ଭୁବନେଶ୍ବର ୧୧।୭: ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରେ ବଡ଼ ଠାକୁର ପ୍ରଭୁ ବଳଭଦ୍ର ହାମୁଡ଼େଇ ପଡ଼ିଯିବା ଘଟଣାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଦାୟିତ୍ବହୀନ କାର୍ଯ୍ୟ କରିଥିବା ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପହଣ୍ଡି ବେଳେ ପ୍ରଭୁ ବଳଭଦ୍ର ପଡିଯିବା ଘଟଣାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ।
ନବୀନ ଚିଠିରେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଅସ୍ମିତାର ପ୍ରତୀକ । ଏଭଳି ଘଟଣା ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି । ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ । ହଜାର ହଜାର ବର୍ଷର ପରମ୍ପରାରେ ଏଭଳି କେବେ ଘଟିନଥିଲା । ବଡ଼ଠାକୁର ବଳଭଦ୍ର ପଡ଼ିଥିବା ଅତ୍ୟନ୍ତ ହୃଦୟ ବିଦାରକ । କିଛି ମନ୍ତ୍ରୀଙ୍କ ହାଲୁକା ମନ୍ତବ୍ୟ, ଲୋକଙ୍କ ଦୁଃଖକୁ ବଢ଼ାଇଛି । ଏହା ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି । ଏହାର ପୁନରାବୃତ୍ତି ଯେପରି ନଘଟିବ, ତାହା ସୁନିଶ୍ଚିତ କରିବେ । CM ନିଜେ ଦାୟିତ୍ବ ନେଇ ସୁନିଶ୍ଚିତ କରାନ୍ତୁ । ଦୃଷ୍ଟାନ୍ତମୂଳକ ପଦକ୍ଷେପ, ଭକ୍ତଙ୍କୁ ଆଶ୍ବସ୍ତ କରିବ ।
ଏଭଳି ଘଟଣା ଘଟିବା ପରେ ଖୋଦ୍ ଗଜପତି ମହରାଜ କହିଥିଲେ, ଏହି ଘଟଣାକୁ ନେଇ ସେବାୟତମାନେ ଯାହା ଶିକ୍ଷା ପାଇବା କଥା ପାଇ ସାରିଛନ୍ତି । କେତେ ଗୁଡ଼ିଏ ମୂଳ ସମସ୍ୟା ରହିଛି । ପହଣ୍ଡି ବେଳେ ଅଧିକ ସଂଖ୍ୟକ ସେବକ ରହିବା ଏବଂ ରଥ ଉପରେ ଅଧିକ ସଂଖ୍ୟକ ସେବକ ଚଢ଼ିବା ଚିନ୍ତାଜନକ । ନିଳାଦ୍ରୀ ବିଜେ ପରେ ଘଟଣାର ତଦନ୍ତ ହେବ । ଆଗାମୀ ରଥଯାତ୍ରା ସମୟରେ ଯେଭଳି ଏହାର ପୁନରାବୃତ୍ତି ନହେବ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ ଗଜପତି । ସେହିଭଳି ପରିଚାଳନା କମିଟି ସଦସ୍ୟ ତଥା ବିରିଷ୍ଠ ଦଇତାପତି ସେବାୟତ ଦୁର୍ଗାପ୍ରସାଦ ମହାପାତ୍ର ମଧ୍ୟ ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ସେବାୟତଙ୍କ ଉପସ୍ଥିତିକୁ ଦାୟୀ କରିଥିଲେ । ମହାପ୍ରଭୁଙ୍କ ପହଣ୍ଡି ବେଳେ ଛାଟେଣୀ ଖସିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ସେବାୟତ କହିଥିଲେ ।
You Can Read:
ହଦଗଡ ଡ୍ଯାମ୍ରେ ପଡିଛି ତାଲା, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ