ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ହଙ୍ଗାମା, TMC ନେତା ଓ CECଙ୍କ ମଧ୍ୟରେ ତୀବ୍ର କଥାକଟାକଟି

NEWS7
light-boy-dies-after-falling-30-foot-ladder-on-kannada-film

ନୂଆଦିଲ୍ଲୀ ୩୧।୧୨: ଦିଲ୍ଲୀ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବୁଧବାର ଅଚାନକ ରାଜନୈତିକ ଉଷ୍ମତା ଦେଖା ଦେଇଛି। ତୃଣ ମୂଳ କଂଗ୍ରେସ୍ (ଟିଏମସି) ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଓ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକରେ ତୀବ୍ର କଥା କଟାକଟି ହୋଇଛି। ପାଖାପାଖି ଅଢେଇଘଣ୍ଟା ଧରି ଚାଲିଥିବା ଏହି ମାରାଥନ ବୈଠକରେ ପରିସ୍ଥିତି ଏପରି ହୋଇଥିଲା ଯେ ଅଭିଷେକ ବାନାର୍ଜୀ ନିର୍ବାଚନ କମିସନରଙ୍କୁ ‘ଆଙ୍ଗୁଠି ଦେଖାଇ କଥା କୁହନ୍ତୁନି’ ବୋଲି କହିଛନ୍ତି।

ଭୋଟର ଲିଷ୍ଟରେ ତ୍ରୁଟି ଓ ଏସଆଇଆର ପ୍ରସଙ୍ଗରେ ଏହି ବୈଠକ ଡକାଯାଇଥିଲା। ତେବେ ଏହି ହାଇପ୍ରୋଫାଇଲ ବୈଠକ ବିନା କୌଣସି ଫଳାଫଳରେ ଶେଷ ହୋଇଛି। ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସିର ୧୦ ଜଣ ସାଂସଦଙ୍କ ପ୍ରତିନିଧି ମଣ୍ଡଳି ସିଇସିଙ୍କ ସାମ୍ନାରେ ଅନେକ ଜଟିଳ ପ୍ରଶ୍ନ ରଖିଥିଲେ। ହେଲେ ସିଇସି ଗୋଟେ ବି ପ୍ରଶ୍ନର ସଠିକ ଉତ୍ତର ଦେଇ ପାରିନଥିଲେ। ବୈଠକରୁ ବାହାରକୁ ଆସି ଗଣମାଧ୍ୟମ ସହ କଥାବାର୍ତ୍ତାରେ ବାନାର୍ଜୀ କହିଛନ୍ତି ଯେ ଆମେ ସିଇସିଙ୍କୁ ମନେ ପକାଇ ଦେଇଛୁ ଯେ ଆମେ ଜନତାଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ଓ ଆପଣ ଜଣେ ମନୋନୀତ ଅଧିକାରୀ। ଏହି ଅବସରରେ ବାନାର୍ଜୀ ଚାଞ୍ଚଲ୍ୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଏବେ ଦେଶରେ ଇଭିଏମ ବଦଳେ ସଫ୍ଟୱେର ଓ ଏଲଗରିଦିମ ଜରିଆରେ ଭୋଟର ଲିଷ୍ଟରେ ହେରଫେର କରି ଭୋଟ ଚୋରିର ନୂଆ ଷଡ଼ଯନ୍ତ୍ର ରଚା ଯାଇଛି ।

ଟିଏମସି ନେତା କହିଛନ୍ତି ଯେ ଏସଆଇଆରରେ ୧.୩୬ କୋଟି ମାମଲାରେ ବିସଙ୍ଗତି ଦେଖା ଯାଇଛି। ହେଲେ ଆୟୋଗ ଏହାର ତାଲିକା ଜାରି କରୁ ନାହାନ୍ତି। ସେ ଇସିଆଇ ଆପରେ ତ୍ରୁଟି ଥିବାର ସିଧାସଳଖ ଅଭିଯୋଗ କରିଛନ୍ତି। ଏଥିରୁ ସ୍ଥାନୀୟ ଅଧିକାରୀଙ୍କ ଅଜାଣତରେ ସଫ୍ଟୱେର ମାଧ୍ୟମରେ ସିଧାସଳଖ ନାମ ହଟାଇ ଦିଆଯାଉଛି ବୋଲି କହିଛନ୍ତି। ସେହିପରି ସତ୍ୟାପନ ନାମରେ ୬୦ ବର୍ଷରୁ ଅଧିକ ବୟଷ୍କ ଓ ଦିବ୍ୟାଙ୍ଗଙ୍କୁ ଘଣ୍ଟା ଘଣ୍ଟା ବସାଇ ରଖା ଯାଉଛି। ଏଣୁ ବାନାର୍ଜୀ ସିଇସିଙ୍କୁ ଚ୍ୟାଲେଞ୍ଜ କରି ଯଦି ସାହାସ ଅଛି ବୈଠକର ସିସିଟିଭି ଫୁଟେଜ ସାର୍ବଜନିକ କରନ୍ତୁ ବୋଲି କହିଛନ୍ତି, ଯାହାଦ୍ୱାରା ଦେଶ ସତ କଣ ଜାଣି ପାରିବ ବୋଲି କହିଛନ୍ତି।

ଅଭିଷେକ ବାନାର୍ଜୀ କହିଛନ୍ତି ଯେ ରୋହିଙ୍ଗ୍ୟା ଓ ବାଂଲାଦେଶୀଙ୍କ ନାମରେ ପଶ୍ଚିମବଙ୍ଗକୁ ଜାଣିଶୁଣି ବଦନାମ କରାଯାଉଛି। ସେ ସ୍ପଷ୍ଟ ରୂପେ କହିଛନ୍ତି ଯେ ଯଦି ୫୮ଲକ୍ଷ ସନ୍ଦିଗ୍ଧ ଲୋକଙ୍କ ସୂଚୀରେ କେହି ଅବୈଧ ନାଗରିକ ଅଛନ୍ତି ତେବେ ସେମାନଙ୍କୁ ନିଶ୍ଚିତ ହଟାନ୍ତୁ, ହେଲେ ଏହା ଆଢୁଆଳରେ ମିଥ୍ୟା ଅପପ୍ରଚାର ବରଦାସ୍ତ କରାଯିବନି। କଂଗ୍ରେସ, ଆପ ଓ ଆରଜେଡି ଭଳି ବିରୋଧୀ ଦଳଙ୍କୁ ସତର୍କ କରି ବାନାର୍ଜୀ କହିଛନ୍ତି ଯେ କିଏ ଭୋଟ ଦେବ ଓ କିଏ ଦେବନି ତାହା ଏବେ ବିଜେପି ନିର୍ଦ୍ଧାରଣ କରୁଛି। ତେବେ ୨୦୨୬ରେ ବେଙ୍ଗଲରେ ଜନତା ପୁଣି ବିଜେପିକୁ ହରାଇବେ ବୋଲି ସେ ଦାବିର ସହ କହିଛନ୍ତି।