିବାର ଦିନ ଓ ମୁହୂର୍ତ୍ତର ସ୍ଥିର ହୋଇଛି ।
ଚଳିତ ବର୍ଷ ମେ’ ୨ରେ ଖୋଲିବ ବିଶ୍ଵ ପ୍ରସିଦ୍ଧ କେଦାରନାଥଙ୍କ କପାଟ । ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର ଆରମ୍ଭ କରାଯିବ । ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା। ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଏବଂ ମେ ୨ ସକାଳେ କେଦାରନାଥଙ୍କ କପାଟ ଖୋଲାଯିବ । ସେପଟେ ବଦ୍ରିନାଥ ଧାମର ଦ୍ୱାର ୪ମେ ସକାଳ ୬ଟାରେ ଖୋଲାଯିବ। ଏହା ପୂର୍ବରୁ, ରୀତିନୀତି ଅନୁସାରେ ପୂଜା କରାଯିବ। ତେବେ ଏକାଦଶ ଜୋତିର୍ଲିଙ୍ଗ ଭାବେ ପରିଚିତ ବାବା କେଦାରନାଥଙ୍କ ଧାମ ପ୍ରତି ବର୍ଷ ଶୀତଋତୁରେ ବନ୍ଦ ରୁହେ । ପ୍ରବଳ ତୁଷାରପାତ ପାଇଁ ୬ ମାସ ଏହି ଧାମ ବନ୍ଦ ରହୁଥିବା ବେଳେ ଏହି ୬ ମାସ ଯାଏଁ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରେ ବାବାଙ୍କ ପୂଜାର୍ଚ୍ଚନା କରାଯାଏ ।
ଚାରିଧାମ ଯାତ୍ରାର ଗୁରୁତ୍ୱ
ହିନ୍ଦୁ ଧାର୍ମିକ ଶାସ୍ତ୍ରରେ ଉତ୍ତରାଖଣ୍ଡର ଚାରିଧାମକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁସାରେ, ଯେଉଁମାନେ ଚାରିଧାମ ଦର୍ଶନ କରନ୍ତି ସେମାନଙ୍କର ସମସ୍ତ ପାପ ନଷ୍ଟ ହୋଇଯାଏ। ଯେଉଁମାନେ ଚାରିଧାମ ଦର୍ଶନ କରନ୍ତି ସେମାନଙ୍କ ଜୀବନର ସମସ୍ତ ଅସୁବିଧା ଦୂର ହୋଇଯାଏ। ହିନ୍ଦୁ ଧାର୍ମିକ ଶାସ୍ତ୍ରରେ ଦୁଇଟି ଚାରିଧାମ ଯାତ୍ରାର ବର୍ଣ୍ଣନା ମିଳିଥାଏ। ଗୋଟିଏ ଚାରିଧାମକୁ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଏବଂ ଅନ୍ୟଟିକୁ ବଦ୍ରିନାଥ, ଜଗନ୍ନାଥ, ରାମେଶ୍ୱରମ୍ ଏବଂ ଦ୍ୱାରକା ଧାମ ବୋଲି ବିବେଚନା କରାଯାଏ।