ଅକ୍ଟୋବର୨ରେ ବର୍ଷର ଶେଷ ସୂର୍ଯ୍ୟପରାଗ, ଜାଣନ୍ତୁ ଭାରତରେ ଦେଖା ଯିବ କି ନା ‘ରିଂ ଅଫ ଫାୟାର’

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ ୨୯।୯: ଜ୍ୟୋତିଷୀରେ ଖଗୋଳିୟ ଘଟଣା ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣକୁ ବହୁତ ଗୁରୁତ୍ୱ ଦିଆଯାଏ। ୨ ଅକ୍ଟୋବର ବୁଧବାର ବର୍ଷର ଶେଷ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସୂର୍ଯ୍ୟ ପରାଗ ସମ୍ପୂର୍ଣ୍ଣ ନ ହୋଇ ବଳୟାକାର ହେବ, ଯାହାକୁ ‘ରିଂ ଅଫ ଫାୟାର’ ବୋଲି ମଧ୍ୟ କୁହାଯାଏ। ଏହି ସୂର୍ଯ୍ୟ ପରାଗ କାଳରେ କିଛି ସ୍ଥାନରେ ଆକାଶରେ ଅଗ୍ନିର ବଳୟ ଦେଖିବାକୁ ମିଳିବ। ଅକ୍ଟୋବର ୨ ତାରିଖ ସର୍ବ ପିତୃ ଅମାବାଶ୍ୟା ସହିତ ଦେଶରେ ଅପରପକ୍ଷ ସମାପ୍ତ ହେବ। 

ଚଳିତବର୍ଷ ଅପରପକ୍ଷ ପ୍ରାରମ୍ଭ ସେପ୍ଟେମ୍ବର ୧୮ ଚନ୍ଦ୍ର ଗ୍ରହଣରେ ହୋଇଥିଲା, ଯାହା ୨ ଅକ୍ଚୋବର ସୂର୍ଯ୍ୟ ପରାଗରେ ସମାପ୍ତ ହେବ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗର ସଠିକ ତିଥି, ସମୟ ଓ ଭାରତରେ ଦେଖା ଯିବ କି ନା?

ସୂର୍ଯ୍ୟ ପରାଗ ଭାରତୀୟ ସମୟ ଅନୁସାରେ ୨ ଅକ୍ଟୋବର ରାତି ୯ଟା ବାଜି ୧୩ ମିନିଟରେ ଆରମ୍ଭ ହୋଇ ଭୋର ୩ଟା ୧୭ ମିନିଟରେ ପୂର୍ଣ୍ଣ ମୋକ୍ଷ ହେବ। ୨୦୨୪ ମସିହାରେ ମୋଟ ୨ଟି ଚନ୍ଦ୍ର ଗ୍ରହଣ ଓ ୨ଟି ସୂର୍ଯ୍ୟ ପରାଗ ହୋଇଛି। ଏଥିରେ ଅକ୍ଟୋବର ୨ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ବର୍ଷର ଶେଷ ପରାଗ ହେବ। ତେବେ ରାତିରେ ସୂର୍ଯ୍ୟ ପରାଗ ହେଉଥିବାରୁ ଭାରତରେ ଦେଖାଯିବ ନାହିଁ। ଏହି ସୂର୍ଯ୍ୟପରାଗ ପ୍ରଶାନ୍ତ ମହାସାଗର, ଦକ୍ଷିଣ ଆମେରିକା, ଆର୍ଜେଣ୍ଟିନା, ଫିଜି, ଚିଲ୍ଲି ସମେତ ଅନ୍ୟ ଅଞ୍ଚଳରେ ଦେଖାଯିବ। 

ବୈଜ୍ଞାନିକଙ୍କ ଅନୁସାରେ ଯେବେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ଶରଳ ରେଖାରେ ଆସନ୍ତି ତେବେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ଭଳି ଖଗୋଳୀୟ ଘଟଣା ସଂଗଠିତ ହୋଇଥାଏ। ଚନ୍ଦ୍ର ପୃଥିବୀକୁ ପରିକ୍ରମା କରୁଥିବା ବେଳେ କେବେ ନିକଟରେ ଥାଏ ତ କେବେ ଦୂରକୁ ଯାଏ। ଏଣୁ ପୃଥିବୀର  ନିକଟତର ହେବା ବେଳେ ଚନ୍ଦ୍ରର ଆକାର ବଡ଼ ଦେଖାଯାଏ। ସୂର୍ଯ୍ୟ ପରାଗ ସମୟରେ ଚନ୍ଦ୍ର ଯଦି ପୃଥିବୀ ନିକଟରେ ଥାଏ ତେବେ ବଡ଼ ଆକାର ଯୋଗୁ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଢାଙ୍କି ଦିଏ। ଏପରି ହେଲେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ହୁଏ। ସେହିପରି ଚନ୍ଦ୍ର ଦୂରରେ ଥିଲେ ଛୋଟ ଆକାର ଯୋଗୁ ସୂର୍ଯ୍ୟଙ୍କ ମଝି ଅଂଶକୁ ହିଁ ଢାଙ୍କି ପାରେ। ଏଥିରେ ସୂର୍ଯ୍ୟଙ୍କ କଡ ଦେଖାଯାଏ ଯାହା ଅଗ୍ନିର ବଳୟ ଭଳି ଦେଖାଯାଏ। ଏହାକୁ ରିଂ ଅଫ ଫାୟାର କୁହାଯାଏ। 

ସୂର୍ଯ୍ୟ ପରାଗ ହେଲେ ଏହାର ୧୨ ଘଣ୍ଟା ପୂର୍ବରୁ ସୂତକ କାଳ ଲାଗେ। ଏହି ସମୟରେ ସମସ୍ତ ଶୁଭ କାର୍ଯ୍ୟ ବର୍ଜିତ ହୋଇଥାଏ। ଏଣୁ ମନ୍ଦିରର କବାଟ ମଧ୍ୟ ବନ୍ଦ କରିଦିଆଯାଏ। ତେବେ ଶେଷ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେଉ ନାହିଁ। ଏଣୁ ସୂତକ କାଳ ମାନ୍ୟ ହେବ ନାହିଁ। ଏହି ସୂର୍ଯ୍ୟ ପରାଗ ଭାରତରେ ମାନ୍ୟ ନୁହେଁ ବୋଲି ଜ୍ୟୋତିଷୀୟ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.