ଢେଙ୍କାନାଳ ୯/୧: ଲୁଟେରାଙ୍କୁ ଆଉ ପାରିହେବନି । ଏଟିଏମ୍ ଭାଙ୍ଗି ଟଙ୍କା ତ ନେଲେ । ଶେଷରେ ପ୍ରମାଣ ନଷ୍ଟ ପାଇଁ କ୍ୟାମେରା ଓ ହାର୍ଡଡିସ୍କ ଭାଙ୍ଗିବା ସହ ଏଟିଏମ୍ରେ ନିଆଁ ଲଗାଇ ଦେଇଛନ୍ତି । ପିଛା କରି କାର୍ ସହ ୨ ଜଣଙ୍କୁ କାବୁ କରିଛି ପୋଲିସ । ତେବେ ଅନ୍ୟ ଏକ କାରର ଟଙ୍କା ଧରି ଅନ୍ୟ ଲୁଟେରାମାନେ ଚମ୍ପଟ ମାରିଛନ୍ତି । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ NH-୫୫ ପାଖରେ ଥିବା ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ହୋଇଛି ।
ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍କୁ ତାଡି ଟଙ୍କା ବାହାର କରିଥିଲେ । ଆଉ ପ୍ରମାଣ ନଷ୍ଟ କରିବାରୁ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା, ହାର୍ଡଡିସ୍କକୁ ଭାଙ୍ଗି ସାଂଗରେ ନେଇଯାଇଥିଲେ । ଏତିକିରେ ଲୁଟେରାଙ୍କ ହରକତ ସରିନଥିଲା । ଏଟିଏମ୍ରେ ନିଆଁ ଲଗାଇ ପୋଡି ଦେଇଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଲୁଟେରାଙ୍କ ପିଛା କରିଥିଲା ।
ମୋଟଙ୍ଗା ଥାନା ଅଞ୍ଚଳରୁ କାର୍ ସହ ୨ ଲୁଟେରାଙ୍କୁ କାବୁ କରିଥିଲା । ତେବେ ପୋଲିସକୁ ଚକ୍ମା ଦେଇ ଅନ୍ୟ ଏକ କାର୍ରେ ଟଙ୍କା ସହ ଲୁଟେରା ଖସି ଯିବାକୁ ସକ୍ଷମ ହୋଇଥିଲେ । ତେବେ ଟଙ୍କା ଧରି ସମ୍ବଲପୁର ଆଡକୁ ଯାଇଥିବାରୁ ପୋଲିସର ଏକ ଟିମ୍ ସେମାନଙ୍କ ପିଛା କରୁଛି ।