ଭୁବନେଶ୍ୱର ୨୩/୦୭: ଲଘୁଚାପ ଓ ପରେ ହୋଇଥିବା ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଗତ କିଛି ଦିନ ଧରି ଦକ୍ଷିଣ ଓଡ଼ିଶା ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି । ଏହାସତ୍ତେ୍ୱ ମୌସୁମୀ ସମୟରେ ୧୬ ଜିଲ୍ଲାରେ ବର୍ଷା ସ୍ଥିତି ନିଅଣ୍ଟିଆ ରହିଛି ।
ବାଲେଶ୍ୱରରେ ସର୍ବାଧିକ ୫୩% ନିଅଣ୍ଟିଆ ବର୍ଷା ହୋଇଛି । ମୟୂରଭଞ୍ଜରେ ୪୮%, ସୁନ୍ଦରଗଡ଼ରେ ୪୬%, ଝାରସୁଗୁଡ଼ାରେ ୪୨%, କେନ୍ଦ୍ରାପଡ଼ା ଓ ଭଦ୍ରକରେ ୪୧%, କେନ୍ଦୁଝର, ଯାଜପୁର ଓ ପୁରୀରେ ୩୮%, ସମ୍ବଲପୁରରେ ୩୪%, ଅନୁଗୁଳରେ ୩୩%, ଦେବଗଡ଼ରେ ୩୦%, କଳାହାଣ୍ଡିରେ ୨୫% ଓ ବଲାଙ୍ଗିରରେ ୨୨% ନିଅଣ୍ଟିଆ ବର୍ଷା ହୋଇଛି ।
ଜୁନ୍ ୧ ତାରିଖରୁ ଜୁଲାଇ ୨୨ ତାରିଖ ଭିତରେ ରାଜ୍ୟରେ ସ୍ୱାଭାବିକ ଭାବେ ୪୪୮.୯ ମିମି ବର୍ଷା ହେବା କଥା । କିନ୍ତୁ ଏହି ସମୟ ଭିତରେ ମାତ୍ର ୩୭୧.୯ମିମି ବର୍ଷା ହୋଇଛି । ପୂରା ରାଜ୍ୟକୁ ହିସାବକୁ ନେଲେ ମୋଟ ୧୩% ନିଅଣ୍ଟିଆ ବର୍ଷା ହୋଇଛି । ତେବେ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । କେବଳ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି ।
ଗତ ୨୪ ଘଣ୍ଟାରେ ମାଲକାନଗିରି ଚିତ୍ରକୋଣ୍ଡାରେ ସର୍ବାଧିକ ୧୬୪.୫ ମିମି ବର୍ଷା ହୋଇଛି । ନୂଆପଡ଼ାର ନୱାପଡ଼ାରେ ୯୯.୪, ମାଲକାନଗିରି ଜିଲ୍ଲା ପଡ଼ିଆରେ ୯୭.୪, ମାଲକାନଗିରିରେ ୮୬, ମାଲକାନଗିରି କୋରୁକୁଣ୍ଡାରେ ୮୩, ଢେଙ୍କାନାଳ ଭୁବନରେ ୫୬, ଗଞ୍ଜାମ କୁକୁଡ଼ାହାଣ୍ଡିରେ ୫୪, ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ୪୬ ମିମି ବର୍ଷା ହୋଇଛି ।
ଆଗକୁ ଅଧିକ ବର୍ଷା ସମ୍ଭାବନା ଅଛି ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ତାଙ୍କ ଆକଳନ କହୁଛି, ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ୨୪ରୁ ୨୬ ତାରିଖ ଭିତରେ ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ୨୬ ତାରିଖ ଯାଏ ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ ଖୋର୍ଦ୍ଧା, ନୟାଗଡ଼, କଟକ ଓ ବଲାଙ୍ଗିରରେ ଅଧିକ ବର୍ଷା ହୋଇପାରେ ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ୨୬ ତାରିଖ ଯାଏ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୨୩ରେ ବରଗଡ଼, ବୌଦ୍ଧ, ସୋନପୁର ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାରେ ଅଧିକ ବର୍ଷା ହୋଇପାରେ ।