ଭୁବନେଶ୍ବର ୧୨।୧୧: ଭୁବନେଶ୍ବର ଇନଫୋସିଟି ଥାନା ଅନ୍ତର୍ଗତ ପଥରଗାଡିଆ ଅଞ୍ଚଳରେ ବାଣ ବିସ୍ଫୋରଣ ଘଟଣାର ଚାଲିଛି ତନାଘନା । ବିସ୍ଫୋରଣ ହୋଇଥିବା ଘର ସାମ୍ନାରେ ଥିବା ଏକ ଘରେ ରହିଛି ବସ୍ତା ବସ୍ତା ବିସ୍ଫୋରକ । ବାରୁଦ ଘରେ ନିଆଁ ଲାଗିଥିଲେ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥାନ୍ତା ।
ଅନ୍ୟପଟେ ଏହି ଘରେ ଭଡାରେ ରହୁଥିବା ଯୁବତୀ ମାନେ ସେମାନଙ୍କର ଜିନିଷପତ୍ର ନେଇ ଅନ୍ୟତ୍ର ପଳାଇଛନ୍ତି । ସ୍ଥାନୀୟ ଆରଆଇ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ଜୋନ୍ ୬ ଏସିପି ଓ ଇନଫୋସିଟି ଥାନା ଅଧିକାରୀ ଘଟଣାର ତଦନ୍ତ କରିଛନ୍ତି । ଏହା ଏକ ବାଣ ଗୋଦାମ ହୋଇଥିବାରୁ ବହୁ ପୂର୍ବରୁ ପୋଲିସ ପାଖରେ ଖବର ଥିଲେ ମଧ୍ୟ କାହିଁକି ପୋଲିସ ଚୁପ୍ ଥିଲା ତାହା ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଇନଫୋସିଟି ପୋଲିସ ସୋମବାର ରାତିରେ ଟ୍ରକ୍ ଲଗାଇ ଏଠାରୁ ବାଣ ନେଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ସେପଟେ, ବାଣ କାରଖାନାକୁ ସିଲ୍ କରିଛି ଇନଫୋସିଟି ଥାନା ପୋଲିସ । ଏହା ସହିତ ବାଣ କାରଖାନା ମାଲିକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ବାଣ କାରଖାନା ଭିତରେ କେମିତି ଏବଂ କାହା ଅନୁମତିରେ ଚାଲିଥିବା ଲେଡିଜ ହଷ୍ଟେଲ । ତାହାର ମଧ୍ୟ ତଦନ୍ତ କରୁଛି ପୋଲିସ । ଅଗ୍ନିଶମ ବାହିନୀ ମଧ୍ୟ ଘଟଣାର ଯାଞ୍ଚ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ସୋମବାର ଭୟଙ୍କର ବାଣ ବିସ୍ଫୋରଣରେ ଉଡିଯାଇଛି ଘରର ଛାତ, କାନ୍ଥ ଏବଂ ସବୁ ଝରକା । ଆଖପାଖ ଅଞ୍ଚଳରେ ମଧ୍ୟ ଅନେକ ଘର ଭାଙ୍ଗିଯାଇଛି । ଅଢେଇ ଘଣ୍ଟାରୁ ଅଧିକ ସମୟ ଅପରେସନ ପରେ ଅଗ୍ନିଶମ ବାହିନୀର ୪ଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
You Can Read:
ବିସ୍ଫୋରଣ ପରେ ଆକ୍ସନ, ସିଲ୍ ହେଲା ବାଣ କାରଖାନା