ମୁକ୍ତାକାଶ ରଙ୍ଗମଞ୍ଚରେ ପଡିବ ଯବନିକା, କଂସଙ୍କ ସ୍ୱପ୍ନରେ କୃଷ୍ଣଙ୍କ ସହିତ ଯୁଦ୍ଧ...

Published By : Prameya-News7 Bureau | January 13, 2025 IST

ବରଗଡ ୧୩/୦୧: କୃଷ୍ଣ ବଳରାମ ବେନୀଭାଇ ମାମୁଁ କଂସଙ୍କ ନିମନ୍ତ୍ରଣ ପାଇ ପହଞ୍ଚିଛନ୍ତି ମଥୁରା । ମଥୁରା ଭ୍ରମଣରେ ବାହାରିଥିବା ସମୟରେ କଂସଙ୍କ ରଜକ ଓ ସୁଦାମା ମାଳୀ ସହିତ ସାକ୍ଷାତ ହୋଇଥିଲା ବରଗଡ ଧନୁଯାତ୍ରାର ଦଶମ ଦିନରେ । ସେହିପରି ପୁଜା କରିବାକୁ ଆସିଥିବା କୁବୁଜାକୁ ସ୍ପର୍ଶକରି ଅପୂର୍ବ ସୁନ୍ଦରୀରେ ପରିଣତ କରିଦେଇଥିଲେ ଭଗବାନ ଶ୍ରୀକୃଷ୍ଣ । ଅନ୍ୟ ପକ୍ଷରେ ମହାରାଜା କଂସ ସ୍ୱପ୍ନରେ କୃଷ୍ଣଙ୍କ ସହ ଯୁଦ୍ଧ କରି ଭୟଭୀତ ହୋଇ ପଡି ମଥୁରାର ଚତୁର୍ଦ୍ଦିଗରେ ସୈନ୍ୟସାମନ୍ତ ମୁତୟନ କରିଛନ୍ତି ଆସନ୍ନ ମୁତ୍ୟୁକୁ ନେଇ । 

ସୂଚନା ଥାଉକି, ଧନୁଯାତ୍ରା ଦେଖିବା ମାମୁଁ କଂସଙ୍କ ନିମନ୍ତ୍ରଣ ପାଇ କୃଷ୍ଣ ବଳରାମ ଗୋପାଳ ବାଳକଙ୍କ ସହିତ ଭ୍ରମଣ ରେ ବାହାରିଥିଲେ ମଥୁରା କଟକ । ମଥୁରା ବାସୀ ଭଗବାନ ଶ୍ରୀକୃଷ୍ଣ ବଳରାମଙ୍କୁ ପୂର୍ଣ କଳସ ସ୍ଥାପନ ସହ ଧୁପ ଦୀପ ନୈବେଦ୍ୟ ଦେଇ ସ୍ୱାଗତ କରିଥିଲେ । ତେବେ ଭ୍ରମଣ ସମୟରେ ମହାରାଜା କଂସଙ୍କ ରଜକ ସହିତ ସାକ୍ଷାତ ହୋଇଥିଲା ବେନୀଭାଇଙ୍କ । ପରେ ପରେ କୃଷ୍ଣ ଭକ୍ତ ସୁଦାମା ମାଳି ମହାରାଜା କଂସଙ୍କ ପାଇଁ ଫୁଲ ନେଇ ଯାଉଥିବା ସମୟରେ ଭେଟ ହେବା ସହ କୃଷ୍ଣଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ  ମଥୁରା ନଗରୀକୁ । 


ସେହିପରି ପୁଜା କରିବାକୁ ଆସି ଥିବା କୁବୁଜାକୁ ସ୍ପର୍ଶ କରି  ଅପୂର୍ବ ସୁନ୍ଦରୀରେ ପରିଣତ କରି ଦେଇଥିଲେ ଭଗବାନ ଶ୍ରୀକୃଷ୍ଣ । ତେବେ ମଥୁରା ବାସୀ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପାଇ ନିଜକୁ ଧନ୍ୟ ମନେ କରିଛନ୍ତି । ସେହିପରି ମଥୁରା ନଗରୀରେ ମହାରାଜା କଂସ ଆସନ୍ନ ମୁତ୍ୟୁକୁ ନେଇ ବିଚଳିତ ହୋଇପଡିଛନ୍ତି । ବିଜୁଳି କନ୍ୟାର ଦୈବବାଣୀକୁ ନେଇ ରାତିରେ ଠିକ୍ ଭାବରେ ନିଦ୍ରା ହେଉ ନ ଥିବା ବେଳେ ସୁରା ପାନ କରିଛନ୍ତି ମହାରାଜା । ପରେ ମହାରାଜା କଂସ ଶୋଇଥିବାବେଳେ ସ୍ୱପ୍ନରେ ଦେଖିଛନ୍ତି ଦେବକୀ, ବସୁଦେବ ଓ କୃଷ୍ଣକୁ ।  

କଂସ କୃଷ୍ଣଙ୍କ ସହିତ ଗଦା ଯୁଦ୍ଧ , ମଲ୍ଲ ଯୁଦ୍ଧ କରି ସ୍ୱପ୍ନରେ ଦେଖିବାକୁ ପାଇଛନ୍ତି ନିଜ ମୁତ୍ୟୁ କୁ । ସେହିପରି ନିଜ ପ୍ରତିବିମ୍ବ ଦେଖି ଆହୁରି ଭୟଭୀତ ହୋଇ ପଡିଛନ୍ତି ମହାରାଜା କଂସ । ତେବେ ମଥୁରା ନଗରୀରେ ଆସନ୍ନ ବିପଦ ତଥା ନିଜ ମୁତ୍ୟୁ ଆଶଙ୍କାରେ ଚାରିଦିଗରେ ସୈନ୍ୟସାମନ୍ତ ମୁତୟନ କରିବା ସହ ନୃତ୍ୟ ଗୀତରେ ମସଗୁଲ ରହିଛନ୍ତି ମହାରାଜ କଂସ । ତେବେ ବରଗଡ ଧନୁଯାତ୍ରା ର ଦଶମ ଦିନରେ ପ୍ରବଳ ଜନସମାଗମ ହୋଇଥିବାବେଳ ନିଜକୁ ମହାରାଜା କଂସଙ୍କ ପ୍ରଜା ଭାବରେ ଗର୍ବ ଅନୁଭବ କରିଛନ୍ତି ଦର୍ଶକ । ସେହିପରି କୃଷ୍ଣ ମଥୁରା ନଗରୀ ଭ୍ରମଣ କରି ବେଶ ଉତ୍ସାହିତ ମନେକରିଛନ୍ତି । 

ଆଜି ହେଉଛି ଏଗାର ଦିନ ଧରି ଚାଲିଥିବା ବରଗଡ ଧନୁଯାତ୍ରା ଅନ୍ତିମ ଦିବସ । କଂସର ବଧ ସହ ପରିସମାପ୍ତି ଘଟିବ ଏଗାର ଦିନ ମହାନାଟକ । ତେବେ ଅନ୍ତିମ ଦିନରେ କୃଷ୍ଣବଳରାମଙ୍କ ହସ୍ତରେ କୁବଳୟା ହସ୍ତୀ ବଧ, ଚାଣ୍ଡୁର ଓ ମୁଷ୍ଟିକ ଆଦି ମଲ୍ଲ ନିଧନ , ଶିବ ଧନୁ ଭଙ୍ଗ, ଉଗ୍ରସେନଙ୍କ ରାଜ୍ୟାଭିଷେକ ଏବଂ ଦେବକୀ ବାସୁଦେବଙ୍କୁ କାରାଗାରରୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.