ପାହାଡରୁ ଖସିଲା ବିରାଟ ବରଫ ଖଣ୍ଡ, ଚାପି ହୋଇଗଲା ଘର-ଗାଡି ; ଛାତି ଥରାଇଦେଉଛି କାଶ୍ମୀରର ଭିଡିଓ

NEWS7
low-pressure-to-form-over-bay-of-bengal-on-22nd-may

ଶ୍ରୀନଗର,|୧: ହିମସ୍ଖଳନର ଭୟଙ୍କର ଦୃଶ୍ୟ । କ୍ୟାମେରାରେ କଏଦ ହେଲା ଡରାଇଲା ଭଳି ଛବି । ଯାହା ଆଗରେ ପଡିଲା ସବୁକୁ ଦଳି ଚକଟି ଦେଲା । ଜମ୍ମୁ-କାଶ୍ମୀରରେ ଘଟିଥିବା ହିମସ୍ଖଳନର ଭିଡିଓ ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ ଘଟିଥିବା ଏହି ଘଟଣା ଶହଶହ ଘର ଏବଂ ଯାନବାହାନକୁ କ୍ଷତିଗ୍ରସ୍ତ କରିଛି ।

ରିପୋର୍ଚ ଅନୁସାରେ, ମଙ୍ଗଳବାର ଜମ୍ମୁ-କାଶ୍ମୀରର ଜାନ୍ଦେରଓ୍ୱାଲ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ମଙ୍ଗଳବାର ରାତିରେ ଏଠାରେ ହିମସ୍ଖଳନ ହୋଇଛି । ଯାହା ଅନେକ ଘର ଏବଂ ଯାନାବାହାନକୁ ନଷ୍ଟ କରିଦେଇଛି । ତେବେ ଏଥିରେ କେହି ପ୍ରାଣ ହରାଇନଥିବା ସ୍ଥାନୀୟ ପ୍ରଶାସନ କହିଛି ।

ସ୍ଥାନୀୟ ପ୍ରଶାସନର କହିବାନୁସାରେ, ରାତିରେ ସୋନମାର୍ଗର ପର୍ଯ୍ୟଟକ ବୁଲାବୁଲି କରୁଥିବା ଅଞ୍ଚଳରେ ବିରାଟ ବରଫର ପଥର ମାଡ ହୋଇଛି । ପାହାଡରୁ ମାତ୍ରାଧିକ ବରଫ ଖସି ତଳେ ଥିବା ଘର ଉପରେ ପଡିଯାଇଛି । ଅନେକ ଘର ଏବଂ ହୋଟେଲ ଏହାଦ୍ୱାରା ଭାଙ୍ଗିଯାଇଛି । ଯାହାର ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯେଉଁଥିରେ ସାମ୍ନାରେ ଆସୁଥିବା ସବୁ କିଛି ବରଫ ତଳେ ଚାପି ହୋଇଯାଉଥିବା ଦେଖିବାକୁ ମିଳିଛି ।

ଆହୁରି ମଧ୍ୟ ଜଣାପଡିଛି ଯେ, ଏତେ ଭୟଙ୍କର ଘଟଣା ପରେ ମଧ୍ୟ କେହି ପ୍ରାଣ ହରାଇନାହାଁନ୍ତି । ମୃତାହତ ନେଇ କୌଣସି ଖବର ଆସିନାହିଁ । ଲଗାତାର ଭାବେ ବରଫପାତ ହେବା ପରେ ହିମସ୍ଖଳନ ହୋଇଛି ।

କାଶ୍ମୀରରେ ବରଫପାତ

ମଙ୍ଗଳବାର ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି । ଯାହା ଦ୍ୱାରା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । ଶ୍ରୀନଗର ବିମାନବନ୍ଦରରେ ଅନେକ ବିମାନ ମଧ୍ୟ ବାତିଲ ହୋଇଛି । ଫଳରେ ହଜାର ହଜାର ପର୍ଯ୍ୟଟକ ଫସି ରହିଛନ୍ତି ।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବାନୁସାରେ, ୫୮ଟି ଫ୍ଲାଇଟ୍ ର ଉଡାଣ ବାତିଲ କରାଯାଇଛି । ରନଓ୍ୱେରେ ବରଫ ପଡିବା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି । ବରଫପାତ କମିଲେ ବିମାନ ଚଳାଚଳ ସ୍ୱାଭାବିକ ହେବ ବୋଲି ପର୍ଯ୍ୟଟକଙ୍କୁ କୁହାଯାଇଛି ।