‘ବିଜେପିରେ ନେତାଙ୍କ ପୁଅ ନେତା ହୁଅନ୍ତି ନାହିଁ’, ସଦସ୍ୟତା ଗ୍ରହଣ ପରେ ଅଧ୍ୟକ୍ଷ ନିର୍ବାଚନ ହେବ: ନଡ୍ଡା

Published By : Prameya-News7 Bureau | September 26, 2024 IST

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଦଳର ସଦସ୍ୟତା ଅଭିଯାନରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି । ଜେପି ନଡ୍ଡା କହିଛନ୍ତି ଯେ ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରାଜନୈତିକ ଦଳ । ଗୋଟିଏ ମଞ୍ଚରେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଉପସ୍ଥିତ ରହି ସଦସ୍ୟତା କରାଇବା କଂଗ୍ରେସ ଭଳି ଅନ୍ୟ ଦଳରେ ଦେଖିବାକୁ ମିଳେ ନାହିଁ । ଏକମାତ୍ର ବିଜେପିରେ ହିଁ ଅତ୍ୟନ୍ତ ସ୍ୱଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ । ସଦସ୍ୟତା ଗ୍ରହଣ ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ । ପ୍ରଥମେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ନିର୍ବାଚନ ପରେ ରାଷ୍ଟ୍ରୀୟ ସ୍ତରରେ ଅଧ୍ୟକ୍ଷ ନିର୍ବାଚନ ହେବ । ବିଜେପିରେ ଜଣେ ନେତାଙ୍କ ପୁଅ ନେତା ହୁଅନ୍ତି ନାହିଁ । ଜଣେ ସାଧାରଣ ଲୋକ ନେତା ହୁଅନ୍ତି ବୋଲି ନଡ୍ଡା କହିଛନ୍ତି ।

ଜେପି ନଡ୍ଡା କହିଛନ୍ତି ଯେ ଦେଶରେ ୫ ହଜାର ପାର୍ଟି ଅଛନ୍ତି । ସେଥିମଧ୍ୟରୁ ୫୦ ହେଉଛନ୍ତି ସକ୍ରିୟ ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ମୁସଲମାନ୍ ଭଉଣୀଙ୍କୁ ତିନି ତଲାକ୍ ସମସ୍ୟାରୁ ମୁକ୍ତି ଦେଇଛନ୍ତି । ଟ୍ରିପଲ ତାଲାକ ସମାପ୍ତ କରିବା ପାଇଁ ସୁପ୍ରିମକୋର୍ଟ କହିଥିଲେ । ପାକିସ୍ତାନ, ବାଂଲାଦେଶ, ଇରାକ ଭଳି ମୁସଲିମ ଦେଶରେ ଟ୍ରିପଲ୍ ତଲାକ ବ୍ୟବସ୍ଥା ନାହିଁ । କିନ୍ତୁ ଭାରତରେ ଟ୍ରିପଲ୍ ତଲାକ ମାଧ୍ୟମରେ ମହିଳା ମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଥିଲା । ଟ୍ରିପଲ୍ ତଲାକ ବନ୍ଦ ହେବା ଫଳରେ ସଂଖ୍ୟାଲଘୁ ମହିଳାମାନେ ସେମାନଙ୍କ ଅଧିକାର ପାଇଲେ । 

କଂଗ୍ରେସ ଦଳ କମ୍ୟୁନାଲ ନ୍ୟାସନାଲନିଜିମର ମୁଖପାତ୍ର ପାଲଟିଛି । ୩୭୦ ଧାରା ପୁଣି ଲାଗୁ କରିବା ପାଇଁ ପାକିସ୍ତାନ ସହ ହାତ ମିଶାଇଛି କଂଗ୍ରେସ । ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଜାମ୍ମ କାଶ୍ମୀର ଲୋକ ବିଧାନସଭାରେ ଭୋଟ ଦେଉଛନ୍ତି । 

ମୋଦିଙ୍କ ନେତୃତ୍ୱରେ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଛି ଭାରତ । ଖୁବଶୀଘ୍ର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ଭାରତ । ୯୭ ପ୍ରତିଶତ ମୋବାଇଲ ଏବେ ଦେଶରେ ଉତ୍ପାଦନ ହେଉଛି । ଖେଳନା ରପ୍ତାନି କ୍ଷେତ୍ରରେ ତୃତୀୟ ବୃହତ୍ତମ ଦେଶ ଭାରତ ହୋଇଛି । ଅଟୋମୋବାଇଲ କ୍ଷେତ୍ରରେ ତୃତୀୟ ବୃହତ୍ତମ ଦେଶ ହୋଇଛି । କିନ୍ତୁ କଂଗ୍ରେସ ବାରମ୍ବାର ଦରବୃଦ୍ଧି କଥା କହୁଛି । 

୧୨ କୋଟି ୩୬ ଲକ୍ଷ ପରିବାର, ୪୦ ପ୍ରତିଶତ ପରିବାର ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ୟୁନିଭର୍ସଲ ହେଲ୍ଥ କଭରେଜ ପାଉଛନ୍ତି । ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳୁଛି । ୭୦ ବର୍ଷରୁ ଅଧିକ ୬ କୋଟି ବୟୋଜ୍ୟେଷ୍ଠ ଲୋକ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସେବା ପାଇବେ । ବିଜେପିର ସଦସ୍ୟ ହେବା ପାଇଁ ଏହା ହିଁ ଉଚିତ ସମୟ ବୋଲି ନଡ୍ଡା କହିଛନ୍ତି । 

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପାଇଁ ଆହ୍ଵାନ ଦେଇଥିଲେ । ଓଡ଼ିଶାବାସୀ ସରକାର ଗଠନ କଲେ । ରାଜ୍ୟରେ ସଦସ୍ୟ ସଂଖ୍ୟା ବୃଦ୍ଧି ହେଲେ ସଙ୍ଗଠନ ସୁଦୃଢ ହେବ । ବିଜେପି ଏବେ ଓଡ଼ିଶାରେ ଲୋକଙ୍କ ଆଶୀର୍ବାଦ ପାଇଁ ୧ ନମ୍ବର ଦଳ ହୋଇଛି । ୧ କୋଟି ସଦସ୍ୟ ସଂଗ୍ରହ ପାଇଁ ବିଜେପି ଲକ୍ଷ୍ୟ ରଖିଛି । ୨୦୩୬ ବେଳକୁ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ସଂକଳ୍ପ ନେଇଛନ୍ତି ମୋଦୀ । ଦଳର ସବୁଠୁ ବଡ଼ କାର୍ଯ୍ୟକ୍ରମ ହେଉଛି ସଦସ୍ୟତା ଅଭିଯାନ ପର୍ବ । 

 

  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.