SIRକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ –କରନି ବାହାନା

NEWS7
lakhya-annanyas-on-screen-romance-

ନୂଆଦିଲ୍ଲୀ ୨୭।୨: ପଶ୍ଚିମବଙ୍ଗ ଏସଆଇଆରରେ ଦାବି ଓ ଯାଞ୍ଚ ନିମନ୍ତେ ନିଯୁକ୍ତ ବିଚାର ବିଭାଗୀୟ ଅଧିକାରୀଙ୍କୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯିବା ନେଇ ବେଙ୍ଗଲ ସରକାର କରିଥିବା ଆପତ୍ତିକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ପ୍ରକ୍ରିୟାରେ ବିଳମ୍ବ କରିବା ପାଇଁ ଛୋଟମୋଟ ବାହାନା କରନ୍ତୁନି, ବିଚାରବିଭାଗୀୟ ଅଧିକାରୀଙ୍କୁ କାମ କରିବାକୁ ଦିଅନ୍ତୁ ସେମାନେ ନିରପେକ୍ଷ ଭାବେ କାମ କରିବେ। ଆପଣଙ୍କୁ ଆଶଙ୍କା କରିବାର ଆବଶ୍ୟକତା ନାହିଁ।

ଶୀର୍ଷ ନ୍ୟାୟାଳୟ ମାମଲାରେ ରାଜ୍ୟ ସରକାରଙ୍କ ଆପତ୍ତିକୁ ଟାଳି ମୌଖିକ ଟିପ୍ପଣୀରେ କହିଛନ୍ତି ଯେ ପ୍ରକ୍ରିୟାକୁ ବୁଝିବା ପାଇଁ ଯଦି ନିର୍ବାଚନ ଆୟୋଗ ସେମାନଙ୍କୁ ଟ୍ରେନିଂ ନ କରାଇବେ ତ ଆଉ କିଏ କରାଇବ? କାରଣ ସେମାନଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ଟିପ୍ପଣୀ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ବେଞ୍ଚ ସେତେବେଳେ କରିଛନ୍ତି ଯେତେବେଳେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ ବିଚାର ବିଭାଗୀୟ ଅଧିକାରୀଙ୍କ ଟ୍ରେନିଂ ମଡ୍ୟୁଲ ଉପରେ ପ୍ରଶ୍ନ ଉଠାଇ ନିର୍ବାଚନ ଆୟୋଗ ଦ୍ୱାରା ଟ୍ରେନିଂକୁ ଆପତ୍ତି କରିଥିଲେ।

ଶିବଲ କୋର୍ଟଙ୍କ ଆଗରେ ମାମଲା ଉଲ୍ଲେଖ କରି କହିଛନ୍ତି ଯେ ଏସଆଇଆର ପ୍ରକ୍ରିୟାରେ ନିଯୁକ୍ତ ବିଚାରବିଭାଗୀୟ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ ଟ୍ରେନିଂ ଦେଉଛନ୍ତି। ତେବେ ସୁପ୍ରିମକୋର୍ଟ ଏହି ଦାୟିତ୍ୱ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଉପରେ ନ୍ୟସ୍ତ କରିଥିଲେ। ଶିବଲ କହିଛନ୍ତି ଯେ ନିର୍ବାଚନ ଆୟୋଗ ସେମାନଙ୍କୁ କେଉଁ କାଗଜପତ୍ର ସ୍ୱୀକାର୍ଯ୍ୟ ଓ କଣ ଅସ୍ୱୀକାର୍ଯ୍ୟ ତାହା ବୁଝାଉଛନ୍ତି। ତେବେ ଏହି ଆପତ୍ତି ଉପରେ ସୁପ୍ରିମକୋର୍ଟ ଛୋଟମୋଟ ବାହାନା କରନ୍ତୁନି ବୋଲି କହିଛନ୍ତି, କାରଣ ଏହାକୁ ଯେମିତି ହେଲେ ସମାପ୍ତ କରିବାକୁ ପଡିବ।

କୋର୍ଟ କହିଛନ୍ତି ଯେ ବିଚାରବିଭାଗୀୟ ଅଧିକାରୀଙ୍କୁ କାମ କରିବାକୁ ଦିଅନ୍ତୁ, ସେମାନେ ସ୍ୱାଧୀନ ରୂପେ କାମ କରିବେ। ବିଚାରବିଭାଗୀୟ ଅଧିକାରୀଙ୍କ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ। ଏପରି ଛୋଟମୋଟ ବାହାନା କରି ଏସଆଇଆରକୁ ଆଉ ବିଳମ୍ବିତ କରାଯାଇ ପାରିବନି। ପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍ ଜୟମାଲ୍ୟା ବାଗଚୀ କହିଛନ୍ତି ଯେ ପ୍ରକ୍ରିୟାକୁ ବୁଝିବା ପାଇଁ ଯଦି ନିର୍ବାଚନ ଆୟୋଗ ସେମାନଙ୍କୁ ଟ୍ରେନିଂ ଦେବେନି ତେବେ କିଏ ଦେବ? ସେମାନଙ୍କୁ ଏପରି କାର୍ଯ୍ୟ ଦିଆଯାଇଛି ସେମାନଙ୍କ ସାଧାରଣ କାର୍ଯ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ପୀଠ କହିଛନ୍ତି ଯେ ଆମର ଆଦେଶ ସମ୍ପୂର୍ଣ୍ଣ ସ୍ପଷ୍ଟ। ଏଥିରେ ଶିବଲ ନିଜର କଥାକୁ ଅଧିକ ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି ଯେ ନିର୍ବାଚନ ଆୟୋଗ ସେମାନଙ୍କୁ ଏସଡିଓଙ୍କ ଦ୍ୱାରା ଜାରି ନିବାସ ପ୍ରମାଣ ପତ୍ର ସ୍ୱୀକାର ନ କରିବାକୁ କୁହାଯାଉଛି। ଏଥିରେ ପୀଠ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଅଧିସୂଚନା ଓ କୋର୍ଟଙ୍କ ଆଦେଶରେ ଯଦି ସେ ସାମିଲ ତେବେ ଏହାକୁ ଦେଖାଯିବ। କାରଣ କୋର୍ଟ ସ୍ପଷ୍ଟ କରିସାରିଛନ୍ତି କେଉଁ କାଗଜପତ୍ରର ଯାଞ୍ଚ ହେବ। ଏଣୁ ସିଜେଆଇ ଆପତ୍ତିକୁ ଏଡାଇ ଦେଇ ଆମେ ସବୁଦିନ ଏପରି କଥା ବରଦାସ୍ତ କରିପାରିବୁନି ଓ ଏହାର ଅନ୍ତ ହେବା ଦରକାର ବୋଲି କହିଛନ୍ତି। ପୀଠ କହିଛନ୍ତି ଆମେ ଆମର ବିଚାରବିଭାଗୀୟ ଅଧିକାରୀଙ୍କୁ ଜାଣୁ, ସେମାନେ କାହା କଥାରେ ପ୍ରଭାବିତ ହେବେନି। ଏଣୁ ମାମଲାରେ କୋର୍ଟ କୌଣସି ଆଦେଶ କିମ୍ବା ନିର୍ଦ୍ଦେଶ ଦେଇ ନାହାନ୍ତି।