ସଂଭଲରେ ପୋଲିସ ଉପରକୁ ଢେଲା ଫିଙ୍ଗିବା ଯୁବତୀଙ୍କୁ ପଡିଲା ମହଙ୍ଗା, ଭାଙ୍ଗିଗଲା ବାହାଘର

Published By : Prameya-News7 Bureau | November 29, 2024 IST

ଲକ୍ଷ୍ନୌ ୨୯।୧୧: ଉତ୍ତରପ୍ରଦେଶ ସଂଭଲରେ ହୋଇଥିବା ହିଂସାକୁ ଶୁକ୍ରବାର ୬ ଦିନ ପୁରିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୩୧ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧,୬୦୦ ଅଜ୍ଞାତ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ଗିରଫ ଲୋକଙ୍କ ମଧ୍ୟରେ ୩ ଜଣ ମହିଳା ମଧ୍ୟ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଜଣକର ବୟସ ୨୨ ବର୍ଷ। ଗିରଫ ମହିଳାମାନଙ୍କର ଚିହ୍ନଟ ହୋଇଛି। ଏଥିରୁ ସଂଭଲ ହିଂସାରେ ଟେକାପଥର ମାଡ ପାଇଁ ଗିରଫ ହୋଇଥିବା ୨୨ ବର୍ଷ ବୟଷ୍କା ଯୁବତୀଙ୍କ ବିବାହ ଭାଙ୍ଗିଯାଇଥିବା ଜଣାପଡିଛି। 

ଯୁବତୀଙ୍କର ବାହାଘର କଥାବର୍ତ୍ତା ସରିଥିଲା। ଆର ବର୍ଷ ବିବାହ କରିଥାନ୍ତେ। ମାତା-ପିତା ବିବାହ ନିମନ୍ତେ ନେଣଦେଣ ମଧ୍ୟ ସାରିଦେଇଥିଲେ। କେବଳ ବାହାଘର ହେବାର ଥିଲା। ହେଲେ ସଂଭଲ ହିଂସା ସବୁ ଧୂଳିସାତ କରିଦେଇଛି। ପୁଅ ଘର ଲୋକେ ବିବାହ ଭାଙ୍ଗିଦେଇଛନ୍ତି, କାରଣ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ପୁଅ ଘର ଲୋକେ ଏଭଳି ଝିଅକୁ ଘରକୁ ବୋହୂ କରି ନେବାକୁ ଚାହାନ୍ତିନି ଯାହର ନାମ ଦଙ୍ଗାରେ ଆସିଛି। ତେବେ ମାତାପିତା କହିଛନ୍ତି ଆମ ଝିଅ ଟେକାପଥର ମାଡ଼ ଘଟଣାରେ ସାମିଲ ନଥିଲା, ହେଲେ ପୋଲିସ ଝିଅକୁ ଛାଡୁନି ସେ ଘରକୁ ଫେରିନି। 

ଉଲ୍ଲେଖଯୋଗ୍ୟ ଯେ ରବିବାର ଜାମା ମସଜିଦ୍ ସର୍ଭେକୁ ବିରୋଧ କରୁଥିବା ଲୋକେ ଅନେକ ଯାନବାହନ ପୋଡି ଥିଲେ। କ୍ରୋଧିତ ଭୀଡ ପୋଲିସ ଉପରକୁ ଟେକାପଥର ମାଡ଼ କରୁଥିଲା। ଏହି ହିଂସାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମାମଲାରେ ୩ ଜଣ ମହିଳାଙ୍କ ସମେତ ଏପର୍ଯ୍ୟନ୍ତ ୩୧ ଜଣଙ୍କୁ ଗିରଫ କରାଯାଇଛି। ହିଂସା ପରଠାରୁ ଲୋକେ ଘର ତାଲା ପକାଇ କିଏ କୁଆଡେ ପଳାଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.