ବେଙ୍ଗାଲୁରୁ: ବହୁ ଚର୍ଚ୍ଚିତ ଆସାମ ଭ୍ଲଗର ମାୟା ଗୋଗୋଇ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆରବ ହାନୟ ଗିରଫ ହୋଇଛି। ୨୧ ବର୍ଷୀୟ ଆରବକୁ କର୍ଣ୍ଣାଟକ ବାହାରେ ଗିରଫ କରାଯାଇଥିବା ବେଳେ ତାଙ୍କୁ ବେଙ୍ଗାଲୁରୁ ଅଣାଯିବ ବୋଲି ବେଙ୍ଗାଲୁରୁ ଡିସିପି କହିଛନ୍ତି।
ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, କେରଳ କାନପୁର ଥୋଟ୍ଟାଦର ବାସିନ୍ଦା ଆରବ ବେଙ୍ଗାଲୁରୁର ଏକ ଘରୋଇ ଅନୁଷ୍ଠାନରେ ଷ୍ଟୁଡେଣ୍ଟ କାଉନସେଲର ଭାବରେ କାମ କରୁଥିଲା।
ସୋସିଆଲ ମିଡିଆରେ ପରସ୍ପରକୁ ଭେଟିବା ପରେ ୧୯ ବର୍ଷୀୟ ମାୟା ଓ ଆରବଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୬ ମାସ ହେବେ ଦୁହେଁ ସମ୍ପର୍କରେ ଥିଲେ। ସମ୍ପର୍କରେ ତିକ୍ତତା ହିଁ ହତ୍ୟାକାଣ୍ଡର ମୂଳ କାରଣ ହୋଇପାରେ ବୋଲି ପୁଲିସ ଅନୁମାନ କରୁଛି।
ଇନ୍ଦିରାନଗର ଏକ ଆପାର୍ଟମେଣ୍ଟରୁ ମାୟାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଆପାର୍ଟମେଣ୍ଟର ବନ୍ଦ ରୁମ୍ରୁ ଦୁର୍ଗନ୍ଧ ବାହାରିବା ପରେ ସେମାନଙ୍କ ରୁମ ଖୋଲା ଯାଇଥିଲା। ତାଲା ଖୋଲିବା ପରେ ମାୟାଙ୍କ ମୃତଦେହ ବିଛଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ଛାତି ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା। ରବିବାର ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଧେହ କରାଯାଉଥିବା ବେଳେ ଧୀରେ ଧୀରେ ତାଙ୍କ ଶରୀର ପଚିବା ଆରମ୍ଭ କରିଥିଲା।
ପୁଲିସ ତଦନ୍ତରୁ ଏହା ଜଣାପଡ଼ିଛି ଯେ ଆରବ ମାୟାଙ୍କୁ ହତ୍ୟା କରିବାକୁ ପୂର୍ବରୁ ଯୋଜନା କରିଥିଲା। ଏଥିପାଇଁ ସେ ଅନ୍ଲାଇନ୍ରେ ନାଇଲନ ଦଉଡ଼ି କିଣିବା ସହିତ ଛୁରି ଆଣିଥିଲେ। ତେବେ ମଙ୍ଗଳବାର ସକାଳେ ଆରବ ଆପାର୍ଟମେଣ୍ଟରୁ ଏକୁଟିଆ ବାହାରୁଥିବାର ସିସିଟିଭିରେ କଏଦ ହୋଇଛି। ପୁଲିସ ଏହି ମାମଲାରେ ତଥ୍ୟ ଯୋଗାଡ଼ କରି ତଦନ୍ତ ଜାରି ରଖିଛି।
ସୂଚନା ଥାଉକି ମାୟାଙ୍କ ଘର ଗୌହାଟିର କୈଳାଶ ନଗରରେ। ବେଙ୍ଗାଲୁରୁରେ ସେ ତାଙ୍କ ଭଉଣୀଙ୍କ ସହ ରହୁଥିଲେ ଓ କୋରମଙ୍ଗଳରେ କାମ କରୁଥିଲେ। ଶନିବାର ସେ ତାଙ୍କ ଭଉଣୀଙ୍କୁ ଫୋନ୍ କରି କହିଥିଲେ ଯେ ଅଫିସ୍ରେ ଏକ ପାର୍ଟି ଯୋଗୁ ସେ ସେଦିନ ଘରକୁ ଫେରିବେ ନାହିଁ। ବାସ୍ ଏହାପରଠାରୁ ମାୟା ନିଖୋଜ ହୋଇଯାଇଥିଲେ। ପୁଲିସର ସୂଚନା ଅନୁସାରେ ଆରବ ମାୟାକୁ ହତ୍ୟା କରିବା ପରେ ମୃତଦେହ ସହିତ ଦୁଇ ଦିନ ରହିବା ପରେ ଫେରାର ହୋଇଯାଇଥିଲା। ତେବେ ଘଟଣାର ପୂରା ତଥ୍ୟ ତଦନ୍ତ ପରେ ଜଣାପଡ଼ିବ।