୩୩ ମୃତ, ୧୯୫ ଗୁରୁତର; ଇସ୍ରାଏଲ ଆକ୍ରମଣରେ ଛାରଖାର ଲେବାନନ

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଭୀଷଣ ଯୁଦ୍ଧ ଆରମ୍ଭ ହୋଇଛି । ଶନିବାର ଆଇଡିଏଫ ହମଲାରେ ଲେବାବନର ୩୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୯୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛି ଲେବାନନର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଲେବାନନ ମନ୍ତ୍ରୀ ନାସିର ୟାସୀନ ନ୍ୟୁଜ୍ ଏଜେନ୍ସି ରୟଟର୍ସକୁ ସୂଚନା ଦେଇ କହିଛନ୍ତି, ଇସ୍ରାଏଲର ଏହି ଭୟଙ୍କର ଆକ୍ରମଣରେ ପ୍ରାୟ ୧୦ଲକ୍ଷ ଲେବାନନୀ ବିସ୍ଥାପିତ ହୋଇଛନ୍ତି । ଶୁକ୍ରବାର ହମଲା ପରେ ପ୍ରାୟ ହଜାରରୁ ଅଧିକ ଲୋକ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ।  

ମନ୍ତ୍ରୀ ନାସିର ୟାସୀନ କହିଛନ୍ତି, ଇସ୍ରାଏଲ ଯେଉଁ ଭଳି ବୋମା ବର୍ଷା କରୁଛି, ଲେବାନନରେ ଲୋକେ ରହିବା ମୁସ୍କିଲ୍ ହୋଇଯାଇଛି । ସାଧାରଣ ଲୋକେ ଘର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଇସ୍ରାଏଲ ସେନା ବିରୁଟର ଥିବା ହିଜବୁଲ୍ଲାର ହେଡ୍ କ୍ବାର୍ଟରରେ ଆକ୍ରମଣ କରୁଥିଲା । ଏହି ଭୀଷଣ ଆକ୍ରମଣରେ ହିଜବୁଲ୍ଲା ଚିଫ୍ ହସନ ନସ୍‌ରଲ୍ଲାହର ମୃତ୍ୟୁ ହୋଇଛି । ସେହିପରି ଏହି ଆକ୍ରମଣରେ ହିଜବୁଲ୍ଲାର ଅଧିକାଂଶ କମାଣ୍ଡର ପ୍ରାଣ ହରାଇଛନ୍ତି । ଶନିବବାର ହିଜବୁଲ୍ଲା ଆତଙ୍କୀ ସଂଗଠନ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି । ହସନ ନସ୍‌ରଲ୍ଲାହର ମୃତ୍ୟୁ ପରେ ଲେବାନନରେ ତିନି ଦିନିଆ ଶୋକ ଦିବସ ପାଳନ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଛି । 

ଏପେଟ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହିଜବୁଲ୍ଲା ମୁଖ୍ୟଙ୍କ ମୃତ୍ୟୁ ବଡ଼ ଉପଲବ୍ଧି ବୋଲି କହିଛନ୍ତି । ନସ୍‌ରଲ୍ଲାହର ହତ୍ୟା ଏକ ଐତିହାସିକ ଟର୍ଣ୍ଣିଂ ପଏଣ୍ଟ , ଯାହା ମଧ୍ୟପ୍ରାଚ୍ୟରେ ଶକ୍ତି ସନ୍ତୁଳନକୁ ବଦଳଇ ପାରିବ । ଏହାଛଡ଼ା ଆଗକୁ ଆସୁଥିବା ଚ୍ୟାଲେଞ୍ଜକୁ ଏହା ଚେତାବନୀ ଦେଇ ପାରିବ ବୋଲି ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.