ଭାଷଣ ଦେବାବେଳେ ବିଗିଡ଼ିଲା ମଲ୍ଲିକାର୍ଜୁନ ଖଡଗେଙ୍କ ସ୍ବାସ୍ଥ୍ୟାବସ୍ଥା, କହିଲେ- ସେପର୍ଯ୍ୟନ୍ତ ବଞ୍ଚିଛି ଯେପର୍ଯ୍ୟନ୍ତ...

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ବିଧାନସଭା ପାଇଁ ସରିଛି ନିର୍ବାଚନୀ ପ୍ରଚାର । ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି ରାଜନୈତିକ ଦଳମାନେ । ଏମିତିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରବିବାର, ପ୍ରଚାର ପାଇଁ କଠୁଆ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ତେବେ ଏଠାରେ ମଞ୍ଚରେ ଭାଷଣ ଦେଉଥିବା ସମୟରେ ଖଡଗେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିଛି। ସ୍ବାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ତାଙ୍କୁ ଭାଷଣ ଅଧାରେ ରଖିବାକୁ ପଡ଼ିଥିଲା। ଦଳୀୟ ନେତାମାନେ ତାଙ୍କ ହାତ ଧରି ସିଟ୍‌ରେ ବସାଇଥିଲେ। ଦଳୀୟ ନେତା କହିଛନ୍ତି ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି, ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି। 

ଖଡଗେ କଠୁଆରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଅପରେସନରେ ଶହିଦ ହୋଇଥିବା ଜଣେ ହେଡ କନଷ୍ଟେବଳଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲେ। ଏହି ଅପରେସନରେ ଅନ୍ୟ ଦୁଇ ପୋଲିସକର୍ମୀ ଆହତ ହୋଇଥିଲେ ଏବଂ ଜଣେ ଆତଙ୍କବାଦୀ ନିପାତ ହୋଇଥିଲା। କଂଗ୍ରେସ ମହାସଚିବ ଗୁଲାମ ଅହମଦ ମୀର ଗଣମାଧ୍ୟମରେ କହିଛନ୍ତି ‘ଜସରୋଟାରେ ଏଜ ଜନସଭାକୁ ସମ୍ବୋଧନ କରିବା ସମୟରେ ଖଡଗେଙ୍କ ମୁଣ୍ଡ ବୁଲାଇଥିଲା।ତାଙ୍କ ସହଯୋଗୀ ତାଙ୍କୁ ଚେୟାରରେ ବସାଇଥିଲେ।’’ ସେ କହିଛନ୍ତି ‘‘କଂଗ୍ରେସ ଅଧ୍ୟକ୍ଷଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଖଡଗେ ବିଧାନସଭା ନିର୍ବାଚନରେ ନିଜ ଦଳ ଆଶାୟୀଙ୍କ ପାଇଁ ସମର୍ଥନରେ ରାଲିକୁ ସମ୍ବୋଧନ କରିବା ପାଇଁ ଜସରୋଟା ଯାଇଥିଲେ।ତାଙ୍କର ଉଧମପୁର ଜିଲ୍ଲାର ରାମନଗରରେ ଆଉ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତେବେ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖଡଗେ ରାଲିରେ ସାମିଲ ହେବେ।’’ 

ତେବେ ଅସୁସ୍ଥ ସମୟରେ ବି ଖଡଗେ କିଛି ଭାଷଣ ଦେଇଥିଲେ। ସେ କହିଥିଲେ ‘‘ଆମେ ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପୁନଃ ପ୍ରାପ୍ତ କରିବା ପାଇଁ ଲଢ଼ିବୁ। ମୁଁ ୮୩ ବର୍ଷର, ମୁଁ ଏତେ ଶୀଘ୍ର ମରିବିନାହିଁ। ମୁଁ ସେପର୍ଯ୍ୟନ୍ତ ଜୀବିତ ରହିବି ଯେପର୍ଯ୍ୟନ୍ତ ପିଏମ ମୋଦୀଙ୍କୁ ଶାସନରୁ ବାହାର ନ ହୋଇଛନ୍ତି।’’ ସେ ଆହୁରି କହିଛନ୍ତି କେନ୍ଦ୍ର ସରକାର କେବେବି ନର୍ବାଚନ କରିବାକୁ ଚାହୁନଥିଲେ।ଯଦି ଚାହିଥାନ୍ତେ ତା’ହେଲେ ବର୍ଷେକି’ ଦୁଇ ବର୍ଷ ମଧ୍ୟରେ କରିଥାନ୍ତେ। ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଯାଇ ସେମାନେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଥିଲେ।’’

ଖଡଗେ ବିଜେପିକୁ ଟାର୍ଗେଟ କରି ଆହୁରି କହିଛନ୍ତି ଯେ, ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଦ୍ବାରା ରିମୋଟ କଣ୍ଟ୍ରୋଲ ସରକାର ଚଳାଇବାକୁ ଚାହୁଥିଲେ। ପିଏମ ମୋଦୀ ଗତ ୧୦ ବର୍ଷରୁ ଭାରତର ଯୁବକଙ୍କ କିଛିବି ଦେଇନାହାଁନ୍ତି। ପିଏମ ମୋଦୀ କହିଥିଲେ ୨ କୋଟି ଚାକିରି ଦେବେ, ବିଦେଶୀରୁ କଳାଧନ ଆସିବ, ସମସ୍ତଙ୍କ ଖାତାରେ ୧୫-୧୫ ଲକ୍ଷ ଆସିବ, ନରେନ୍ଦ୍ର ମୋଦୀ ନିଜ ପ୍ରତିଶ୍ରୁତି ପୂରା କରିପାରିନାହାଁନ୍ତି।


ସୂଚନାଥାଉକି, ଜମ୍ମୁ-କାଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେଉଛି, ଯେତେବେଳେକି ହରିୟାଣାରେ ମଧ୍ୟ ବିଧାନସଭା ନିର୍ବାଚନ ହେଉଛି। ହରିୟାଣାରେ ଅକ୍ଟୋବର ୫ରେ ଭୋଟିଂ ପରେ ଅକ୍ଟୋବର ୮ରେ ଦୁଇ ରାଜ୍ୟର ଫଳାଫଳ ଘୋଷଣା ହେବ।

  • Mallikarjun Kharge
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.