ବାରଣାସୀ: ମହାକୁମ୍ଭ ମେଳା ପ୍ରସ୍ତୁତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଶୁକ୍ରବାର ଉତ୍ତର ପ୍ରଦେଶର ପ୍ରୟାଗରାଜ ଗସ୍ତ କରି ସେଠାରେ ପ୍ରସ୍ତୁତି ସମୀକ୍ଷା କରିବେ ନରେନ୍ଦ୍ର ମୋଦି । ଏହା ସହିତ ପ୍ରାୟ ୫,୫୦୦ କୋଟି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ।
ଆଜି ମଧ୍ୟାହ୍ନ ୧୨.୧୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜରେ ପହଞ୍ଚିବେ । ପ୍ରଥମେ ସଙ୍ଗମ ସ୍ଥଳରେ ପୂଜାର୍ଚନା କରିବେ। ଅକ୍ଷୟ ବଟ ବୃକ୍ଷ ମୂଳରେ ପୂଜା କରିବେ । ପରେ ହନୁମାନ ମନ୍ଦିର ଏବଂ ସରସ୍ୱତୀ କୂଅକୁ ଯାଇ ଆରାଧନା କରିବେ । ଦିନ ପ୍ରାୟ ୧ଟାରେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥାନ ପରିଦର୍ଶନ କରିବେ । ଏହା ପରେ ଅପରାହ୍ନ ୨ଟାରେ ପ୍ରୟାଗରାଜରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପିଏମ୍ ମୋଦି । ପ୍ରାୟ ୫,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଲୋକାର୍ପଣ କରିବେ । ସେହିପରି ୨୦୨୫ରେ ହେବାକୁ ଥିବା ମହାକୁମ୍ଭର ବିଭିନ୍ନ ପ୍ରକଳ୍ପ, ରେଳ ଓ ସଡ଼କ ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ପ୍ରୟାଗରାଜବାସୀଙ୍କୁ ୧୦ଟି ନୂତନ ଫ୍ଲାଏଓଭର, ସ୍ଥାୟୀ ଘାଟ ଏବଂ ବିଭିନ୍ନ ସଡ଼କର ଭେଟି ଦେବେ । ଏହା ସହିତ ପ୍ରଧାନମନ୍ତ୍ରୀ କୁମ୍ଭ "ସହାୟକ' ଚାଟ୍ବଟ୍ର ମଧ୍ୟ ଶୁଭାରମ୍ଭ କରିବେ । ତେବେ ମୋଦିଙ୍କ ଗସ୍ତ ପାଇଁ ସଜେଇ ହୋଇଛି ଧାର୍ମିକ ସହର ବାରାଣସୀରୁ ପ୍ରୟାଗରାଜ ।