ଭଦ୍ରକ ୦୫।୧୨ : ଲୁଟ୍ର ନୂଆ ତରିକା । ପ୍ରଥମେ କୁକୁଡ଼ା ଭାଡ଼ି ଖୋଲିଲେ, ଘର ଲୋକେ ଘରୁ ବାହାରିବା ପରେ ବେକରେ ଛୁରୀ ଲଗାଇ ଲୁଟିଲେ, ବିରୋଧ କରିବାରୁ ଆକ୍ରମଣ କରିଲେ। ୬ ଜଣ ଦୁର୍ବୃତ୍ତ ଘରେ ପଶି ଏଭଳି କାରନାମା କରିଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଧୀନ ନପଙ୍ଗ ଅଞ୍ଚଳରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ, ୬ ଜଣ ଅଜଣା ଦୃର୍ବୁତ୍ତ ପ୍ରଥମେ ଘର୍ ସାମ୍ନାରେ ଥିବା କୁକୁଡ଼ା ଭାଡ଼ି ଖୋଲି ଦେଇଥିଲେ । କୁକୁଡ଼ାଙ୍କ ଶବ୍ଦ ଶୁଣି ଘର ଲୋକେ ବାହାରକୁ ଆସିଥିଲେ।ଏହି ସମୟରେ ପ୍ରାୟ ୬ ଜଣ ଦୃର୍ବୁତ୍ତ ଘର ଭିତରକୁ ପଶିଥିଲେ । ଏହାପରେ ଘରେ ଥିବା ମହିଳାଙ୍କ ବେକରେ ମାରଣାସ୍ତ୍ର ଲଗାଇ ସୁନା ଗହଣା ମାଗିଥିଲେ । ନଦେବାରୁ ଛୋଟ ପିଲାଙ୍କୁ ମାରିବାକୁ ଧମକ ମଧ୍ୟ ଦେଇଥିଲେ। ପରେ ଘରେ ଥିବା ପୁରୁଷ ଲୋକେ ଏହାକୁ ବିରୋଧ କରିବାରୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଶେଷରେ ଏହି ଘଟଣାରେ ଘରର ୪ ଜଣ ସଦସ୍ୟ ଆହତ ହୋଇଛନ୍ତି । ଲୁଟ୍ ପରେ ଦୃର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି ।