ଶାହବାଜ ସରିଫଙ୍କ ନେତାଙ୍କ ଫମ୍ପା ଧମକ; ଭାରତ ବାଂଲାଦେଶ ଉପରେ ଆକ୍ରମଣ କଲେ, ପ୍ରତିଶୋଧ ନେବ ପାକିସ୍ତାନ

NEWS7
major-haul-of-brown-sugar-seized-in-puri-

ଇସଲାମାବାଦ: ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶ ଏବେ ପାକିସ୍ତାନ କବଜାରେ । ପାକିସ୍ତାନର ଅତ୍ୟାଚାରରୁ ଭାରତ ବାଂଲାଦେଶକୁ ମୁକ୍ତ କରିଥିଲା । ସେହି ପାକିସ୍ତାନ ଏବେ ଏହାକୁ ସୁରକ୍ଷା ଦେବାକୁ ମୁହଁଫୁଟାଣି ମାରୁଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ)ର ନେତା କାମରାନ ସଇଦ ଉସମାନି ଭାରତକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଭାରତ ବାଂଲାଦେଶ ଉପରେ ଆକ୍ରମଣ କରେ, ତେବେ ପାକିସ୍ତାନ ପୂର୍ଣ୍ଣ ଶକ୍ତି ସହିତ ଢାକା ସହିତ ଛିଡା ହେବ। କେବଳ ଏତିକି ନୁହେଁ, ସେ ମେ ୨୦୨୫ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷର କଥା ମଧ୍ୟ କହି ଗର୍ବ କରିଛନ୍ତି।

କାମରାନ ସଇଦ ଓସମାନି ଏକ ଭିଡିଓ ଜାରି କରିଛନ୍ତି । ଭିଡିଓରେ ତାଙ୍କୁ ଭାରତକୁ ଧମକ ଦେଉଥିବାର ଶୁଣିବାକୁ ମିଳୁଛି। ସେ କହିଛନ୍ତି, ‘ଆଜି ମୁଁ ଜଣେ ରାଜନେତା ଭାବରେ ନୁହେଁ, ବରଂ ବାଂଲାଦେଶର ମାଟି, ଇତିହାସ, ତ୍ୟାଗ ଏବଂ ସାହସକୁ ସଲାମ କରୁଥିବା ଜଣେ ବ୍ୟକ୍ତି ଭାବରେ କହୁଛି। ଯେତେବେଳେ ମୁଁ ୨୦୨୧ ରେ ଏହି ଅଭିଯାନ ଆରମ୍ଭ କରିଥିଲି, ସେତେବେଳେ କେହି ମୋ ସହିତ ନଥିଲେ। ଆଜି ବାଂଲାଦେଶ ଏବଂ ପାକିସ୍ତାନ ଏକାଠି ଠିଆ ହୋଇଛନ୍ତି। ଆଜି, ମୁଁ କୌଣସି ରାଜନୈତିକ ବିବୃତ୍ତି ଦେବି ନାହିଁ ।’

ସେ କହିଛନ୍ତି ଯେ, ମୁଁ ବାଂଲାଦେଶ ଭିତରେ କାହାର ଗୁଣ୍ଡାଗିରିକୁ ଗ୍ରହଣ କରିବି ନାହିଁ। ମୁଁ ବାଂଲାଦେଶକୁ କାହାର ଦାସ ହେବାକୁ ଦେବି ନାହିଁ। ଏହି ଅଞ୍ଚଳର ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ, ଯେତେବେଳେ ଜଣେ ମୁସଲିମ ଯୁବକ ଏକ ପ୍ରଭାବଶାଳୀ ସ୍ୱର ହୋଇଯାଆନ୍ତି, ତାଙ୍କୁ ଦମନ କରାଯାଏ। ଏହି ଭାରତୀୟ ରାଜନେତାମାନେ ଲୋକଙ୍କ ରକ୍ତ ଶୋଷିବା ପାଇଁ, ସେମାନଙ୍କୁ କେବେବି ଦାସତ୍ୱରୁ ମୁକ୍ତ କରିବାକୁ ଚାହାଁନ୍ତି ନାହିଁ। ଏବେ, ମୁସଲିମ ଯୁବକମାନେ ସେମାନଙ୍କର ଏହି ଷଡ଼ଯନ୍ତ୍ରକୁ ଭଲ ଭାବରେ ବୁଝିସାରିଛନ୍ତି। ଏବେ ପାକିସ୍ତାନ ଏବଂ ବାଂଲାଦେଶର ପ୍ରତ୍ୟେକ ପିଲା ଉସମାନ ହାଦି।

ସେ ଆହୁରି କହିଛନ୍ତି, ମୁଁ ମୋର ବାଂଲାଦେଶୀ ଭାଇଭଉଣୀମାନଙ୍କୁ କହିବାକୁ ଚାହୁଁଛି ଯେ, ଆମେ ଆପଣଙ୍କ ସହିତ ଠିଆ ହୋଇଛୁ। ଯଦି କୌଣସି ଦେଶ ବାଂଲାଦେଶ ଉପରେ ଚାପ ପକାଇବାକୁ ଚେଷ୍ଟା କରେ କିମ୍ବା ବାଂଲାଦେଶର ସ୍ୱାୟତ୍ତତା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ, ତେବେ ପାକିସ୍ତାନର ଲୋକମାନେ ଆପଣଙ୍କ ସହିତ ଠିଆ ହେବେ। ଏବେ ମୁଁ ଚେତାବନୀ ଦେଉଛି ଯେ, ଯଦି କେହି ବାଂଲାଦେଶକୁ ଖରାପ ନଜରରେ ଦେଖିବାକୁ ସାହସ କରେ, ତେବେ ପାକିସ୍ତାନୀ ଲୋକମାନେ, ପାକିସ୍ତାନୀ ସେନା ଏବଂ ଆମର କ୍ଷେପଣାସ୍ତ୍ର ଆପଣଙ୍କଠାରୁ ଦୂରରେ ନାହିଁ।