Iran-US Tensions: ଅଶାନ୍ତ ହୋଇପଡ଼ିବ ସମଗ୍ର ଏସିଆ, ଆମେରିକାକୁ ଖାମେନିଙ୍କ ଚେତାବନୀ

NEWS7
lalit-modi-how-created-ipl-full-details-untold-story

ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଆମେରିକାକୁ ଚେତାବନୀ ଦେଇଛନ୍ତି । ଇରାନ ଉପରେ ଆମେରିକା ଆକ୍ରମଣ କଲେ, ଏହା ସମଗ୍ର ପଶ୍ଚିମ ଏସିଆରେ ସଂଘର୍ଷ ସୃଷ୍ଟି କରିବ। ଖାମେନି ରବିବାର ଏହି ବିବୃତ୍ତି ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଇରାନ ଉପରେ ଆକ୍ରମଣ ସମଗ୍ର ଅଞ୍ଚଳରେ ପ୍ରତିଫଳିତ ହେବ। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ, ଇରାନ ପ୍ରତିଶୋଧ ସ୍ୱରୂପ ଆରବ ଦେଶଗୁଡ଼ିକରେ ଥିବା ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରିବ। ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ମଧ୍ୟରେ ଖାମେନିଙ୍କ ଏହି ମନ୍ତବ୍ୟ ଆସିଛି। ସେପଟେ ଇରାନ ନିକଟ ଆରବ ସାଗରରେ ଆମେରିକାର ଯୁଦ୍ଧଜାହାଜ ମୁତୟନ ହୋଇଛି।

ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ଇରାନର ସରକାରୀ ଟେଲିଭିଜନ ଆୟାତୋଲ୍ଲା ଅଲି ଖାମେନିଙ୍କ ମନ୍ତବ୍ୟ ପ୍ରକାଶ କରିଛି । ଏଥିରେ ଖାମେନି କହିଛନ୍ତି,  ‘ଆମେରିକୀୟମାନେ ଜାଣିବା ଉଚିତ ଯେ, ଯଦି ସେମାନେ ଯୁଦ୍ଧ ଆରମ୍ଭ କରନ୍ତି, ତେବେ ଏଥର ଏହା ଏକ କ୍ଷେତ୍ରୀୟ ଯୁଦ୍ଧ ହେବ। ଆମେ ଉତ୍ତେଜନା ସୃଷ୍ଟିକାରୀ ନୁହଁ। ଆମେ କୌଣସି ଦେଶ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁନାହୁଁ, କିନ୍ତୁ ଆମେ ଭୟଭୀତ ନୁହେଁ। ଆକ୍ରମଣ କରିବାକୁ ଥିବା ଯେକୌଣସି ଦେଶକୁ ଉଚିତ ଜବାବ ଦେବ ଇରାନ।’

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଶନିବାର ପ୍ରଥମ ଥର ପାଇଁ ସାଧାରଣରେ ନଜର ଆସିଥିଲେ । ତାଙ୍କର ଗୁରୁ ଏବଂ ପୂର୍ବତନ ଇରାନର ସର୍ବୋଚ୍ଚ ନେତା ରୁହୋଲ୍ଲା ଖୋମେନିଙ୍କ ସମାଧିସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗତ ଏକ ମାସ ଧରି ଇରାନରେ ଅଶାନ୍ତି ଦେଖାଦେଇଛି। ଡିସେମ୍ବର ୨୮ ତାରିଖରେ ମୁଦ୍ରାସ୍ଫୀତି ଏବଂ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ପ୍ରତିବାଦ ଆରମ୍ଭ ହୋଇଥିଲା। ଏହା ଶୀଘ୍ର ଖାମେନି ଶାସନ ବିରୋଧରେ ପ୍ରତିବାଦରେ ପରିଣତ ହୋଇଥିଲା।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରତିବାଦକାରୀଙ୍କୁ ସମର୍ଥନ ଜଣାଇଥିଲେ । ଟ୍ରମ୍ପଙ୍କ ଏହି ସମର୍ଥନ ପରେ ପରିସ୍ଥିତି ଏକ ନୂଆ ମୋଡ଼ ନେଇଥିଲା । ଏହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଥିଲା। ଆମେରିକାର ଶତାଧିକ C-17 ଏବଂ C-5 ସାମରିକ ବିମାନ ଅସ୍ତ୍ରଶସ୍ତ୍ର ଧରି ଇରାନ ଚାରିପାଖରେ ଥିବା ଘାଟିରେ ପହଞ୍ଚିଛନ୍ତି। ଇରାନ ଜଳସୀମା ନିକଟରେ ଆମେରିକାର ଯୁଦ୍ଧଜାହାଜ ମୁତୟନ ଏବଂ ସାମରିକ କାର୍ଯ୍ୟକଳାପ ସମଗ୍ର ଅଞ୍ଚଳରେ ଉତ୍ତେଜନା ବୃଦ୍ଧି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ଏବଂ ସାମରିକ କାର୍ଯ୍ୟକଳାପ ଚିନ୍ତା ବଢାଇ ଦେଇଛି । ଇରାନ ଉପରେ ଯେକୌଣସି ସମୟରେ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ବଢ଼ିଛି ।