ବଢ଼ିଲା ସିଦ୍ଦରମେୟାଙ୍କ ଅଡ଼ୁଆ: ମୁଦା ଜମି ଦୁର୍ନୀତି ଘଟଣାରେ ମାମଲା ରୁଜୁ କଲା ଲୋକାୟୁକ୍ତ

Published By : Prameya-News7 Bureau | September 27, 2024 IST

indiatoday

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିଛି ମୁଦା ଦୁର୍ନୀତି। ମାମଲା ଯେତେ ବଢୁଛି ଆସନ ସେତେ ଟଳମଳ ହେଉଛି। ଏହି ଘଟଣାରେ ଆଉ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆଶିଛି। ଶୁକ୍ରବାର ଲୋକାୟୁକ୍ତ ସିଦ୍ଦରମେୟାଙ୍କ ବିରୋଧରେ ମାମଲା ରୁଜୁ କରିଛି। 

ଏହାପୂର୍ବରୁ ଗତକାଲି ସିଦ୍ଦରମେୟା ସରକାର ଏହି ମାମଲାର ତଦନ୍ତ କରୁଥିବା ସିବିଆଇର ତଦନ୍ତ ଅନୁମତି(ଓପନ କନସେଣ୍ଟ)କୁ ପ୍ରତ୍ୟାହାର କରି ନେଇଥିଲେ। କେନ୍ଦ୍ରୀୟ ଏଜେନ୍ସି ପକ୍ଷପାତ କରୁଛି ବୋଲି ଅଭିଯୋଗ କରି କର୍ଣ୍ଣାଟକ ସରକାର ସିବିଆଇ ତଦନ୍ତ ପାଇ ଥିବା ରାଜ୍ୟ ଅନୁମତିକୁ ପ୍ରତ୍ୟାହାର କରିଥିଲେ। ଏହାପରେ ସିଦ୍ଦରମେୟାଙ୍କୁ ଆଶ୍ୱସ୍ଥି ମିଳିଥିଲା। ହେଲେ ଶୁକ୍ରବାର ଏହି ମାମଲାରେ ଲୋକାୟୁକ୍ତ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। 

ସିଦ୍ଦରମେୟାଙ୍କ ବିରୋଧରେ ମହୀଶୂର ଅର୍ବାନ ଡେଭଲପମେଣ୍ଟ ଅଥୋରିଟି(ମୁଦା)ରେ ଜମି ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲର ତଦନ୍ତ ଜାରି ରହିଛି। 

ଏହି ଘଟଣାରେ ଦୁଇ ଦିନ ତଳେ କର୍ଣ୍ଣାଟକର ଏକ ସ୍ୱତନ୍ତ୍ର ଅଦାଲତ ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତ ପୁଲିସକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଦାରେ ମୂଲ୍ୟବାନ ଜମିକୁ ସିଦ୍ଦରମେୟାଙ୍କ ପତ୍ନୀଙ୍କ ନାଁରେ ଆବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ଏଫ୍‌ଆଇଆର୍‌ରେ ସିଦ୍ଦରମେୟାଙ୍କୁ ପ୍ରଥମ ଅଭିଯୁକ୍ତ ଭାବେ ଅଭିହିତ କରାଯାଇଥିବା ବେଳେ ତାଙ୍କ ପତ୍ନୀ ପାର୍ବତୀ ଦ୍ୱିତୀୟ ଓ ତାଙ୍କ ସଳା ମଲ୍ଲିକାର୍ଜୁନ ସ୍ୱାମୀ ଏବଂ ଜମି ମାଲିକ ଦେବରାଜଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। 

ଅଭିଯୋଗ ଅନୁସାରେ, ମହୀଶୂର ବିକାଶ ସଂସ୍ଥା ପାର୍ବତୀଙ୍କ ମାଲିକାନାରେ ଥିବା ଏକ ଜମି ଅଧିଗ୍ରହଣ କରି ତାଙ୍କୁ ଅଧିକ ମୂଲ୍ୟର କ୍ଷତିପୂରଣ ଦେଇଥିଲା। ଏହାପରେ ବିଜେପି ନେତୃତ୍ୱାଧୀନ ବିରୋଧୀ ତଥା କିଛି କାର୍ଯ୍ୟକର୍ତ୍ତା ସିଦ୍ଧରମେୟା ଏବଂ ତାଙ୍କ ପତ୍ନୀ ପାର୍ବତୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ବେଆଇନ ଚୁକ୍ତି କରି ଅଧିକ କ୍ଷତିପୂରଣ ପାଇ ଲାଭବାନ ହୋଇଥିବା ସେମାନେ ଅଭିଯୋଗ କରିଥିଲେ। ଏଥିରେ ପାଖାପାଖି ୪ ହଜାର କୋଟିର ଦୁର୍ନୀତି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.