ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ ଡିଏଫ୍ଓ, ଏକକାଳୀନ ୭ ସ୍ଥାନରେ ଚଢ଼ାଉ, ୧୧୫ ପ୍ଲଟ୍ ଠାବ

Published By : Prameya-News7 Bureau | July 20, 2025 IST

ଭୁବନେଶ୍ବର ୨୦।୭: ଭିଜିଲାନ୍ସ ଜାଲରେ ଡିଏଫ୍‌ଓ । କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ ଡିଏଫ୍‌ଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ଅନୁଗୋଳ, କେନ୍ଦୁଝର, ନୟାଗଡ଼ ଜିଲ୍ଲାର ୭ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ଚଢାଉରେ ୩ ଜଣ ଡିଏସ୍‌ପି ଓ ୧୦ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସାମିଲ ଅଛନ୍ତି । ଅନୁଗୋଳର ୩ଟି, କେନ୍ଦୁଝରର ୨ଟି ଓ ନୟାଗଡ଼ର ୨ଟି ସ୍ଥାନରେ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ ।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଡିଏଫ୍‌ଓ ବାବୁ ଜଣଙ୍କ ଏପର୍ଯ୍ୟନ୍ତ ୧୧୫ଟି ପ୍ଲଟ୍ କିଣିଛନ୍ତି । ସମସ୍ତ ପ୍ଲଟ୍ ଗୁଡ଼ିକ ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ କିଣିଥିବା ଜଣାପଡିଛି । ସୁନ୍ଦରଗଡ, ସମ୍ବଲପୁର, ଢେଙ୍କାନାଳ ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଫରେଷ୍ଟ ଡିଭିଜନରେ ଫରେଷ୍ଟ ରେଞ୍ଜର ଅଫିସର ଭାବେ କାର୍ଯ୍ୟରତ ଥିବା ସମୟରେ ୨ଟି ପ୍ଲଟ୍ କିଣିଥିଲେ । ସେହିପରି ନୂଆପଡା ଜିଲ୍ଲା ଖରିଆର ଫରେଷ୍ଟ ଡିଭିଜନରେ ଫରେଷ୍ଟ ରେଞ୍ଜର ଅଫିସର ଥିବା ସମୟରେ ୬୪ଟି ପ୍ଲଟ୍ କିଣିଛନ୍ତି । ଖରିଆର ଏବଂ ରାୟଗଡା ଫରେଷ୍ଟ ଡିଭିଜନରେ ଆସିଷ୍ଟାଣ୍ଟ କନଜରଭେଟର ଥିବା ବେଳେ ୩୯ଟି ପ୍ଲଟ୍ କିଣିଥିଲେ । ଭୁବନେଶ୍ବର ଓ୍ବାଇଲ୍ଡ ଲାଇଫ୍ ପିସିସିଏଫ୍ ଡେପୁଟି କନଜରଭେଟର ଥିବା ସମୟରେ ୮ଟି ପ୍ଲଟ୍ କିଣିଥିବା ବେଳେ କେନ୍ଦୁଝର କେନ୍ଦୁଲିଫ୍ ଡିଏଫ୍‌ଓ ରହିଥିବା ସମୟରେ ୨ଟି ପ୍ଲଟ୍ କିଣିଥିଲେ ।

ଏହାସହ DFO ନିତ୍ୟାନନ୍ଦ ନାୟକଙ୍କ ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ୍‌ ଠାବ ହେବା ସହିତ ୨ ପୁଅଙ୍କ ନାଁରେ ୧୬ ପ୍ଲଟ୍‌, ଝିଅ ନାଁରେ ୪ ପ୍ଲଟ୍‌ ଠାବ ହୋଇଛି ।  ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ୪ ମହଲା କୋଠା ସହ ୧ ଲକ୍ଷ ୧୯ ହଜାର ଟଙ୍କା ଠାବ କରାଯାଇ ଯାଞ୍ଚ ଜାରି ରହିଛି । 

You Can Read:

ମହିଳାଙ୍କୁ ଦୁଷ୍କର୍ମ ମାମଲା : ରାୟଗଡ଼ା ଅତିରିକ୍ତ ଅଗ୍ନିଶମ ଅଧିକାରୀ ଗିରଫ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.