ରୟଟର୍ସ ରିପୋର୍ଟକୁ ବିଦେଶ ମନ୍ତ୍ରାଳୟର ଅଗ୍ରାହ୍ୟ, କହିଲେ-ସୈନ୍ୟ ରପ୍ତାନୀରେ ଭାରତର ଟ୍ରାକ ରେକର୍ଡ ସ୍ୱଚ୍ଛ

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ ୧୯।୯: ଭାରତ ସରକାର ନ୍ୟୁଜ ଏଜେନ୍ସୀ ରୟଟର୍ସର ଏକ ରିପୋର୍ଟକୁ ଖାରଜ କରିଦେଇଛନ୍ତି।  କହିଛନ୍ତି ସାମରିକ ଏବଂ ଦ୍ୱୈତ ବ୍ୟବହାର ସାମଗ୍ରୀ ରପ୍ତାନୀରେ ଅନ୍ତର୍ଜାତୀୟ ଦାୟିତ୍ୱ ପାଳନ କରିବାରେ ଭାରତର ସଫାସୁତୁରା ଟ୍ରାକ୍ ରେକର୍ଡ ରହିଛି। ବିଦେଶ ମନ୍ତ୍ରାଳୟଙ୍କ ଅଧିକାରୀକ ମୁଖପାତ୍ର ଗଣମାଧ୍ୟମ ପ୍ରଶ୍ନର ଜବାବ ଦେଇ ଗୁରୁବାର ଏହା କହିଛନ୍ତି।  ନ୍ୟୁଜ ଏଜେନ୍ସୀ ରିପୋର୍ଟରେ ଦାବି କରିଥିଲା ଯେ ଭାରତର ସୈନ୍ୟ ଉତ୍ପାଦ ଋଷିଆ ବିରୋଧରେ ଯୁଦ୍ଧରତ ୟୁକ୍ରେନକୁ ପହଞ୍ଚୁଛି। 

ଗଣମାଧ୍ୟମ ପ୍ରଶ୍ନର ଜବାବ ଦେଇ ମୁଖପାତ୍ର କହିଛନ୍ତି ଯେ ରୟଟର୍ସ ରିପୋର୍ଟ ଏକ ଆକଳନ ମୂଳକ ଓ ଭ୍ରମାତ୍ମକ ତଥ୍ୟ ଆଧାରିତ। ଏଥିରେ ଭାରତ ଦ୍ୱାରା ଉଲ୍ଲଂଘନର ସଂକେତ ଦିଆଯାଇଛି, ଯେତେବେଳେ ଏପରି କିଛିବି ହୋଇ ନାହିଁ। ଏଣୁ ଏପରି ରିପୋର୍ଟକୁ ଭ୍ରମାତ୍ମକ ଓ ତ୍ରୁଟିପୂର୍ଣ୍ଣ ବୋଲି ମୁଖପାତ୍ର ସ୍ପଷ୍ଟ କରିଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ତାର ପ୍ରତିରକ୍ଷା ରପ୍ତାନୀକୁ ପରମାଣୁ ଅପ୍ରସାର ଆଧାରରେ ନିଜର ଅନ୍ତର୍ଜାତୀୟ ଦାୟିତ୍ୱକୁ ଧ୍ୟାନରେ ରଖି ଓ ନିଜର ମଜଭୁତ ଆଇନ ଏବଂ ନିୟାମକୀୟ ଢାଞ୍ଚା ଆଧାରରେ ସଞ୍ଚାଳନ କରୁଛି। 

ଯେଉଁଥିରେ ଅନ୍ତିମ ଉପଯୋଗ କର୍ତ୍ତାଙ୍କ ଦାୟିତ୍ୱ ଓ ପ୍ରମାଣନ ସହିତ ପ୍ରାସଙ୍ଗିକ ମାନଦଣ୍ଡର ସାମଗ୍ରିକ ମୂଲ୍ୟାୟନ ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ ଯେ ରୟଟର୍ସ ଏଜେନ୍ସୀ ଦାବି କରିଥିଲା ଯେ ଭାରତୀୟ ଅସ୍ତ୍ରଶସ୍ତ୍ର ନିର୍ମାତାଙ୍କ ଦ୍ୱାରା ବିକ୍ରି କରାଯାଉଥିବା ତୋପର ଗୋଳା ୟୁରୋପୀୟ ଗ୍ରାହକଙ୍କ ଦ୍ୱାରା ୟୁକ୍ରେନ ପଠାଯାଉଛି ଓ ଏ ନେଇ ମସ୍କୋର ବିରୋଧ ସତ୍ତ୍ୱେ ନୂଆ ଦିଲ୍ଲୀ ଏହି କାରବାର ରୋକିବା ଲାଗି ହସ୍ତକ୍ଷେପ କରୁ ନାହିଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.