ବକ୍ସିଂ ଡେ’ ଟେଷ୍ଟକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ କ୍ରେଜ୍, ଦୁଇ ସପ୍ତାହ ପୂର୍ବରୁ ବିକ୍ରି ହେଲା ସବୁ ଟିକଟ

Published By : Prameya-News7 Bureau | December 10, 2024 IST

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ଖେଳାଯାଉଛି । ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଖେଳା ସରିଛି । ଦୁଇ ଟିମ୍ ୧-୧ ମ୍ୟାଚ୍ ଜିତି ସିରିଜରେ ବରାବର ଅଛନ୍ତି । ସିରିଜର ପରବର୍ତ୍ତୀ ମ୍ୟାଚ୍ ଗାବାରେ ଖେଳାଯିବ । ଏହି ମ୍ୟାଚ୍ ଦେଖିବା ପାଇଁ ବହୁ ସଂଖ୍ୟାରେ କ୍ରିକେଟ୍ ପ୍ରେମୀ ଆସିବେ ବୋଲି ଅନୁମାନ କରାଯାଉଛି । ଗତ ଥର ଟିମ୍ ଇଣ୍ଡିଆ ଏହି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କରି ସିରିଜ ଦଖଲ କରିଥିଲା । ଏସବୁ ଭିତରେ ଗାବାରୁ ଅଧିକ କ୍ରେଜ୍ ମେଲବର୍ଣ୍ଣରେ ଖେଳାଯିବାକୁ ଥିବା ବକ୍ସିଂ ଡେ’ ଟେଷ୍ଟକୁ ନେଇ ଥିବା ଜଣାପଡ଼ିଛି ।

ଦୁଇ ଟିମଙ୍କ ମଧ୍ୟରେ ଟେଷ୍ଟ ସିରିଜର ଚତୁର୍ଥ ମୁକାବିଲା ଡିସେମ୍ୱର ୨୬ରୁ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଏହି ଟେଷ୍ଟ ମ୍ୟାଚକୁ ବକ୍ସିଂ ଡେ’ ଟେଷ୍ଟ ବୋଲି ମଧ୍ୟ କୁହାଯାଏ । ଏହି ଷ୍ଟାଡିୟମରେ ୯୦୦୦୦ ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ । ମୁକାବିଲାର ପ୍ରଥମ ଦିନ ପାଇଁ ମେଲବର୍ଣ୍ଣ ହାଉସ୍ ଫୁଲ୍ ହୋଇଛି । ସବୁ ଟିକଟ ବିକ୍ରି ହୋଇଛି । ଯାହା ଭାରତ ଏବଂ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଥିବା ଉତ୍ସାହକୁ ଦର୍ଶାଉଛି । ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ମଙ୍ଗଳବାର ଡିସେମ୍ୱର ୧୦ରେ ଏହି ସୂଚନା ଦେଇଛି ।

ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ପ୍ରଥମ ଦୁଇ ମୁକାବିଲା ପର୍ଥ ଏବଂ ଆଡିଲେଡରେ ଖେଳାଯାଇଛି । ପର୍ଥ ଟେଷ୍ଟର ପ୍ରଥମ ଦୁଇ ଦିନ ଷ୍ଟାଡିୟମ ପୂରା ଭର୍ତ୍ତି ଥିଲା । ସେହିପରି ଆଡିଲେଡରେ ଖେଳାଯାଇଥିବା ପିଙ୍କ୍ ବଲ୍ ଟେଷ୍ଟରେ ତିନି ଦିନରେ ରେକର୍ଡ ୧,୩୫,୦୧୨ ଜଣ ଦର୍ଶକ ଆସିଥିଲେ । ଗାବା ଟେଷ୍ଟର ପ୍ରଥମ ଦିନ ମଧ୍ୟ ଷ୍ଟାଡିୟମ ହାଉସଫୁଲ୍ ହେବା ନେଇ ଅନୁମାନ କରାଯାଉଛି । ଦ୍ୱିତୀୟ ଦିନ ପାଇଁ ମଧ୍ୟ ଅଧିକାଂଶ ଟିକଟ୍ ବିକ୍ରି ସରିଛି । ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ଟେଷ୍ଟ କ୍ରିକେଟ ପାଇଁ ଥିବା ଭଲପାଇବାକୁ ଦର୍ଶାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.