କଟକ ୮।୧୦: ଜମିଜମା ସଂକ୍ରାନ୍ତୀୟ ମାମଲାର ତ୍ୱରିତ ଫଇସଲା ପାଇଁ ଏଣିକି ରାଜସ୍ବ ପରିଷଦ ପକ୍ଷରୁ ନିୟମିତ ଭାବେ ଶୁଣାଣି କରାଯିବ। ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଏହି ତଥ୍ୟ ଦେଇଛି ରାଜ୍ୟ ରାଜସ୍ବ ବିଭାଗ । କେବଳ ରାଜସ୍ବ ପରିଷଦଙ୍କ ନିକଟରେ ୧ ଲକ୍ଷ ୩୧ ହଜାର ମାମଲା ପଡି ରହିବାର କାରଣ କ’ଣ ? ଏସବୁର ସମାଧାନ ଦିଗରେ କ’ଣ ପଦକ୍ଷେପ ନେଉଛ ବୋଲି ଗତ ମାସ ୨୫ ତାରିଖରେ ହାଇକୋର୍ଟ ପ୍ରଶ୍ନ କରିଥିଲେ । ଏନେଇ ସତ୍ୟପାଠ ଦାଖଲ କରିବାକୁ ଉଭୟ ରାଜସ୍ବ ସଚିବ ଏବଂ ମେମ୍ବର ରାଜସ୍ବ ପରିଷଦଙ୍କୁ ନିର୍ଦ୍ଦେଶ ହୋଇଥିଲା । ତେବେ ଦାଖଲ ହୋଇଥିବା ସତ୍ୟପାଠରେ ରାଜସ୍ବ ବିଭାଗ ଦର୍ଶାଇଛି କି, ଏଣିକି ପ୍ରତି ସପ୍ତାହରେ ରିଭିଜିନାଲ କୋର୍ଟ ବସିବେ । ଅଦାଲତ ବାବଦରେ ସମସ୍ତ ତଥ୍ୟ ପୋର୍ଟାଲରେ ନିୟମିତ ଭାବେ ଅପଲୋଡ଼ ହେବ ।
ପ୍ରତ୍ୟେକ ଶୁଣାଣି ଦିନରେ ସର୍ବନିମ୍ନ ୫୦ଟି ମାମଲା ପଞ୍ଜିକୃତ ହେବ । ରିଭିଜିନାଲ କୋର୍ଟ ମାନଙ୍କରେ ଆବଶ୍ୟକୀୟ ଲ’ ଅଫିସର ନିଯୁକ୍ତ ହେବେ । ରାଜସ୍ବ ପରିଷଦଙ୍କ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ଟି ରିଭିଜିନାଲ କୋର୍ଟ ଥାଇ ସୁଦ୍ଧା, ୧ ଲକ୍ଷ ୩୧ ହଜାର କେସ୍ ସମାଧାନ ନହୋଇ ପଡି ରହିଛି । ଉକ୍ତ ଅବ୍ୟବସ୍ଥାର ଶିକାର ହୋଇ ଗୁରୁ ଚରଣ ମହାନ୍ତି ନାମକ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।