ପୁରୀ: ଆସୁଛି ନୂଆବର୍ଷ । ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେବା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବ। ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ସୁପରିଚାଳନା ଏବଂ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ରେ ଶ୍ରୀମନ୍ଦିର ଭିତରେ, ବାହାରେ ଓ ସମୁଦ୍ରକୂଳ ସହ ସମ୍ପୂର୍ଣ୍ଣ ପୁରୀ ସହରକୁ କଡ଼ା ସୁରକ୍ଷା ବଳୟରେ ରଖାଯିବ। ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯିବା ସହ ସହରର ତିନୋଟି ପ୍ରବେଶ ପଥରେ କଡ଼ା ଚେକିଂ କରାଯିବ। ଏହି ଦୁଇ ଦିନ ସହର ଭିତରକୁ ଗାଡି ଚଳାଚଳ ଉପରେ ମଧ୍ୟ ଲାଗିଛି ଅନେକ କଟକଣା । ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ସମସ୍ତ ନିୟମ ଓ କଟକଣାକୁ ମାନିବାକୁ ଭକ୍ତ ଓ ପର୍ଯ୍ୟଟକଙ୍କୁ ଅନୁରୋଧ କରିଛନ୍ତି ପୁରୀ ଏସପି।
ନୂଆବର୍ଷରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଡିସେମ୍ବର ୩୧ ଏବଂ ଜାନୁଆରୀ ୧ରେ ପୁରୀକୁ ହେବ ଲକ୍ଷାଧିକ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଆଗମନ । ତେଣୁ ଶ୍ରୀମନ୍ଦିର, ସମୁଦ୍ରକୂଳ ସହ ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଏହି ବାରିକେଡ୍ରେ ଧାଡିରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ସେହିପରି ଟ୍ରାଫିକ୍ ବ୍ୟବସ୍ଥା ଉପରେ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ । ଭୁବନେଶ୍ବର ପଟୁ ଆସୁଥିବା ଗାଡ଼ି ଗୁଡିକ ଜେଲ୍ ରୋଡ ଏବଂ ଶରଧାବାଲି ପାର୍କିଂରେ ଗାଡ଼ି ରଖିବେ।
Also read: ୧୦ ଦିନ ଭିତରେ ରିପୋର୍ଟ ଦେଲେ ଚାଷୀ ତାଙ୍କ କ୍ଷତିପୂରଣ ପାଇବେ : ସମବାୟ ମନ୍ତ୍ରୀ
କୋଣାର୍କ ପଟୁ ଆସୁଥିବା ଗାଡ଼ି ଗୁଡିକ ତାଳବଣିଆ ପଡ଼ିଆ, ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ି ଗୁଡିକ ଷ୍ଟ୍ରଲିଙ୍ଗ ଏବଂ ଯାତ୍ରୀକାରେ ଗାଡ଼ି ପାର୍କିଂ ନେଇ ବ୍ୟବସ୍ଥା ହୋଇଛି। ଏହି ଦୁଇ ଦିନ ବଡ଼ଦାଣ୍ଡର ମେଡିକାଲ୍ ଛକରୁ ଶ୍ରୀମନ୍ଦିର ଏବଂ ମେଡିକାଲ୍ ଛକରୁ ଭିଆଇପି ରୋଡ ଦେଇ ଲାଇଟ୍ ହାଉସ ଛକ ଯାଏଁ ଚାରିଚକିଆ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିବ। ପୁରୀ ସହରର ତିନୋଟି ପ୍ରବେଶ ପଥରେ ପୋଲିସ ପକ୍ଷରୁ ନାକା ଲଗାଯାଇ ପୁରୀକୁ ଆସୁଥିବା ଗାଡ଼ି ଗୁଡିକୁ ଯାଞ୍ଚ କରାଯିବ। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ର କୂଳ ସହ ସହରର ପ୍ରମୁଖ ସ୍ଥାନ ଗୁଡ଼ିକ ସିସିଟିଭି ନଜରରେ ରହିବ। ସମୁଦ୍ର ସ୍ନାନ ସମୟରେ ଯେଭଳି କୌଣସି ଅଘଟଣ ନ ଘଟେ ତା'କୁ ରୋକିବା ପାଇଁ ପର୍ଯ୍ୟପ୍ତ ଲାଇଫ ଗାର୍ଡ ନିୟୋଜିତ କରାଯାଇଛି। ସମସ୍ତ ଭକ୍ତ ଓ ପର୍ଯ୍ୟଟକ ପୋଲିସକୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଏସପି ।
Also read: ଧନୁଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ବଢ଼ିଲା ଅନୁଦାନ ରାଶି, ୟୁନେସ୍କୋ ମାନ୍ୟତା ପାଇଁ ଗଠନ ହେବ କମିଟି
ପୁରୁଣା ବର୍ଷକୁ ବିଦାୟ ଓ ନୂଆ ବର୍ଷକୁ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଭକ୍ତଙ୍କ ଭିଡ଼ । ଆଜି ଓଲିଉଡ଼ ଅଭିନେତା ସବ୍ୟସାଚୀ ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅର୍ଚ୍ଚିତା ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ଏହା ଭକ୍ତଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଆସା ରଖିଛନ୍ତି ସବ୍ୟସାଚୀ । ସେହିଭଳି ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରି ଭଲରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଅନୁରୋଧ କରିଛନ୍ତି ଅର୍ଚ୍ଚିତା।
ନୂଆ ବର୍ଷ ଉପଲକ୍ଷେ ପୁରୀ ସହରରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନେ ପୁରୀ ପୋଲିସ ପକ୍ଷରୁ ସୋସିଆଲ ମିଡିଆରେ ଦିଆଯାଇଥିବା ସୂଚନାକୁ ଦେଖି ପୁରୀ ଆସିବାକୁ ପୋଲିସ ପକ୍ଷରୁ କୁହାଯାଇଛି।