ଚୋରି କରିବାକୁ ଆସିଥିଲା, ହେଲେ ଭାଗ୍ୟ ଖରାପ : ଏଗଜଷ୍ଟ୍ ଫ୍ୟାନରେ ଫସିଗଲା ଚୋର

NEWS7
miscreants-loot-30-kg-gold-ornaments-at-sambalpur

କୋଟା, ୦୬/୦୧ ଚୋରି କରିବାକୁ ଆସିଥିଲା ଚୋର । ସୁବିଧା ସୁଯୋଗ ଦେଖି ଘରେ ବୁଲାଇଥାନ୍ତା କଳାକନା । କିନ୍ତୁ ଭାଗ୍ୟ ଖରାପ । ଫେଲ୍ ମାରିଲା ସବୁ ପ୍ଲାନ୍ । ଏଗଜଷ୍ଟ୍ ଫ୍ୟାନର ହୋଲରେ ଫସିଗଲା ଚୋର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କୋଟାରେ ।

ରିପୋର୍ଟ ଅନୁସାରେ, କୋଟାରେ ରୁହନ୍ତି ସୁଭାସ କୁମାର ରାଓ୍ୱତ । ସେ ରବିବାର ରାତିରେ ପରିବାର ସହ ମନ୍ଦିର ଯାଇଥିଲେ । ଘର ତାଲା ପକାଇ ମନ୍ଦିରକୁ ଗଲା ପରେ ଏକ ଚୋର ଗ୍ୟାଙ୍ଗ୍ କଳାକନା ବୁଲାଇବା ପାଇଁ ପ୍ଲାନ୍ କରିଥିଲେ । ତେବେ ସୁଭାସ ଏବଂ ତାଙ୍କ ପତ୍ନୀ ସେମାନେ ଘରକୁ ଫେରିବା ବେଳେ ଏଗଜଷ୍ଟ ଫ୍ୟାନ ହୋଲରେ ଜଣେ ବ୍ୟକ୍ତି ଫସିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ଉଭୟ ପତି ଏବଂ ପତ୍ନୀ ଜୋରରେ ପାଟି କରିଥିଲେ । ପାଟି ଶୁଣିବା ପରେ ଆଖପାଖର ଲୋକେ ଧାଇଁ ଆସିଥିଲେ । ଏଠାରେ କଣ କରୁଛ ବୋଲି ଫସି ରହିଥିବା ବ୍ୟକ୍ତିଙ୍କୁ ପଚାରିଥିଲେ । ଚୋରଟି ନିଜେ ଚୋରି କରିବାକୁ ଆସିଛି ବୋଲି କହିଥିଲା । 

ସବୁଠାରୁ ବଡ କଥା ହେଉଛି ଯେ, ଚୋର ସହ ତାର କିଛି ସହଯୋଗୀ ଥିଲେ । କିନ୍ତୁ ସେମାନେ ସେଠାରୁ ଖସି ପଳାଇଥିଲେ । ଘଟଣା ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଜଣେ ପୋଲିସ ଅଧିକାରୀ ବାହାରେ ଚୋରକୁ ଜଗି ଠିଆ ହୋଇଥିଲେ । ଆଉ ଦୁଇ ଜଣ ଘରେ ପଶି ତାକୁ ଉଦ୍ଧାର କରିଥିଲେ ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଚୋରି ପାଇଁ ଘରେ ପଶିଥିବା ବ୍ୟକ୍ତିକୁ ଗିରଫ କରାଯାଇଛି । ତାର ଅନ୍ୟ ସହଯୋଗୀ ଫେରାର ଅଛନ୍ତି । ସେମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ । ଏହାସହ ସେମାନେ ଏକ କାର ବ୍ୟବହାର କରିଥିଲେ । ଯାହାକୁ ଜବତ କରାଯାଇଛି । ଏଥିରେ ପୋଲିସର ଷ୍ଟିକର ମାରି ସେମାନେ ଲୁଟ୍ କରୁଥିଲେ ବୋଲି ଜଣାପଡିଛି ।