ନୂଆଦିଲ୍ଲୀ: ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହେବାର ନାଁ ନେଉନି। ଏହି ସମୟରେ, ବାଂଲାଦେଶରେ ହୋଇଥିବା ନିର୍ଯାତନା ସହ୍ୟ କରିନପାରି ଭାରତ ସୀମାରେ ପ୍ରବେଶ କରିଥିଲେ ୧୭ ବର୍ଷର ହିନ୍ଦୁ ଝିଅ । ଏହା ପରେ ସୀମା ସୁରକ୍ଷା ବଳର ଅଧିକାରୀମାନେ ତାଙ୍କୁ ଗିରଫ କରି ପଶ୍ଚିମବଙ୍ଗ ପୋଲିସକୁ ହସ୍ତାନ୍ତର କରିଥିଲେ।
ସୂଚନାଯୋଗ୍ୟ ଯେ ବାଂଲାଦେଶରୁ ସୀମା ପାର ହେବା ପରେ ଭାରତ ଆସିଥିବା ଯୁବତୀ ISKCONର ଜଣେ ଭକ୍ତ। ନାବାଳିକା ପଶ୍ଚିମବଙ୍ଗ ପୋଲିସକୁ କହିଛି ଯେ ଗତ କିଛି ସପ୍ତାହ ଧରି ତାଙ୍କ ପରିବାର ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ଧମକ ଶୁଣିଆସୁଥିଲେ। ବାଂଲାଦେଶର ବିଦ୍ରୋହୀ ଗୋଷ୍ଠୀ ଝିଅକୁ ଅପହରଣ କରି ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏହା ପରେ ହିଁ ଝିଅଟି ନିଜ ଦେଶରୁ ପଳାଇବାକୁ ନିଷ୍ପତ୍ତି ନେଇଥିଲେ।
ନାବାଳିକା ଜଣକ ପୋଲିସକୁ କହିଥିଲେ ଯେ ତାଙ୍କୁ ଭାରତକୁ ଆଇନଗତ ଭାବେ ଆସିବାକୁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିବ, ତେଣୁ ସେ ସ୍ଥଳ ସୀମା ପାର କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସୀମା ପାର ହେବା ପରେ ସୀମା ସୁରକ୍ଷା ବଳ ତାଙ୍କୁ ଧରି ପଶ୍ଚିମବଙ୍ଗ ପୋଲିସର ହେପାଜତକୁ ପଠାଇ ଦେଇଥିଲା। ପୋଲିସ କହିଛି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛି ଯେ ତାଙ୍କୁ ସୀମା ପାର କରିବାରେ କେହି ସାହାଯ୍ୟ କରିଛନ୍ତି କି?