ୱାସିଂଟନ ୨୭।୨: ଆମେରିକାରେ ଟ୍ରମ୍ପ ସରକାର କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି। ଟ୍ରମ୍ପ ପ୍ରଶାସନ ଅନୁସାରେ ଅନ୍ତର୍ଜାତୀୟ ବିକାଶ ନିମନ୍ତେ ଆମେରିକୀୟ ଏଜେନ୍ସୀର ୯୦ ପ୍ରତିଶତରୁ ଅଧିକ ବିଦେଶୀ ସହାୟତା ଅନୁବନ୍ଧକୁ ସମାପ୍ତ କରିବ ଓ ସାରା ବିଶ୍ୱରେ ୬୦ ବିଲିୟନ ଡଲାରର ଆମେରିକୀୟ ସହାୟତା ସମାପ୍ତ ହେବ। ଏହା ସହିତ ଆମେରିକା ରାଷ୍ଟ୍ରପତି ୟୁରୋପୀୟ ୟୁନିୟନରୁ ଆମଦାନୀ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇବାକୁ ବି ଘୋଷଣା କରିଛି।
ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ପରେ ୟୁଏସଏଆଇଡର ମାତ୍ର କିଛି ପ୍ରକଳ୍ପ କାମ କରିବ। ଟ୍ରମ୍ପ ପ୍ରଶାସନ ପକ୍ଷରୁ ମିଳିଥିବା ଏକ ଇଟର୍ଣ୍ଣାଲ ମେମୋ ଓ ଏକ ସଂଘୀୟ ମୋକଦ୍ଦମା ଲାଗି ପ୍ରସ୍ତୁତ ଡକ୍ୟୁମେଣ୍ଟରେ ନିଜ ଯୋଜନାର ରୂପେରଖ ପ୍ରସ୍ତୁତ କରିଛନ୍ତି। ଏଥିରୁ ଏହା ମଧ୍ୟ ଜଣାପଡ଼ିଛି ଯେ ପ୍ରଶାସନ ବିଦେଶରେ ଆମେରିକୀୟ ସହାୟତା ଓ ବିକାଶ ସହାୟତାରୁ କେଉଁ ପର୍ଯ୍ୟନ୍ତ ପଛକୁ ହଟୁଛି। ଏଥିରୁ ଟ୍ରମ୍ପ ୨.୦ ଆମେରିକାର ଦଶନ୍ଧୀ ପୁରୁଣା ନୀତିରୁ ମଧ୍ୟ ପଛକୁ ହଟୁଥିବାର ଦେଖାଯାଉଛି।
ଆମେରିକା ପକ୍ଷରୁ ଏହି ବିଦେଶୀ ସହାୟତା ଅନ୍ୟ ଦେଶ ଓ ଅର୍ଥବ୍ୟବସ୍ଥାଗୁଡିକୁ ସ୍ଥିର କରିବା ସହ ମେଣ୍ଟ କରି ଆମେରିକୀୟ ସ୍ୱାର୍ଥ ପୂରଣ କରୁଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଯୋଗୀ ଏଲନ ମସ୍କ ସଂଘୀୟ ସରକାର ଆକାରକୁ ହ୍ରାସ କରିବାର ପ୍ରୟାସରେ ବିଦେଶୀ ସହାୟତା ତୀବ୍ର ହ୍ରାସ କରୁଛନ୍ତି। ସେମାନଙ୍କ କହିବା କଥା ହେଲା ୟୁଏସଏଆଇଡି ପ୍ରକଳ୍ପ ଉଦାରବାଦୀ ଏଜେଣ୍ଡାକୁ ଆଗକୁ ବଢାଇବା ସହ ଅର୍ଥର ଅପବ୍ୟୟ କରୁଛି।
ଫଣ୍ଡିଂ ଫ୍ରିଜ ହେବା ଯୋଗୁ ବିଦେଶରେ ଚାଲୁଥିବା ଆମେରିକାର ହଜାର ହଜାର କାର୍ଯ୍ୟକ୍ରମ ଅଟକି ଯାଇଛି। କାରଣ ସରକାର ଓ ମସ୍କଙ୍କ ସରକାରୀ ଦକ୍ଷତା ବିଭାଗ ଟିମ୍ ଜୋରଜବରଦସ୍ତ ଛଟେଇ ଓ ବହିଷ୍କାର ମାଧ୍ୟମରେ ଅନେକ ୟୁଏସଏଆଇଡି କର୍ମଚାରୀଙ୍କୁ ଚାକିରୀରୁ ଛଟେ କରିଦିଆଗଲାଣି। ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋ କର୍ମଚାରୀଙ୍କ ଛଟେଇ ସମୀକ୍ଷା କରିଛନ୍ତି। ୟୁଏସଏଆଇଡି ଅଧିକାରୀଙ୍କ ଦ୍ୱାରା କର୍ମଚାରୀଙ୍କୁ ପଠାଯାଇଥିବା ଇ-ମେଲର ଉଦାହରଣ ଦେଇ ‘ଏବେ ଆହୁରି ଅନେକ ଛଟେଇ ହୋଇପାରେ, ଦୟାକରି ପ୍ରସ୍ତୁତ ରୁହନ୍ତୁ’ ବୋଲି ବିଦେଶ ବିଭାଗ କହିଛି।