ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଭୋଟ୍ ଗଣତି ଆରମ୍ଭ; ପ୍ରଥମେ ପୋଷ୍ଟାଲ୍ ବାଲଟ୍ ପରେ ଏଭିଏମ୍ କାଉଣ୍ଟିଂ

Published By : Prameya-News7 Bureau | November 23, 2024 IST

ନୂଆଦିଲ୍ଲୀ: ମହାସମର-୨୦୨୪ । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଭୋଟ୍ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍ କାଉଣ୍ଟିଂ ହୋଇଛି । ପରେ ଖୋଲିବ ଇଭିଏମ୍ । କିଏ ବାଜି ମାରିବ ମହାରାଷ୍ଟ୍ର ବିଧାନସଭା ? କାହା ହାତକୁ ଯିବ ଝାଡ଼ଖଣ୍ଡ କ୍ଷମତା ? ଇଭିଏମ୍ ଖୋଲିବା ପରେ ଚିତ୍ର ସ୍ପଷ୍ଟ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲଟ୍  ଏବଂ ପରେ ଇଭିଏମ୍‌ର ଭୋଟ୍ ଗଣତି ହେବ ।  ଏଥିସହ ପଞ୍ଜାବ, କେରଳ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ  ରାଜ୍ୟରେ ହୋଇଥିବା ଉପ-ନିର୍ବାଚନ ଫଳାଫଳ  ମଧ୍ୟ ଆସିବ ।   

ଝାଡ଼ଖଣ୍ଡର ମୋଟ୍ ୮୧ ଆସନରେ ନଭେମ୍ବର ୧୩ ଏବଂ ୨୦ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା ।   ସେହିପରି ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ  ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୦ରେ ଭୋଟ୍ ଗ୍ରହଣ କରାଯାଇଥିଲା । ମହାରାଷ୍ଟ୍ରରେ ୬୨.୦୫% ଭୋଟିଂ ହୋଇଥିବାବେଳେ ଝାଡ଼ଖଣ୍ଡରେ ୬୮.୦୧ ପ୍ରତିଶତ ମତଦାନ ହୋଇଥିଲା । ଏଥିସହ ୧୫ ରାଜ୍ୟର ୪୮ ବିଧାନସଭା ଆସନ ଏବଂ ୨ଟି ଲୋକସଭା ଆସନରେ ଦୁଇଟି ପର୍ଯ୍ୟାୟରେ ଉପନିର୍ବାଚନ  ହୋଇଥିଲା । ସେଥିମଧ୍ୟରେ ପଞ୍ଜାବର ୪ ଏବଂ  ୟୁପିର ୯ ବିଧାନସଭା ଆସନ, କେରଳର ୱାୟନାଡ଼ ଏବଂ ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା ଆସନ ରହିଛି । ନିର୍ବାଚନ  କମିଶନଙ୍କ ଅଫିସିଆଲ ୱେବସାଇଟରେ ସମସ୍ତ ତଥ୍ୟ ଅପ୍‌ଡେଟ୍‌ ରହିବ । ଭୋଟ୍ ଗଣତି କେନ୍ଦ୍ରଗୁଡ଼ିକରେ ଏଥିପାଇଁ କଡ଼ା  ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  

ଏକ୍‌ଜିଟ ପୋଲ୍ ପୂର୍ବାନୁମାନ ଅନୁସାରେ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟକୁ   ବହୁମତ ମିଳିପାରେ । ଏହି ରାଜ୍ୟରେ କଂଗ୍ରେସ-ଶିବସେନା(ଉଦ୍ଧବ)- ଏନ୍‌ସିପି(ଶରଦ ପାୱାର) ମେଣ୍ଟ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ମହୟୁତିକୁ ଟକ୍କର ଦେଇପାରେ । ଏବେ ମହାରାଷ୍ଟ୍ରରେ ମହାୟୁତି ସରକାର ରହିଛି । ଝାଡ଼ଖଣ୍ଡରେ  ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡି (ଇଣ୍ଡିଆ ବ୍ଲକ୍‌)  କ୍ଷମତାରେ ଥିବାବେଳେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସହ କଡ଼ା ଟକ୍କର ଦେଖିବାକୁ ମିଳିପାରେ ବୋଲି  ଅନୁମାନ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.