ଭୋଜି ଚାଲିଥିବା ବେଳେ ମାଡ଼ିଆସିଲେ ହାତୀପଲ ! ରୋଷେଇ ଛାଡି ଦୌଡିଲେ ପର୍ଯ୍ୟଟକ

NEWS7
meet-ram-mohan-naidu-3-time-andhra-mp-and-indias-youngest-ever-union-minister

ଭୁବନେଶ୍ୱର: ବଡ଼ ଦିନ ଅବସରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଚାଲିଥିଲା ବଣଭୋଜିର ଆସର । ନାଚଗୀତରେ ପର୍ଯ୍ୟଟକ ମସ୍ଗୁଲ ଥିଲେ। ହେଲେ ହଠାତ୍ ୨ଟି ହାତୀ ମୁଣ୍ଡିଆ ଉପରକୁ ମାଡ଼ି ଆସିଥିଲେ। ଗୋଟିଏ ଦନ୍ତା ଓ ଅନ୍ୟଟି ମାଈ। ପାଖରେ ବଣୁଆ ହାତୀଙ୍କୁ ଦେଖି ପର୍ଯ୍ୟଟକ ଛାନିଆ। ଭୋଜିଭାତ ଛାଡ଼ି ଏଣେତେଣେ ଦୌଡ଼ିଥିଲେ। ଏଭଳି ଘଟଣା ଘଟିଛି ପଟିଆ ଶିଖରଚଣ୍ଡୀରେ। ଖବରପାଇ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚି ହାତୀ ଦୁଇଟିକୁ ମୁଣ୍ଡିଆ ତଳକୁ ଘଉଡ଼ାଇ ଦେଇଛନ୍ତି। ତେବେ ବଣୁଆ ହାତୀଙ୍କୁ ପାଖରେ ଦେଖି ପର୍ଯ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।

ସୂଚନା ମୁତାବକ, ଚନ୍ଦକା ଜଙ୍ଗଲରୁ ଏକ ୭ଟିକିଆ ହାତୀ ପଲ ୩ ଦିନ ହେବ ଭରତପୁର ଜଙ୍ଗଲକୁ ଆସିଛନ୍ତି। ଗୁରୁବାରଠାରୁ ଏହି ପଲ ଶିଖରଚଣ୍ଡୀ ମୁଣ୍ଡିଆ ମୁହାଁ ହୋଇଛନ୍ତି। ମୁଣ୍ଡିଆ ଓ ଆଖପାଖରେ ବୁଲାବୁଲି କରୁଛନ୍ତି। ଏପଟେ ବଡ଼ଦିନ ପାଳନ ଅବସରରେ ଆଜି କିଛି ପର୍ଯ୍ୟଟକ ଭୋଜିଭାତ ଓ ନାଚଗୀତରେ ମସ୍ଗୁଲ ଥିବା ବେଳେ ହଠାତ୍ ୨ଟି ହାତୀ ମୁଣ୍ଡିଆ ଉପରକୁ ଚାଲି ଆସିଥିଲେ । ସେତେବେଳକୁ କିଏ ଖାଇ ବସିଥିଲା ତ ଆଉ କାହାର ରୋଷେଇ ଅଧା ହୋଇଥିଲା।

ଆତଙ୍କିତ ପର୍ଯ୍ୟଟକ ଅଧାଭୋଜି ଛାଡ଼ି ଜୀବନ ବିକଳରେ ପଳାଇ ଆସିଥିଲେ। ଖବରପାଇ ସିଟି ପରେଷ୍ଟ ରେଞ୍ଜ କର୍ମଚାରୀ ସେଠାରେ ପହଞ୍ଚି ଦୁଇ ହାତୀଙ୍କୁ ମୁଣ୍ଡିଆ ତଳକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ। ମୁହଁ ସଞ୍ଜ ହେବାରୁ ହାତୀ ଦୁଇଟି ମୁଣ୍ଡିଆ ତଳକୁ ଗଡ଼ିଥିଲେ। ତେବେ ହାତୀପଲ ମୁଣ୍ଡିଆ ଓ ଆଖପାଖରେ ଥିବାରୁ ସୁରକ୍ଷାକର୍ମୀମାନେ ପର୍ଯ୍ୟଟକଙ୍କୁ ମୁଣ୍ଡିଆ ଉପରକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି।