ବହୁ ଚର୍ଚ୍ଚିତ ବ୍ରହ୍ମପୁର ଶାନ୍ତି ମିଶ୍ର ହତ୍ୟା ମାମଲା : ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | November 07, 2024 IST

ବ୍ରହ୍ମପୁର ୭।୧୧: ବହୁ ଚର୍ଚ୍ଚିତ ବ୍ରହ୍ମପୁର ଶାନ୍ତି ପ୍ରସାଦ ମିଶ୍ର ହତ୍ୟା ମାମଲାରେ ୧୧ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ । ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇଲେ ଜିଲ୍ଲା ଓ ଦୌରା ଜଜ୍ । 

ସୂଚନାଯୋଗ୍ୟ ଯେ, ଶାନ୍ତି ପ୍ରସାଦ ମିଶ୍ରଙ୍କ ନାମରେ ଏକାଧିକ ମାମଲା ରହିଥିଲା । ଗତ ୨୦୧୩ ଜାନୁଆରୀ ୨୯ ତାରିଖ ସକାଳେ  ଶାନ୍ତି ମିଶ୍ର ଗୋଶାଣିନୂଆଗାଁ ଥାନାକୁ ଯାଇ ସେଠାରେ ହାଜିରା ଦେଇଥିଲେ । ସେଠାରୁ ସେ ବାଇକ୍‌ରେ ଘରକୁ ଫେରୁଥିଲେ । ଗୋଶାଣିନୂଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ କେତେକ ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇ ଥିଲେ । ସେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଥିଲେ । ସେ ନିଜର ପ୍ରାଣ ବଞ୍ଚାଇବା ପାଇଁ ଶେଷରେ  ନିକଟରେ ଥିବା ଏକ ପୋଖରୀ ଭିତରେ ପଶିଯାଇଥିଲେ । ହେଲେ ଦୁର୍ବୃତ୍ତ ମାନେ ସେଠାରେ ଆତଙ୍କରାଜ ଖେଳାଇବା ସହ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଥିଲେ । ପୋଖରୀ ଭିତରେ ଥିବା ଶାନ୍ତି ମିଶ୍ରଙ୍କୁ  ସେମାନେ ଚାଟିପଟେ ଘେରିଯାଇ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ପରେ ଅପରାଧୀ ମାନେ  ସେଠାରୁ ଚମ୍ପଟ ମାରିଥିଲେ । ପୋଲିସ ସେଠାରେ ପହଞ୍ଚି ଗୁରୁତର ଆହତ ଶାନ୍ତିଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।


You Can Read:

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ବନ୍ଧାହେଲେ ଇଡକୋ ଜୁନିୟର ମ୍ୟାନେଜର, ଠାବ ହୋଇଛି ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ସମ୍ପତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.