ରାଞ୍ଚୀ ୧୯।୧୦: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ଶନିବାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ୬୬ ଜଣିଆ ଏହି ତାଲିକାରେ ବାବୁ ଲାଲ ମରାଣ୍ଡି, ଚମ୍ପଇ ସୋରେନ ଓ ସୁଦର୍ଶନ ଭଗତଙ୍କ ନାମକୁ ପ୍ରାଥମିକତା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କଳ୍ପନା ସୋରେନଙ୍କ ବିପକ୍ଷରେ ଗାଣ୍ଡେୟରୁ ବିଜେପି ମୁନିୟା ଦେବୀଙ୍କୁ ପ୍ରାର୍ଥୀ କରିଛି। ନାମ ଓ ସିଟ୍ ବ୍ୟତୀତ ବିଜେପି ପ୍ରାର୍ଥୀ ତାଲିକାରେ ପରିବାରବାଦ ଓ ଦଳ ବଦଳକାରୀଙ୍କ ଦବଦବା ଦେଖାଯାଇଛି।
ବିଜେପି ଜାରି କରିଥିବା ୬୬ ଆସନ ମଧ୍ୟରୁ ୧୩ଟିରେ ଦଳବଦଳକାରୀଙ୍କୁ ପ୍ରାର୍ଥୀ କରିଛି। ଏଥିରେ ସେହି ଦଳବଦଳକାରୀମାନେ ଅଛନ୍ତି ଯେଉଁମାନେ ଗତ ୫ ବର୍ଷରେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ପରିବାର ଲୋକଙ୍କୁ ବେଶ୍ ଗୁରୁତ୍ୱ ଦିଆଯାଇଛି। ବିଜେପି ଚମ୍ପଇ ସୋରେନଙ୍କ ପୁଅ ବାବୁଲାଲ ସୋରେନ, ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା, ମଧୁ କୋଡାଙ୍କ ପତ୍ନୀ ଗୀତା କୋଡା ଓ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁଙ୍କୁ ପ୍ରାର୍ଥୀ କରିଛି।
ବିଜେପି ପ୍ରଦେଶ ସଭାପତି ବାବୁଲାଲ ମରାଣ୍ଡି ଧନବାର ସିଟରୁ ପ୍ରାର୍ଥୀ ହୋଇଛନ୍ତି। ୫ ବର୍ଷ ପୂର୍ବେ ମରାଣ୍ଡି ତାଙ୍କ ପାର୍ଟି ଝାଡଖଣ୍ଡ ବିକାଶ ମୋର୍ଚ୍ଚାକୁ ବିଜେପିରେ ବିଲୟ କରିଥିଲେ। ସେହିପରି ୨ ମାସ ପୂର୍ବେ ବିଜେପିରେ ଯୋଗ ଦେଇଥିବା ଜେଏମଏମର ପୂର୍ବତନ ବିଧାୟକ ଲୋବିନ ହେମ୍ବ୍ରମଙ୍କୁ ବିଜେପି ବୋରିୟୋରୁ ଟିକେଟ ଦେଇଛି। ବୋରିୟୋକୁ ଜେଏମଏମର ଗଡ଼ ମନେକରାଯାଏ। ସେହିପରି ଝାଡଖଣ୍ଡ ବିକାଶ ମୋର୍ଚ୍ଚାରୁ ଆସି ବିଜେପିରେ ଯୋଗ ଦେଇଥିବା ପରିତୋଷ ସୋରେନଙ୍କୁ ଶିକାରୀପାଡା ସିଟରୁ ପ୍ରାର୍ଥୀ କରାଯାଇଛି।
ଜେଏମଏମ ସଂସ୍ଥାପକ ଶିବୁ ସୋରେନଙ୍କ ବୋହୂ ସୀତା ସୋରେନଙ୍କୁ ବିଜେପି ଜାମତାଡା ଆସନରୁ ପ୍ରାର୍ଥୀ କରିଛି। ଅତୀତରେ ସୀତା ସୋରେନ ଦୁମକାରୁ ଲୋକସଭା ନିର୍ବାଚନରେ ମଧ୍ୟ ଭାଗ୍ୟ ପରୀକ୍ଷା କରିଥିଲେ। ଦେବେନ୍ଦ୍ର କୁଂବର ଜେଏମଏମରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ସେ ଚାହୁଁଥିବା ଜରମୁଣ୍ଡି ସିଟ୍ ମେଣ୍ଟ ଯୋଗୁ କଂଗ୍ରେସକୁ ଦିଆଯିବାରୁ ଅସନ୍ତୁଷ୍ଟ ହୋଇ ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ବିଜେପି ଜରମୁଣ୍ଡିରୁ ପ୍ରାର୍ଥୀ କରିଛି।
ସେହିପରି ୨୦୧୯ରେ ସ୍ୱାଧୀନ ପ୍ରତିଦ୍ୱନ୍ଦ୍ୱୀତା କରି ଜିତିଥିବା ଅମିତ ଯାଦବଙ୍କୁ ତାଙ୍କ ବରକଠା ଆସନରେ ପ୍ରାର୍ଥୀ କରାଯାଇଛି। ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ବରିଷ୍ଠ କଂଗ୍ରେସ ନେତା ମନୋଜ ଯାଦବ ବରହୀରୁ ଅତୀତରେ ବିଧାୟକ ନିର୍ବାଚିତ ହୋଇଥିଲେ। ତେବେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ପରେ ତାଙ୍କୁ ବରେହୀ ଆସନରୁ ପ୍ରାର୍ଥୀ କରାଯାଇଛି। ଆଜସୁରୁ ବିଜେପିକୁ ଆସିଥିବା ରୋସନ ଲାଲ ଚୌଧୁରୀଙ୍କୁ ବରକାଗାଁବରୁ ପ୍ରାର୍ଥୀ କରାଯାଇଛି।
ଜମୁାଆରେ ବିଜେପି ନିଜ ସିଟିଂ ଏମଏଲଏଙ୍କ ଟିକେଟ କାଟି ଦେଇଛି। କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ମଞ୍ଜୁ ଦେବୀଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଛି। ସେହିପରି ଚମ୍ପଇ ସୋରେନଙ୍କ ପୁଅ ବାବୁଲାଲ ସୋରେନ ପିତାଙ୍କ ସହ ଜେଏମଏମ ଛାଡି ଆସିଛନ୍ତି। ଏଣୁ ବିଜେପି ତାଙ୍କୁ ଘଟଶିଳାରୁ ପ୍ରାର୍ଥୀ କରିଛି। ସେହିପରି ଚମ୍ପେଇ ସୋରେନଙ୍କୁ ତାଙ୍କ ପାରମ୍ପରିକ ଆସନ ସରାୟକେଲାରୁ ପ୍ରାର୍ଥୀ କରାଯାଇଛି। କଂଗ୍ରେସର ପୂର୍ବତନ ସାଂସଦ ଗୀତା କୋଡାଙ୍କୁ ବିଜେପି ଜଗନ୍ନାଥପୁର ଆସନରୁ ପ୍ରାର୍ଥୀ କରିଛି। ଗୀତା ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ । ଏନସିପିରୁ ଆସି ବିଜେପିରେ ଯୋଗ ଦେଇଥିବା କମଲେଶ କୁମାର ସିଂହଙ୍କୁ ପାର୍ଟି ହୁସୈନବାଦରୁ ପ୍ରାର୍ଥୀ କରିଛି।