ଆହୁରି ୩ ଦିନ ବର୍ଷାରୁ ନାହିଁ ନିସ୍ତାର, ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିପାରେ

Published By : Prameya-News7 Bureau | July 25, 2024 IST

ଭୁବନେଶ୍ୱର ୨୫/୦୭: ଆସନ୍ତା ୨୬ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୨୭ରେ ଏହା ଲଘୁଚାପ ରୂପ ନେବ । ୨୮ରେ ଓଡ଼ିଶା ଓ ଛତିଶଗଡ଼ ଉପରେ ରହିବ । ଲଘୁଚାପ ପ୍ରଭାବରେ ୨୭ରୁ ୨୯ ଯାଏ ଅଧିକ ବର୍ଷା ହେବ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।

ଶ୍ରୀ ପଶୁପାଳକ କହିଛନ୍ତି, ୨୭ ତାରିଖରେ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ । ୨୮ ତାରିଖରେ ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଓ ୨୯ରେ ବହୁ ସ୍ଥାନରେ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ଅଛି । ଜିଏଫଏସ୍‌ ମଡେଲ ଅନୁସାରେ, ଅଗଷ୍ଟରେ ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।  ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । 

ଜୁନ୍‌ ୧ରୁ ଜୁଲାଇ ୨୪ ସୁଦ୍ଧା ୯ଟି ଜିଲ୍ଲାରେ ମୋଟ ବର୍ଷା ପରିମାଣ ୩୦୦ମିମିରୁ କମ୍‌ ରହିଛି । ନିଅଣ୍ଟିଆ ବର୍ଷା ଯୋଗୁ ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଧାନ ରୁଆ ଓ ବେଉଷା କରିବାରେ ସମସ୍ୟା ହେଉଛି । ଆସନ୍ତା ୧୦ଦିନରେ ବର୍ଷା ବଢ଼ିବା ଯୋଗୁ ରୁଆ ଓ ବେଉଷଣ କାମ ଆଗେଇବ ବୋଲି ସେ କହିଛନ୍ତି ।

ସେପଟେ ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଭିନ୍ନ ଆକଳନ କରି କହିଛନ୍ତି, ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ଅଧିକ ବର୍ଷା ହେବ । ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୀମା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିବ । ୩୦ ଓ ୩୧ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଉତ୍ତର ଓ ମଧ୍ୟ ଓଡ଼ିଶା ସମେତ ଅନେକ ସ୍ଥାନରେ ଭଲ ବର୍ଷା ହେବ । ୨୫ରୁ ୨୭ ତାରିଖ ଯାଏ ବର୍ଷା ଲାଗି ରହିବ । ୨୮ରୁ ୩୦ ତାରିଖ ଯାଏ ସାମାନ୍ୟ କମିବ । ୩୧ରୁ ପୁଣି ବର୍ଷା ବଢ଼ିବ ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ୨୫ ତାରିଖରେ କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏ ସବୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦ରୁ ୨୦୦ ମିମି ବର୍ଷା ସମ୍ଭାବନା ଅଛି । ଅନୁଗୁଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୬ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.